ଜାତୀୟ

୧୭ତମ ସମବାୟ କଂଗ୍ରେସକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି “ଅମୃତ କାଳ : ଏକ ଉଜ୍ଜ୍ୱଳ ଭାରତ ପାଇଁ ସମବାୟ ଜରିଆରେ ସମୃଦ୍ଧି’’। ମୋଦୀ ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଦେଶ “ଏକ ବିକଶିତ ଓ ଆତ୍ମନିର୍ଭର ଭାରତ” ନିର୍ମାଣ ପାଇଁ କାର୍ଯ୍ୟ କରୁଛି । ସେ ଏହି ଲକ୍ଷ୍ୟ ହାସଲ ପାଇଁ “ସବକା ପ୍ରୟାସ” ଭାବନାର ଆବଶ୍ୟକତାକୁ ଦୋହରାଇଥିଲେ । ସେ କହିଥିଲେ ଯେ ସମବାୟ ଭାବନା ସମସ୍ତଙ୍କ ପ୍ରୟାସର ବାର୍ତ୍ତା ଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ଯୋଗଦାନ କାରଣରୁ ଭାରତ ଆଜି ବିଶ୍ୱର ଅଗ୍ରଣୀ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ସେହିପରି ସମବାୟ କ୍ଷେତ୍ରର ଯୋଗଦାନ କାରଣରୁ ଭାରତ ଆଜି ବିଶ୍ୱର ଶୀର୍ଷ ଚିନି ଉତ୍ପାଦନକାରୀ ଦେଶ ମଧ୍ୟରେ ପରିଗଣିତ ହେଉଛି । ଦେଶର ଅଧିକାଂଶ ଭାଗରେ ସମବାୟ କ୍ଷୁଦ୍ର ଚାଷୀଙ୍କ ପାଇଁ ଏକ ବଡ଼ ସହାୟତା ଆଧାରରେ ପରିଣତ ହୋଇଥିବା ସେ ଆଲୋକପାତ କରି କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମହିଳାଙ୍କର ପ୍ରାୟ ୬୦ ପ୍ରତିଶତ ଯୋଗଦାନ ରହିଛି । ତେଣୁ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦୀ କହିଥିଲେ। ସେ ସୂଚନା ଦେଇ କହିଥିଲେ ଯେ, ସମବାୟ ସଂସ୍ଥା ପାଇଁ ପ୍ରଥମ ଥର ଲାଗି ଏକ ଅଲଗା ମନ୍ତ୍ରଣାଳୟ ଗଠନ କରାଯାଇଛି ଏବଂ ବଜେଟ୍ ଆବଣ୍ଟନ କରାଯାଇଛି । ଫଳରେ କର୍ପୋରେଟ୍ କ୍ଷେତ୍ର ଭଳି ସମବାୟ କ୍ଷେତ୍ରକୁ ଏକ ପ୍ଲାଟଫର୍ମ ମିଳିପାରିଛି । ଏହାଛଡ଼ା ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଲାଗି ଟିକସ ଦର ହ୍ରାସ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ, ସମବାୟ ବ୍ୟାଙ୍କମାନଙ୍କୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି ଏବଂ ନୂଆ ଶାଖା ଖୋଲିବା ଓ ଘର ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା କ୍ଷେତ୍ରରେ ନମନୀୟତା ଆସିଛି ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ଯୋଡ଼ି ହୋଇଥିଲେ। ସେମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସେ କହିଥିଲେ, ଅତୀତରେ ଚାଷୀମାନେ ଦଲାଲଙ୍କ କବଳରେ ଫସିଥିଲେ, ଏବେ କୋଟି କୋଟି ଚାଷୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ କିଷାନ ସମ୍ମାନ ନିଧି ଅର୍ଥ ମିଳିପାରୁଛି । ବିଗତ ୪ ବର୍ଷ ମଧ୍ୟରେ ପାରଦର୍ଶୀ ମାଧ୍ୟମରେ ଏହି ଯୋଜନା ଅଧୀନରେ ୨.୫ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେ କହିଥିଲେ ଯେ ୨୦୧୪ ପୂର୍ବ ୫ ବର୍ଷର ମୋଟ୍ କୃଷି ବଜେଟ୍ ସମ୍ପର୍କରେ ବିଚାର କଲେ ଏହି ଅର୍ଥରାଶି ୯୦ ହଜାର କୋଟି ଟଙ୍କାରୁ କମ୍ ଥିଲା। ଏହା ତୁଳନାରେ ୨.୫ ଲକ୍ଷ କୋଟି ଟଙ୍କା ଏକ ବଡ଼ ଅର୍ଥରାଶି । ଏହାର ଅର୍ଥ ହେଉଛି ସେହି ପାଞ୍ଚବର୍ଷର ମୋଟ୍ କୃଷି ବଜେଟ୍ର ତିନି ଗୁଣା ଅଧିକ କେବଳ ଗୋଟିଏ ଯୋଜନାରେ ଖର୍ଚ୍ଚ କରାଯାଇଛି ।

