ଜାତୀୟ

ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ନୀତି ସମ୍ୱିଧାନର ଉଲ୍ଲଂଘନ କରୁନି

() ଆର୍ଥିକ ଅନଗ୍ରସରଙ୍କ ପାଇଁ ଜାରି ରହିବ ସଂରକ୍ଷଣ। ଉଭୟ ସରକାରୀ ଚାକିରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ୨୦୧୯ରେ କେନ୍ଦ୍ର ସରକାର ଆଣିଥିବା ସଂରକ୍ଷଣ ନୀତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ଗଠିତ ୫ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣୀ ହୋଇଥିଲା। ୩ ବିଚାରପତି ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି।

ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ନୀତି ସମ୍ୱିଧାନର ଉଲ୍ଲଂଘନ କରୁନି। ସେଥିଲାଗି ଉଭୟ ସରକାରୀ ଚାକିରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଅନଗ୍ରସରଙ୍କ ଲାଗି ସଂରକ୍ଷଣ ନୀତି ଲାଗୁ ଉପରେ କେନ୍ଦ୍ର ନେଇଥିବା ନିଷ୍ପତ୍ତି ଯଥାର୍ଥ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ଇଡବ୍ଲଏସଙ୍କ ଲାଗି ୧୦ ପ୍ରତିଶତ କୋଟା ଜାରି ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ଗଠିତ ୫ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣୀ ହୋଇ ରାୟ ପ୍ରକାଶ ପାଇଛି। ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ବିଚାରପତି ସଂରକ୍ଷଣକୁ ସମର୍ଥନ ଜଣାଇଛନ୍ତି। ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜେବି ପର୍ଦ୍ଦିଓ୍ୱାଲା ଓ ବେଲା ତ୍ରିବେଦୀ ସଂରକ୍ଷଣକୁ ସମର୍ଥନ କରିଛନ୍ତି।

କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଳିତ ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଏହାକୁ ସମର୍ଥନ କରିନଥିଲେ। ପ୍ରଥମେ ଜଷ୍ଟିସ ଦିନେଶ ମାହେଶ୍ୱରୀ ନିଜର ମତ ଦେଇଥିଲେ। ଜଷ୍ଟିମ ମାହେଶ୍ୱରୀ କହିଥିଲେ କି, ଇଡବ୍ଲୁଏସ କୋଟା ଲାଗି ୩ ଟି ଦିଗ ଗୁରୁତ୍ୱପୂର୍ଣ୍ଣ। ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଲାଗି ସଂରକ୍ଷଣ ସବୁଠୁ ବଡ଼ ଅସ୍ତ୍ର କି। ଅଥବା ଆର୍ଥିକ ସ୍ଥିତି ସଂରକ୍ଷଣ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ସଂରକ୍ଷଣ ୫୦ ପ୍ରତିଶତ ଡେଇଁବନି ବୋଲି ଯେଉଁ ସୀମା ଅଛି, ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ଯୋଡ଼ିଲେ, ଏହାର ବ୍ୟତିକ୍ରମ ହେବ କି। ସେଥିଲାଗି ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣ ଲାଗୁ କଲେ ଏହା ସମ୍ୱିଧାନକୁ ଉଲ୍ଲଂଘନ କରିବନି। ନା ଏହା ସମାନତା କୋଡକୁ ଉଲ୍ଲଂଘନ କରିବ ନା ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବ। ସେଥିଲାଗି ୫୦ ପ୍ରତିଶତ ସଂରକ୍ଷଣ ସିଲିଂକୁ ଏହା ଟପିଲେ ବି ଏହା ସଂରକ୍ଷଣ ବ୍ୟବସ୍ଥାରେ ବିଶୃଙ୍ଖଳା କରିବନି। ଜଷ୍ଟିସ ତ୍ରିବେଦୀ ବି ଜଷ୍ଟିସ ମାହେଶ୍ୱରୀଙ୍କୁ ସମର୍ଥନ କରି କହିଥିଲେ କି, ସ୍ୱାଧୀନତାର ୭୫ ବର୍ଷ ପରେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମକୁ ଆଉ ଥରେ ସଂରକ୍ଷଣ ବ୍ୟବସ୍ଥା ଉପରେ ଆଖି ପକାଇବା ଜରୁରୀ ହୋଇପଡ଼ିଛି। କିନ୍ତୁ ସଂରକ୍ଷଣର ସମୟସୀମା ବି ରହିବା ଦରକାର।

