କୋଭିସିଲ୍ଡ ଟୀକା କୋଭାକ୍ସିନ ତୁଳନାରେ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତରେ ଦିଆଯାଉଛିବା କରୋନା ଟୀକାକୁ ନେଇ ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି କି, କୋଭିସିଲ୍ଡ ଟୀକା କୋଭାକ୍ସିନ ତୁଳନାରେ ଅଧିକ ପ୍ରଭାବଶାଳୀ। କରୋନାର ବିଭିନ୍ନ ଭାରିଆଣ୍ଟ ବିରୋଧରେ କୋଭିସିଲ୍ଡ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଗବେଷଣାକୁ ନେଇ ଶୁକ୍ରବାର ଏହି ତଥ୍ୟ ଇଣ୍ଟରନେଟରେ ପୋଷ୍ଟ ହୋଇଥିଲା। ହେଲେ ରିପୋର୍ଟ ଉପରେ ସମୀକ୍ଷା ହୋଇନାହିଁ।
ଜୁନ ୨୦୨୧ରୁ ୨୦୨୨ ଜାନୁଆରୀ ମଧ୍ୟରେ ୬୯୧ ଜଣଙ୍କ ଉପରେ ଏହି ଗବେଷଣା ହୋଇଥିଲା। ଏଥିରେ ୧୮-୪୫ ବୟସ ବର୍ଗର ଲୋକଙ୍କୁ ସାମିଲ କରାଯାଇଥିଲା ଓ ଏହା ପୁଣେ, ବେଙ୍ଗାଲୁରୁରେ ମୋଟ ୪ଟି ଜାଗାରେ ହୋଇଥିଲା। ମୁଖ୍ୟତଃ ଗ୍ରାମାଞ୍ଚଳ ଲୋକଙ୍କୁ ଅଧିକ ସାମିଲ କରାଯାଇଥିଲା।
ଗବେଷଣା ଅନୁଯାୟୀ, ଯେଉଁ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇନଥିଲେ, ଯିଏ ସଂକ୍ରମିତ ହୋଇ ଠିକ ହୋଇଥିଲେ, ଉଭୟଙ୍କ ଉପରେ କୋଭିସିଲ୍ଡ ଓ କୋଭାକ୍ସିନ ବ୍ୟବହାର ଦ୍ବାରା ପର୍ଯ୍ୟାପ୍ତ ଆଣ୍ଟିବଡି ତିଆରି ହୋଇଥିବା ମିଳିଛି। ଗବେଷଣାରେ ସାମିଲ ହୋଇଥିବା ଲୋକଙ୍କୁ ୨୮ ଦିନ ବ୍ୟବଧାନରେ ଦ୍ବିତୀୟ ଡୋଜ ଦିଆଯାଇଥିଲା। ଯାଞ୍ଚରେ ଜଣାପଡିଥିଲା କି, ଯେଉଁ ଲୋକମାନଙ୍କୁ କୋଭିସିଲ୍ଡ ଡୋଜ ଦିଆଯାଇଥିଲା ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି କୋଭାକ୍ସିନ ନେଇଥିବା ଲୋକଙ୍କ ତୁଳନାରେ ଅଧିକ ରହିଛି।