ବିଶ୍ୱ ବଜାରରେ ସାର ଦାମ୍ ବୃଦ୍ଧି ପାଇବାର ପ୍ରଭାବ ଯେପରି ନପଡ଼ିବ ତାହା ସୁନିଶ୍ଚିତ କରିବା ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆଜି ଭାରତର ଜଣେ ଚାଷୀ ଗୋଟିଏ ବସ୍ତା ୟୁରିଆ ପାଇଁ ୨୭୦ ଟଙ୍କା ଖର୍ଚ୍ଚ କରୁଛି, ଅନ୍ୟପଟେ ବାଂଲାଦେଶରେ ଗୋଟିଏ ବସ୍ତା ପାଇଁ ୭୨୦ ଟଙ୍କା, ପାକିସ୍ତାନରେ ୮୦୦ ଟଙ୍କା, ଚୀନରେ ୨୧୦୦ ଟଙ୍କା ଏବଂ ଆମେରିକାରେ ୩୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେ କହିଥିଲେ ଯେ ଚାଷୀଙ୍କ ଲାଗି ଏହି ସୁବିଧା ଗ୍ୟାରେଣ୍ଟି କିଭଳି ପ୍ରଦାନ କରାଯାଇଛି ଏବଂ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କିଭଳି ବଡ଼ ପ୍ରୟାସର ଆବଶ୍ୟକତା ରହିଛି ତାହା ଏଥିରୁ ସ୍ପଷ୍ଟ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ୯ ବର୍ଷ ମଧ୍ୟରେ କେବଳ ସାର ସବସିଡି ଉପରେ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି ।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ୍ ମୂଲ୍ୟ ଦେବା ଦିଗରେ ସରକାରଙ୍କ ଗମ୍ଭୀରତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଚାଷୀଙ୍କ ଉତ୍ପାଦକୁ ବର୍ଦ୍ଧିତ ଏମଏସପିରେ କିଣିଛନ୍ତି ଏବଂ ବିଗତ ୯ ବର୍ଷ ମଧ୍ୟରେ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ସେମାନଙ୍କ ଫସଲ ବଦଳରେ ଚାଷୀମାନଙ୍କୁ ଦେଇଛନ୍ତି । ମୋଦୀ କହିଥିଲେ, ‘‘ସରକାର ପ୍ରତିବର୍ଷ କୃଷି ଏବଂ କୃଷକଙ୍କ ଉପରେ ହାରାହାରୀ ୬.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି।’’ ସେ କହିଥିଲେ ଯେ, ଦେଶର ପ୍ରତ୍ୟେକ ଚାଷୀଙ୍କୁ ପ୍ରତିବର୍ଷ ଏପରି କିମ୍ବା ଅନ୍ୟ କୌଣସି ପ୍ରକାରରେ ପ୍ରାୟ ୫୦ ହଜାର ଟଙ୍କାର ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ।

