ପାକ୍ ଆତଙ୍କୀର ଜୀବନ ବଞ୍ଚାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ ସାରା ବିଶ୍ବକୁ ବସୁନ୍ଧରା କୁଟୁମ୍ବକମ୍ ମାନିଥାଏ। ଶତ୍ରୁକୁ ମଧ୍ୟ ଆତିଥ୍ୟ ଦେବାରେ ବା ଆବଶ୍ୟକ ସ୍ଥଳେ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଏନାହିଁ। ଯେମିତି ଜମ୍ମୁର ରାଜୋରୀରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳମାଡରେ ଗୁରୁତର ଆହତ ହୋଇଥିବା ପାକିସ୍ତାନୀ ଆତଙ୍କୀକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇଛନ୍ତି ଯବାନ। ରଜୋରୀର ନୌସେରା ସେକ୍ଟରରେ ଏଲଓସି ନିକଟରେ କିଛି ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ସେନା ନଜରକୁ ଆସିଥିଲେ।
ସେନାକୁ ଦେଖି ସେମାନେ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ସେନା ଗୁଳିଚଳାଇଥିଲା। ଏଥିରେ ଜଣେ ଆତଙ୍କୀ ଗୁରୁତର ଆହତ ହୋଇପଡିଥିଲା। ତାକୁ ହସ୍ପିଟାଲରେ ଭର୍ତ୍ତିକରାଯିବା ସହ ଆବଶ୍ୟକ ପଡିବାରୁ ଯବାନ ୩ ବଟଲ ରକ୍ତ ଦେଇଥିଲେ।
ଧରାପଡିଥିବା ଆତଙ୍କୀର ନାମ ତବରକ ହୁସେନ। ସେ ପିଓକେର କୋଟଲି ଅନ୍ତର୍ଗତ ସବ୍ଜକୋଟ ଗ୍ରାମର ବାସିନ୍ଦା। ରବିବାର ଦିନ ତାକୁ ଧରିବାରେ ସକ୍ଷମ ହୋଇଥିଲା ସେନା। ସେ ଭାରତରେ ବଡ ଧରଣର ଆକ୍ରମଣ କରିବାକୁ ଅନୁପ୍ରବେଶ କରିଥିଲା।
ଏସମ୍ପର୍କରେ ବ୍ରିଗେଡିୟର ରାଜୀବ ନାୟର କହିଛନ୍ତି କି, ତାଙ୍କ ଜଙ୍ଘ ଓ କାନ୍ଧରେ ଗୁଳି ଲାଗିଥିଲା। ଏଥିରେ ତାର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା। ପରେ ରକ୍ତ ଦିଆଯାଇ ସୁସ୍ଥ କରାଯାଇଥିଲେ ମଧ୍ୟ ସେ ଆଇସିୟୁରେ ଚିକିତ୍ସିତ ହେଉଛି। ତାକୁ ସମସ୍ତ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ଜଣେ ସାଧାରଣ ରୋଗୀ ପରି କହିଛନ୍ତି ନାୟର।