ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ପାଇଁ ଇଲେକ୍ଟ୍ରୋରାଲ ବଣ୍ଡ ଯୋଜନା ଉପରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକା ସବୁକୁ କୋର୍ଟ ତିନି ଭାଗରେ ବିଭକ୍ତ କରିଛନ୍ତି। ଏହା ଉପରେ ଅଲଗା ଅଲଗା ଶୁଣାଣି ହେବ। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ କହିଛନ୍ତି କି, ଏମିତି କୌଣସି ମୁଦ୍ଦାର ସମାଧାନ ପାଇଁ ମୌଖିକ ହଲଫନାମା ଦାଖିଲ କରି ପାରିବେ। ପୂର୍ବରୁ ହଲଫନାମା ଦାଖିଲରେ କେନ୍ଦ୍ର ବିଫଳ ହୋଇଛି। ତେଣୁ ଶେଷ ଥର ପାଇଁ କୋର୍ଟ ଚଳିତ ଫେବୃଆରୀ ମଧ୍ୟରେ ହଲଫନାମା ଦାଖଲ କରିବାକୁ ଦାଗିଦ କରିଛନ୍ତି।
ସୁପ୍ରିମ କୋର୍ଟରେ ଇଲେକ୍ଟ୍ରୋରାଲ ବଣ୍ଡକୁ ନେଇ ଦାୟର ଯାଚିକା ସବୁକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ବିଭାଗରେ ନିର୍ବାଚନୀ ବଣ୍ଡ ଯୋଜନାକୁ ଚ୍ୟାଲେଞ୍ଚ ଓ ଏଥିସମ୍ବନ୍ଧିତ ସମସ୍ତ ଯାଚିକାର ଅନ୍ତିମ ଶୁଣାଣି ମାର୍ଚ୍ଚ ତୃତୀୟ ସପ୍ତାହ ୨୦୨୩ରେ ହେବାକୁ ଥିବା ବେଳେ ଦ୍ବିତୀୟ ଭାଗରେ ରହିଛି କଣ ରାଜନୈତିକ ଦଳସବୁକୁ ସୂଚନା ଅଧିକାର ଅଧିନିୟମ ୨୦୦୫ ଅନ୍ତର୍ଗତ ଅଣାଯାଇ ପାରିବ? ଏହି ସବୁ ଯାଚିକାର ଶୁଣାଣି ଏପ୍ରିଲ ପ୍ରଥମ ସପ୍ତାହରେ ହେବ। ସେହିପରି, ତୃତୀୟ ବିଭାଗରେ ରହିଛି ୨୦୧୬ ଓ ୨୦୧୮ର ଆର୍ଥିକ ଅଧିନିୟମ ମାଧ୍ୟମରେ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ, ୨୦୧୦ରେ ସଂଶୋଧନକୁ ଚ୍ୟାଲେଞ୍ଜ ଯାଚିକା । ଏହି ଯାଚିକା ଉପରେ ଏପ୍ରିଲ ମଧ୍ୟଭାଗରେ ହେବାକୁ ଯାଉଛି ଶୁଣାଣି।
ଯାଚିକା ସମ୍ପର୍କରେ କୁହାଯାଇଛି କି, ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳସବୁକୁ ମିଳୁଥିବା ଚାନ୍ଦାର ଉତ୍ସ୍ୟ ଜଣାପଡୁନାହିଁ। ଏହା ଲୋକତନ୍ତ୍ର ପାଇଁ ଘାତକ। ସେପଟେ କେନ୍ଦ୍ର ସରକାର ଯୋଜନାର ରକ୍ଷା କରିବାକୁ ଯାଇ କହିଛନ୍ତି କି, ଏହା ଏକ ପାରଦର୍ଶୀ ଯୋଜନା। ଏଥିରୁ ଲୋକତନ୍ତ୍ରକୁ କୌଣସି ବିପଦ ନାହିଁ।
ଗତ ଶୁଣାଣି ସମୟରେ ଏସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମର ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ କି, ବଣ୍ଡ ମାଧ୍ୟମରେ ଏକ ବଡ ଭ୍ରଷ୍ଟାଚାରକୁ ବୈଧ କରି ଦିଆଯାଇଛି ଓ ରାଜନୈତିକ ଫଣ୍ଡିଂରେ ପାରଦର୍ଶିତା ରଖାଯାଇ ନାହିଁ। ମନି ବିଲ ମାଧ୍ୟମରେ କିପରି ସଂଶୋଧନ ଅଣାଯାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶାନ୍ତ ଭୂଷଣ। ସେ ଆହୁରି କହିଛନ୍ତି କି, ଏହା ଦ୍ବାରା ଇଲେକ୍ଟ୍ରୋରାଲ ବଣ୍ଡ ମାମଲା ଅଧିକ ଗୋଳିଆ ହୋଇଯାଉଛି। କାରଣ ଆରଟିଆଇ ଓ ଏଫସିଆରଏ ସଂଶୋଧନ ବିଧେୟକକୁ ଆର୍ଥିକ ବିଧେୟକ ସଦୃଶ ସଂସଦରେ ପାସ କରାଯାଇଛି। ଏହା ଉପରେ କୌଣସି ଯୁକ୍ତି, ଯାଞ୍ଚ ହୋଇନାହିଁ।
କପିଲ ସିବଲ ମଧ୍ୟ କହିଥିଲେ କି, ଏପରି ହେବା ପରେ ବର୍ତ୍ତମାନ ଜଣାପଡୁ ନାହିଁ କି, କିଏ, କାହାକୁ କେତେ ଚାନ୍ଦା ଦେଉଛି। ଏହି ବ୍ୟବସ୍ଥା ଲୋକତନ୍ତ୍ରକୁ ନଷ୍ଟ କରୁଛି। ଏହା ପାର୍ଟିଗୁଡିକୁ ଚାନ୍ଦା ଦେବାକୁ ହୋଇଥିବା ଧାରା ୩୨୪ ଉପରେ କି ପ୍ରଭାବ ପକାଉଛି ତାହା ମଧ୍ୟ ଜଣାପଡୁ ନାହିଁ।