ଦ୍ବାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟଙ୍କ ନିଧନ

ଦ୍ବାରକା: ଦ୍ବାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କର ରବିବାର ନିଧନ ହୋଇଯାଇଛି। ସେ ନରସିଂହପୁରର ଝୋତେଶ୍ବର ସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ସାଢେ ତିନିଟାରେ ୯୯ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଆସନ୍ତା କାଲି ତାଙ୍କ ଅନ୍ତିମ ସଂସ୍କାର ସାଢେ ୩ଟାରେ ହେବ। ଆଜି ରାତି ଓ ଆସନ୍ତା କାଲି ତାଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ରଖାଯିବ।
ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ଦୀର୍ଘ ସମୟରୁ ଅସୁସ୍ଥ ରହିଥିଲେ। କାଲି ଆଶ୍ରମରେ ତାଙ୍କ ସମାଧି ଦିଆଯିବ। କିଛି ଦିନ ତଳେ ସେ ତାଙ୍କ ୯୯ ତମ ଜନ୍ମଦିନ ପାଳନ କରିଥିଲେ। ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ଭାଗ ନେଇ ଜେଲ ଯାଇଥିଲେ। ସେ ରାମମନ୍ଦିର ନିର୍ମାଣ ପାଇଁ ମଧ୍ୟ ଏକ ଦୀର୍ଘ ଆଇନଗତ ଲଢେଇ ଲଢିଛନ୍ତି। ଦିଗ୍ବିଜୟ ସିଂହ ତାଙ୍କ ଦିକ୍ଷିତ ଶିଷ୍ୟ ଅଟନ୍ତି।
ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି। ପିଏମ ଲେଖିଛନ୍ତି, ଦ୍ବାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ନିଧନରେ ଅତ୍ୟନ୍ତ ଦୁଖ ହୋଇଛି। ଶୋକର ଏହି କାଳରେ ତାଙ୍କ ଅନୁଗାମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା ଥିବା ସେ କହିଛନ୍ତି।
ସେହିପରି ସ୍ବରୂପାନନ୍ଦ ସରସ୍ବତୀଙ୍କ ନିଧନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି ଜ୍ୟୋତିର୍ମଠ ପୀଠର ପୀଠାଧେଶଙ୍କ ବ୍ରହ୍ମଲୀନ ସନ୍ଥ ସମାଜ ପାଇଁ ଅପୂରଣୀୟ କ୍ଷତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।