Latest Newsଓଡ଼ିଶା

୫-ଟି ସଚିବଙ୍କ ଗଜପତି ଗସ୍ତ

ଭୁବନେଶ୍ୱର : ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ପ୍ରକଳ୍ପ ଅଂଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ୱିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଂଚଳ ଗସ୍ତ କରି ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜଲ୍ଲାର ଆର. ଉଦୟଗିରି ବ୍ଲକ୍ ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି । ଏହାଦ୍ୱାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହାଦ୍ୱାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ । ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍ ମିଟର ପାଣି ମିଳିପାରିବ । ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ ।

ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି । ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ୨୦୨୫-୨୬ ସୁଦ୍ଧା ଏହା ପ୍ରକଳ୍ପ ସଂପୂର୍ଣ୍ଣ ହେବ ।

ଏହାପରେ ଶ୍ରୀ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖି ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍ ରୋଡ ଅଂଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । 

ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍ କୁ ମଧ୍ୟ ବୁଲି ଦେଖିଥିଲେ । ଟାଉନ ହଲ୍ କାମ ଶେଷ କରିବା ପାଇଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆ ଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ । ଗଜପତି ଜିଲ୍ଲା କଳା ଓ ସଂସ୍କୃତି ର ଭୂମି .ତେଣୁ ପାରଳାଖେମୁଣ୍ଡି ରେ ପାଂଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ବୋଲି ୫-ଟ ସଚିବ କହିଥିଲେ ।

ଶେଷରେ ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜଳସେଚିତ ଅଂଚଳର ଚାଷୀ ମାନଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ ହେବ .ଏଥିପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତ କରିବା ପାଇଁ ୫ଟି  ସଚିବ ପରାମର୍ଶ ଦେଇଥିଲେ । ସେହିପରି ଗୋସାଣୀ ନୂଆଗାଁ ବ୍ଲକ୍  ର କୃଷ୍ନ ସାଗର ର ପୁନରୁଦ୍ଧାର ୧୫ କୋଟି ଟଙ୍କା ରେ କରାଯିବ ।ଏହାଦ୍ୱାରା ୨୦୦୦ ହେକ୍ଟର ଜମି ପାଣି ପାଇପାରିବ । ଏହି ଯୋଜନା ପାଇଁ ୧୫ ଦିନ ଭିତରେ ଡିପିଆର କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published.

Back to top button