ଜାତୀୟ

୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍

()-ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ପକ୍ଷରୁ ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ପବ୍ଲିକ ଅଫର ବା ଏଫପିଓ ବାତିଲ ହୋଇଛି। ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି। କିନ୍ତୁ କମ୍ପାନୀ ଏହି ଏଫପିଓକୁ ବାତିଲ କରିଦେଇଛି। କମ୍ପାନିର ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସେପଟେ ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡେନବର୍ଗ ରିପୋର୍ଟ ପରେ ଆକ୍ସନମୋଡକୁ ଆସିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ।

ଆଦାନୀ ଗ୍ରୁପର ବଡ଼ ନିଷ୍ପତ୍ତି। ୨୦ହଜାର କୋଟିର ଏଫପିଓ ରଦ୍ଦ କଲା ଆଦାନୀ ଏଣ୍ଟରପ୍ରାଇଜେର୍ସ ଲିମିଟେଡ୍। ଟଙ୍କା ଫେରିପାଇବେ ନିବେଶକ। ସେୟାର ମାର୍କେଟ ତଳ ଉପର ହେଉଥିବାରୁ କମ୍ପାନୀ ବୋର୍ଡ ଏଫପିଓ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛି।

ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ଚେୟାରମ୍ୟାନ୍ ଗୌତମ ଆଦାନୀ। ସେୟାର ବଜାରରେ ହଲଚଲ ଓ ମାର୍କେଟରେ ଅସ୍ଥିର ସ୍ଥିତିକୁ ଦେଖି ଏଭଳି ସ୍ଥିତିରେ କମ୍ପାନୀର ଉଦ୍ଦେଶ୍ୟ ନିଜ ନିବେଶକଙ୍କ ହିତକୁ ରକ୍ଷା କରିବା। ସେଥିପାଇଁ ଆମେ ଏଫପିଓରେ ମିଳିଥିବା ଅର୍ଥକୁ ଫେରାଇବାକୁ ଯାଉଛୁ ଓ ଏହାସହ ଜଡିତ କାରବାରକୁ ଶେଷ କରିବାକୁ ଚାହୁଁଛୁ। ଏଫପିଓରୁ ମିଳିଥିବା ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯିବ। କୌଣସି କମ୍ପାନୀ ପାଇଁ ଟଙ୍କା ଯୋଡିବାର ମାଧ୍ୟମ ହେଉଛି ଏଫପିଓ। ଯେଉଁ କମ୍ପାନୀ ପ୍ରଥମରୁ ସେୟାର ମାର୍କେଟରେ ତାଲିକାରେ ଥାଏ, ଇନଭେଷ୍ଟର୍ସଙ୍କ ପାଇଁ ନୂଆ ସେୟାର ଅଫର କରିଥାଏ। ସେୟାର ବଜାରରେ ଥିବା ସେୟାରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରିବ ବୋଲି କମ୍ପାନୀ କହିଛି। କମ୍ପାନୀର ବାଲାନ୍ସ ସିଟ୍ କିନ୍ତୁ ମଜବୁତ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ କମ୍ପାନୀଗୁଡିକର ସେୟାରର ମୂଲ୍ୟ ଲଗାତାର ହ୍ରାସ ଘଟିଛି । ବୁଧବାର ଦିନ ଆଦାନୀ ଏଣ୍ଟରପ୍ରାଇଜେସର ଷ୍ଟକ୍ ଗୋଟିଏ ଦିନରେ ୨୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ୨୪ ଜାନୁଆରୀରେ ଆଦାନୀ ଗ୍ରୁପ ନାଁରେ ଆମେରିକାର ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି। ଏନେଇ ଆଦାନୀ ଗ୍ରୁପ ୪୦୦ରୁ ଅଧିକ ପୃଷ୍ଠାର ଏକ ଜବାବ ଦେଇଛି ବୋଲି ସୂଚନା ରହିଛି। ହିଣ୍ଡେନବର୍ଗର ରିପୋର୍ଟ ଅସତ୍ୟ ଏବଂ ଏଫପିଓକୁ ବଦନାମ କରିବାକୁ ଏକ ଷଡଯନ୍ତ୍ର ବୋଲି ଆଦାନୀ ପକ୍ଷରୁ କୁହାଯାଇଛି।