ସଂରକ୍ଷଣକୁ ନେଇ ସମ୍ୱିଧାନ ପ୍ରସ୍ତୁତ କରିଥିବା ନୀତିନିର୍ଦ୍ଧାରକ ସମୟସୀମା ଧାର୍ଯ୍ୟ କରିନଥିବାରୁ ସ୍ୱାଧୀନତାର ୭୫ ବର୍ଷ ପରେ ବି ଯେଉଁ ଉଦେଶ୍ୟ ରଖି ସଂରକ୍ଷଣ ଲାଗୁ ହୋଇଥିଲା, ତାହା ଏବେ ବି ତାହାର ଲକ୍ଷ୍ୟ ପୂରଣ କରିପାରିଲାନି। ସଂସଦ ହେଉ ଅବା ବିଧାନସଭାରେ ଅନୁସୂଚିତ ଜାତି, ଜନଜାତିଙ୍କ ପ୍ରତିନିଧିତ୍ୱ ଧାର୍ଯ୍ୟ ସମୟସୀମା ଭିତରେ ସରିବାର ଥିଲା।  ସଂସଦରେ ଆଙ୍ଗ୍ଲୋ ଇଣ୍ଡିଆନଙ୍କର ପ୍ରତିନିଧିତ୍ୱ ଯେମିତି ସରିଛି। ସେଥିଲାଗି ସଂରକ୍ଷଣରେ ସମୟସୀମା ଅପରିହାର୍ଯ୍ୟ ବୋଲି କହିଛନ୍ତି ଜଷ୍ଟିସ ବେଲା ତ୍ରିବେଦୀ। ସମ୍ୱିଧାନର ୧୦୩ତମ ସଂଶୋଧିତ ନିୟମର ବୈଧତା ସେଥିଲାଗି ଜରୁରୀ। ଇଡବ୍ଲୁଏସଙ୍କୁ ଭିନ୍ନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ଯଥେଷ୍ଟ କାରଣ ରହିବା ଜରୁରୀ। ଅସମାନତା ଭିତରେ ସମାନତା ଭଳି ଏମାନଙ୍କୁ ବ୍ୟବହାର କରିବା ହିଁ ସମ୍ୱିଧାନର ଉଲ୍ଲଂଘନ ଅଟେ। ଇଡବ୍ଲଏସ କ୍ୟାଟେଗୋରୀଙ୍କ ଲାଗି ସଂରକ୍ଷଣ ଲାଗୁ ପାଇଁ ରାଜ୍ୟ ବି ସଂଶୋଧନ ପ୍ରସ୍ତାବ ଧରି ଆଗେଇଆସିବା ଦରକାର। କିଏ ଆର୍ଥିକ ଦୁର୍ବଳବର୍ଗରେ ଯାଉଛି, ସେ ନେଇ ତାଲିକାରେ ସ୍ପଷ୍ଟ କରିବା ଜରୁରୀ।

ସାମାଜିକ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗଙ୍କୁ ସଂରକ୍ଷଣରୁ ବାହାର କରିବା ଅର୍ଥ, ଏହା ସେମାନଙ୍କ ପ୍ରତି ଭେଦଭାବ ସହ ସମ୍ୱିଧାନ ବିରୋଧୀ ଭାବେ ପରିଗଣିତ ହେବ। ଜଷ୍ଟିସ ମାହେଶ୍ୱରୀ ଓ ଜଷ୍ଟିସ ତ୍ରିବେଦୀଙ୍କ ଉକ୍ତିକୁ ସମର୍ଥନ କରିଥିଲେ ଅନ୍ୟ ଜଣେ ବିଚାରପତି ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା। ଜଷ୍ଟିସ ପର୍ଦ୍ଦିଓ୍ୱାଲା କହିଥିଲେ କି, ସଂରକ୍ଷଣ ସରିବନି। ଏହାର ଅର୍ଥ ସଂରକ୍ଷଣକୁ ନ୍ୟସ୍ତସ୍ୱାର୍ଥ ଦୃଷ୍ଟିରୁ ଅନୁମତି ମିଳିବା ଉଚିତ ନୁହେଁ। ଅର୍ଥାତ୍ ସଂରକ୍ଷଣ  ଅନିର୍ଦ୍ଦିଷ୍ଟ କାଳ ଧରି ଜାରି ରହିବା ସମୀଚିନ ନୁହେଁ। ସେପଟେ ୫ ଜଣ ବିଚାରପତିଙ୍କ ଭିତରୁ ଏହି ୩ ବିଚାରପତି ସଂରକ୍ଷଣ ସପକ୍ଷରେ ରାୟ ଦେଇଥିଲା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଏସ.ରବୀନ୍ଦ୍ର ଭଟ୍ଟ ଏଥିରେ ସହମତ ହୋଇନଥିଲେ। ଜଷ୍ଟିସ ଭଟ୍ଟ କହିଥିଲେ କି, ଏସଇବିସିଙ୍କ ଭିତରେ ଥିବା ଗରିବଙ୍କୁ ତାଲିକାରୁ ବାଦ୍ ଦେବା ଭୁଲ୍ ହେବ। ସଂରକ୍ଷଣ ସହାୟତା ନାଁରେ ଏହା ଯେମିତି ଫ୍ରି-ପାସ୍ ନ ସାଜୁ। ବରଂ ଏହା ବାଧ୍ୟବାଧକତାର ମେକାନିଜିମ ଭଳି ଦୃଶ୍ୟମାନ ହେବା ଦରକାର। ସମ୍ୱିଧାନ ଭେଦଭାବକୁ ପ୍ରଶ୍ରୟ ଦିଏନା। ଆର୍ଥିକ ଦୁର୍ବଳ ବର୍ଗ ଭିତରେ ଥିବା ଅନୁସୂଚିତ ଜାତି, ଜନଜାତି କି ଓବିସିଙ୍କୁ ବାଦ୍ ଦେବା ସମ୍ୱିଧାନ ବିରୋଧୀ ହେବ।