ସରକାରଙ୍କ କୃଷି କଲ୍ୟାଣ ଦୃଷ୍ଟିକୋଣ ଉପରେ ବିଚାର ବ୍ୟକ୍ତ କରି ଶ୍ରୀ ମୋଦୀ କହିଥିଲେ ଯେ ୩ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ନିକଟରେ ଘୋଷଣା କରାଯାଇଛି । ଆଖୁ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୩୧୫ କୋଟି ଟଙ୍କାର ଉଚିତ୍ ଓ ଲାଭକରୀ ମୂଲ୍ୟରେ ଫସଲ କିଣିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରତ୍ୟକ୍ଷ ଲାଭ ୫ ଲକ୍ଷ ଆଖୁ ଚାଷୀ ଏବଂ ଚିନି କଳରେ କାମ କରୁଥିବା ଲୋକମାନଙ୍କୁ ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତ କାଳ ସମୟରେ ଗାଁ ଓ ଚାଷୀଙ୍କ ବିକାଶରେ ସମବାୟ କ୍ଷେତ୍ରର ଭୂମିକା ବିସ୍ତାରିତ ହେବ । ସେ ଜୋର ଦେଇ କହିଥିଲେ, “ସରକାର ଓ ସହକାର (ସରକାର ଓ ସମବାୟ) ମିଶି ବିକଶିତ ଭାରତର ସ୍ୱପ୍ନକୁ ଦୁଇଗୁଣ ମଜବୁତ କରିବେ।” ସେ କହିଥିଲେ ଯେ ଡିଜିଟାଲ ଇଣ୍ଡିଆ ଅଭିଯାନ ଜରିଆରେ ସରକାର ପାରଦର୍ଶିତା ବୃଦ୍ଧି କରିଛନ୍ତି ଏବଂ ହିତାଧିକାରୀମାନଙ୍କୁ ଲାଭ ସୁନିଶ୍ଚିତ କରିଛନ୍ତି । ଶ୍ରୀ ମୋଦୀ କହିଥିଲେ, ‘‘ଆଜି ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ଏହା ମାନିଛନ୍ତି ଯେ ଉଚ୍ଚ ସ୍ତରରେ ଦୁର୍ନୀତି ଓ ପ୍ରୀୟପ୍ରତି ତୋଷଣ ସମାପ୍ତ ହୋଇଛି । ଆଜି ଆମର ଚାଷୀ ଏବଂ ପ୍ରାଣୀପାଳକମାନେ ଏହାକୁ ନିଜ ଜୀବନରେ ଅନୁଭବ କରିବା ଜରୁରି । ସମବାୟ କ୍ଷେତ୍ରରେ ପାରଦର୍ଶିତା ଏବଂ ଦୁର୍ନୀତି ମୁକ୍ତ ପ୍ରଶାସନର ଏକ ଆଦର୍ଶ ପ୍ରତିଷ୍ଠା ହେବା ମଧ୍ୟ ଜରୁରି । ଏଥିପାଇଁ ସମବାୟ କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାକୁ ବଳ ଦେବା ଉଚିତ୍ ।’’

ପ୍ରଧାନମନ୍ତ୍ରୀ ସମବାୟ ସମିତି ଏବଂ ବ୍ୟାଙ୍କଗୁଡ଼ିକୁ ଡିଜିଟାଲ କାରବାର ମାମଲାରେ ଅଗ୍ରଣୀ ରହିବା ପାଇଁ ଆହ୍ୱାନ କରି କହିଥିଲେ, ‘‘ଭାରତ ନିଜର ଡିଜିଟାଲ ନେଣଦେଣ ପାଇଁ ବିଶ୍ୱରେ ପ୍ରସିଦ୍ଧି ହାସଲ କରିଛି।’’ ସେ କହିଥିଲେ ଯେ ଏହାଦ୍ୱାରା ବଜାରରେ ପାରଦର୍ଶିତା ଏବଂ ଦକ୍ଷତା ବୃଦ୍ଧି ପାଇବ ଏବଂ ଉନ୍ନତ ପ୍ରତିଦ୍ୱନ୍ଦ୍ୱିତା ସମ୍ଭବ ହେବ ।

