କୋର୍ଟଜାତୀୟ

୪ହଜାର ପରିବାରକୁ ଏପରି ସ୍ଥାନାନ୍ତର କରାଯାଇ ପାରିବ ନାହିଁ: ଏସସି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହଲଦ୍ବାନି ଅଞ୍ଚଳରେ ରେଳବାଇ ଜମି ଅକ୍ତିଆର କରି ରହିଥିବା ୪୦୦୦ ହଜାର ପରିବାରକୁ ସାମାନ୍ୟ ଆଶ୍ବସ୍ତି। ସେଠାରୁ  ଏହି ପରିବାରକୁ ହଟାଇବାକୁ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମ କୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ସେଠାରେ ରହୁଥିବା ପରିବାର ମାନେ ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ୪ହଜାର ପରିବାର ପକ୍ଷରୁ ଦାବି କରାଯାଇଛି କି, ସେମାନଙ୍କ ନିକଟରେ ସରକାର ଦ୍ବାରା ପ୍ରଦତ୍ତ ସମସ୍ତ ବୈଧ ଦସ୍ତାବିଜ ରହିଛି ତେଣୁ ତାହା ସେମାନଙ୍କ ଜମି।

ସର୍ବୋଚ୍ଚ ନ୍ୟାୟାଳୟ ଏହି ଉଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଦ୍ବାରା ଏପରି ୭ ଦିନ ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବାକୁ ଦିଆଯାଇଥିବା ଆଦେଶକୁ ଗ୍ରହଣ କରି ପାରି ନାହାନ୍ତି। କୋର୍ଟ କହିଛନ୍ତି, ଏପରି ୭ ଦିନ ଭିତରେ ୫୦ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇପାରିବ ନାହିଁ।

ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ଅଭୟ ଏସ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨ ଡିସେମ୍ବର ୨୨କୁ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶ ଉପରେ ରାଜ୍ୟ ସରକାର ଓ ରେଳବାଇକୁ ନୋଟିସ କରି ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଆସନ୍ତା ଫେବୃଆରୀ ୭ରେ ଶୁଣାଣି ହେବାକୁ ଥିବା ବେଳେ ରାଜ୍ୟ ତଥା ରେଳବାଇକୁ ମାମଲାର ସ୍ଥାୟୀ ସାମାଧାନ ବାଟ ବାହାର କରିବାକୁ କୁହାଯାଇଛି।

କୋର୍ଟ ପାଇଛନ୍ତି କି, ସେଠାରେ ଦୀର୍ଘ ବର୍ଷ ଧରି ଲୋକେ ରହି ଆସୁଥିବାରୁ ପଟ୍ଟା ଓ ନିଲାମ କ୍ରୟ ଆଧାରରେ  ସେହି ଜାଗା ଉପରେ ସେମାନଙ୍କ ଅଧିକାର ଦାବି କରୁଛନ୍ତି।  ଜଷ୍ଟିସ ଏସ କେ କାଉଲ କହିଛନ୍ତି, ମାମଲାରେ ଦୁଇଟି ଦିଗ ରହିଛି। ଗୋଟିଏ, ସେମାନେ ପଟ୍ଟା ଦାବି କରିଛନ୍ତି ଓ ଦ୍ବିତୀୟରେ ସେମାନେ କହୁଛନ୍ତି, ୧୯୪୭ରେ ଲୋକମାନେ ସେଠାକୁ ଆସିଥିଲେ ଓ ଜମି ନିଲାମ ନେଇଥିଲେ। ବର୍ଷ ବର୍ଷ ଧରି ସେମାନେ ସେଠାରେ ରହି ଆସୁଛନ୍ତି। ଏପରି ସ୍ଥଳେ କିପରି ୭ ଦିନ ଭିତରେ ସେମାନଙ୍କୁ ଉଚ୍ଛେଦ କରାଯାଇ ପାରିବ?

ଜଷ୍ଟିସ ଓକା କହିଛନ୍ତି, ଆମର ଚିନ୍ତା କି,  ଯଦିଓ ଏହା ରେଳବାଇର ଜାଗା। ସେଠାରେ ଲୋକେ ୫୦-୬୦ ବର୍ଷ ଧରି ରହି ଆସିଲେଣି। ଅନେକ ଜାଗା ମଧ୍ୟ କିଣିଛନ୍ତି। ହୁଏତ ଆପଣମାନେ ସେହି ଜାଗାକୁ ନିଜ କବ୍ଜାକୁ ନେଇପାରନ୍ତି। ହେଲେ ସେମାନଙ୍‌କ ପୁନର୍ବାସ ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ଓକା ଆହୁରି କହିଛନ୍ତି, ଲୋକଙ୍କ ସମସ୍ୟାକୁ ନ ଶୁଣି ହାଇକୋର୍ଟ ରାୟ ଦେଇଛନ୍ତି। ତେଣୁ ଏହାର ସମାଧାନର ବାଟ ବାହାର କରନ୍ତୁ। ଏହା ମାନବୀୟ ମାମଲା। ଓକାଙ୍କ  ବୟାନ ପରେ ଜଷ୍ଟିସ କାଉଲ କହିଛନ୍ତି, ମାନବୀୟ ସମସ୍ୟା ଦୀର୍ଘ ସମୟ ଧରି କବ୍‌ଜାରେ ରହିବା କାରଣରୁ ହୋଇଥାଏ। ତେବେ ସମସ୍ତଙ୍କ ସମସ୍ୟା ସମାନ ନୁହେଁ। କିଛି ଦସ୍ତାବିଜରେ ହେରଫେର ହୋଇଥାଇ ପାରେ। ତେଣୁ ଏହାର ଯାଞ୍ଚ କରାଯିବା ଆବଶ୍ୟକ।

ସେପଟେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା  ଭଟ କହିଛନ୍ତି, ରେଳବାଇର ମଧ୍ୟ ସମାନ ସ୍ଥିତି ରହିଛି। ଏହି ଜମି ରେଳବାଇର। ଏକାଧିକବାର ସରକାରୀସ୍ତରରେ ସେମାନଙ୍କୁ ଜାଗା ଛାଡିବାକୁ ନୋଟିସ ହୋଇଛି।

ଅନ୍ୟପଟରେ ଯାଚିକାକର୍ତ୍ତାଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟକୁ ଅବଗତ କରିଛନ୍ତି କି, କୋଭିଡ କାଳରେ ଏହି ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button