ସେପଟେ ଆଦାନୀ ଗ୍ରୁପ ବିରୁଦ୍ଧରେ ହିଣ୍ଡେନବର୍ଗ ରିପୋର୍ଟ ପରେ ଆକ୍ସନମୋଡକୁ ଆସିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଆଦାନୀ ଗ୍ରୁପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ। ଆଦାନୀ ଗ୍ରୁପ୍ କମ୍ପାନୀ ଗୁଡିକ କେତେ ଟଙ୍କା ବିନିଯୋଗ କରିଛି ସେନେଇ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ସୂଚନା ସଂଗ୍ରହ କରୁଛି। ଆଦାନୀ ଗ୍ରୁପ୍ କେସ୍ ଉପରେ ଆରବିଆଇ ଏସବିଆଇ, ପିଏନବି, ବ୍ୟାଙ୍କ ଅଫ୍ ବରୋଦା ଭଳି ବ୍ୟାଙ୍କକୁ ଆଦାନୀଙ୍କୁ ଦିଆଯାଇଥିବା ଲୋନ୍ ସମ୍ପର୍କରେ ସୂଚନା ଦେବାପାଇଁ ସମସ୍ତ ବ୍ୟାଙ୍କକୁ ନୋଟିସ୍ ଜାରି କରିଛି। ଆଦାନୀ ଗ୍ରୁପ୍ କମ୍ପାନୀକୁ କେତେ ଲୋନ୍ ଦିଆଯାଇଛି ଏବଂ ଏହାର ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେବାକୁ ସମସ୍ତ ଘରୋଇ ବ୍ୟାଙ୍କ ଗୁଡିକୁ ନୋଟିସ ଜାରି କରିଛି ଆରବିଆଇ।

ଆମେରିକାର ଏକ ଘରୋଇ ଅର୍ଥନୈତିକ ଗବେଷଣା ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଗୌତମ ଆଦାନୀଙ୍କ ପାଇଁ ମହଙ୍ଗା ପଡିଛି। ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ଏବେ ଯେମିତି କାହାର ନଜର ଲାଗିଯାଇଛି। ଗୋଟିଏ ରିସର୍ଚ୍ଚ ରିପୋର୍ଟ ଆଦାନୀଙ୍କ ବିଶାଳ ସାମ୍ରାଜ୍ୟକୁ ଦୋହଲାଇ ଦେଇଛି। ଫଳରେ ତାଙ୍କର ବିପୁଳ ଆର୍ଥିକ କ୍ଷତି ଘଟୁଥିବା ବେଳେ ଧନୀ ତାଲିକାରେ ତଳକୁ ତଳକୁ ଖସୁଛନ୍ତି। ସର୍ବାଧିକ ନେଟୱର୍ଥ ମୂଲ୍ୟ ଦୃଷ୍ଟିରୁ ପୁଣି ଗୌତମ ଆଦାନୀଙ୍କୁ ପଛରେ ପକାଇଛନ୍ତି ମୁକେଶ ଅମ୍ୱାନୀ। ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ୱାନୀ ପୁଣିଥରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଏନେଇ ବୁଧବାର ଫୋର୍ବସ ପକ୍ଷରୁ ସୂଚନା ଦିଆଯାଇଛି। ଫୋର୍ବସ ରିସର୍ଚ୍ଚ ମୁତାବକ, ଆଦାନୀ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ୧୦ ନମ୍ୱରରେ ରହିଥିବାବେଳେ ଅମ୍ୱାନୀ ୯ ନମ୍ୱରରେ ରହିଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକା ଉଦ୍ୟୋଗ ଗବେଷଣା ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ସତ କି ନା ତାହା ତଦନ୍ତ ସାପେକ୍ଷ। ହେଲେ କମ୍ପାନୀର ଗୋଟିଏ ରିପୋର୍ଟ ଆଦାନୀ ଗ୍ରୁପ୍‌କୁ ଧୀରେ ଧୀରେ ରସାତଳକୁ ନେଇଗଲାଣି। ଦିନେ ବିଶ୍ୱର ଧନୀ ତାଲିକାରେ ୩ ନମ୍ୱରରେ ଥିବା ଆଦାନୀ ଏବେ ଟପ୍‌-୧୦ ଲିଷ୍ଟରେ ବି ନାହାନ୍ତି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button