ପ୍ରାଥମିକ ସ୍ତରର ମୁଖ୍ୟ ସମବାୟ ସମିତି ଏବଂ ପ୍ରାଥମିକ କୃଷି ଋଣ ସମିତିଗୁଡ଼ିକ ପାରଦର୍ଶିତାର ମଡେଲ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ୬୦,୦୦୦ରୁ ଅଧିକ ପ୍ୟାକ୍ସର କମ୍ପ୍ୟୁଟରୀକରଣ ଶେଷ ହୋଇସାରିଛି । ସେ ଜୋର ଦେଇ କହିଥିଲେ ଯେ ସମବାୟ ସମିତିଗୁଡ଼ିକ ସେମାନଙ୍କ ପାଇଁ ଉପଲବ୍ଧ ପ୍ରଯୁକ୍ତିର ସମ୍ପୂର୍ଣ୍ଣ ଉପଯୋଗ କରିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ସମବାୟ ସମିତିଗୁଡ଼ିକ ଦ୍ୱାରା କୋର୍ ବ୍ୟାଙ୍କିଙ୍ଗ୍ ଓ ଡିଜିଟାଲ ନେଣଦେଣର ମଞ୍ଜୁରି ଫଳରେ ଦେଶକୁ ବହୁତ ବଡ଼ ଲାଭ ହେବ ବୋଲି ସେ ଉଲ୍ଲେଖ କରିଥିଲେ।

ଲଗାତର ରପ୍ତାନି ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ ସମିତିଗୁଡ଼ିକୁ ମଧ୍ୟ ଏ ଦିଗରେ ଯୋଗଦାନ ଦେବାକୁ ହେବ । ସେ କହିଥିଲେ ଯେ ଉତ୍ପାଦନ ସହ ଜଡ଼ିତ ସମବାୟ ସମିତିଗୁଡ଼ିକୁ ବିଶେଷ ପ୍ରୋତ୍ସାହନ ଦେବା ପଛରେ ଏହା ହିଁ କାରଣ ରହିଛି । ସେମାନଙ୍କର ଟିକସ ବୋଝ ହ୍ରାସ କରାଯାଇଛି । ସେ ବିଶେଷ କରି ଭଲ ରପ୍ତାନି ପ୍ରଦର୍ଶନ ପାଇଁ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆମ ଗାଁର କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାର ସଂକଳ୍ପ ସହିତ ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସେ ଏହି ସଂକଳ୍ପର ଏକ ଉଦାହରଣ ରୂପରେ ଶ୍ରୀ ଅନ୍ନ (ମିଲେଟ୍ସ) ପାଇଁ ଏକ ନୂଆ ପ୍ରୋତ୍ସାହନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନିକଟରେ ଆମେରିକାର ହ୍ୱାଇଟ୍ ହାଉସରେ ଆୟୋଜିତ ରାଜକୀୟ ରାତ୍ରୀଭୋଜରେ ଶ୍ରୀ ଅନ୍ନ ଉପରେ ପ୍ରାଥମିକତା ଦିଆଯାଇଥିଲା। ସେ ସମବାୟ ସମିତିଗୁଡ଼ିକୁ ଆହ୍ୱାନ ଦେଇ କହିଥିଲେ ଯେ ସେମାନେ ଭାରତୀୟ ଶ୍ରୀ ଅନ୍ନକୁ ବିଶ୍ୱ ବଜାରରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରନ୍ତୁ ।

Related Articles

Leave a Reply

Your email address will not be published.

Back to top button