ଏକ୍ସକ୍ଲୁଜନ କ୍ରାଇଟେରିଆ ସମାନତା କୋଡର ଉଲ୍ଲଂଘନ କରିବ। ସେଥିଲାଗି ସଂରକ୍ଷଣ ଲାଗୁ ନେଇ ସଂଶୋଧିତ ନିୟମ ଯଦିଓ ବୈଧ କିନ୍ତୁ ଏଥିରେ ଥିବା ଅନେକ ଅସଙ୍ଗତିକୁ ଦୂର କରିବା ବି ଜରୁରୀ। ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିବା ହିଁ ବିଶୃଙ୍ଖଳା। ତାମିଲନାଡ଼ୁ ପଛୁଆ ବର୍ଗ ସଂଶୋଧନ ନିୟମ ଯେମିତି ଉଲ୍ଲଂଘନର ଚରମ ନିଦର୍ଶନ। ଯେତେବେଳେ ସମାନତା ଅଧିକାର ସଂରକ୍ଷଣ ଅଧିକାରରେ ବଦଳିଯିବ ଆଉ ଆମକୁ ବହୁତ ପଛକୁ ଠେଲିଦେବ, ତା ଉପରେ ଭାବିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ। ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ କି, କେହି ଯଦି ନିଜ ଧର୍ମ ଭିତରେ ଅନ୍ୟମାନଙ୍କୁ ଧ୍ୱଂସ କରି ଏକା ବଞ୍ଚିବାକୁ ସ୍ୱପ୍ନ ଦେଖୁଥାଏ , ତାହା ହେଲେ ତାଠୁ ଆଉ କିଛି ବିଡ଼ମ୍ୱନା ନାହିଁ। ସିହ୍ନୋ କମିଶନ ଦେଇଥିବା ରିପୋର୍ଟର ଅବତାରଣା କରିଥିଲେ।

କିଭଳି ୨୦୦୧ ଜନଗଣନା ଅନୁସାରେ ୩୮ ପ୍ରତିଶତ ଏସସି, ୪୮ ପ୍ରତିଶତ ଏସଟି ଗରିବ ସୀମାରେଖା ତଳେ ଅଛନ୍ତି। ସେଥିଲାଗି ଆର୍ଥିକ ସ୍ଥିତି ଆଧାରରେ ସଂରକ୍ଷଣ ଲାଗୁ ଅନୁମତି ଦିଆଯିବା ଦରକାର। କିନ୍ତୁ ଏଥିଲାଗି ଏସସି, ଏସଟି, ଓବିସିଙ୍କୁ ବାଦ୍ ଦେବା ଓ ସେମାନେ ଏକଚାଟିଆ ଭାବେ ସଂରକ୍ଷଣ ସୁବିଧା ନେଉଛନ୍ତି କହିବା ଠିକ୍ ନୁହେଁ। ଆଉ ଜଷ୍ଟିସ ଭଟ୍ଟଙ୍କ କଥାକୁ ସମର୍ଥନ କରିଥିଲେ ପ୍ରଧାନ ବିଚାରପତି। ଯେହେତୁ ସଂଖ୍ୟାଗରିଷ୍ଠ ବିଚାରପତି ସଂରକ୍ଷଣ ସପକ୍ଷରେ ମତ ଦେଇଥିଲେ, ସେଥିଲାଗି ଇଡବ୍ଲୁଏସ କୋଟା ଜାରି ରହିବ ବୋଲି ଐତିହାସିକ ରାୟ ପ୍ରକାଶ ପାଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button