ଜାତୀୟ

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ରେଡ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ ରେଡ। ସୋମବାର ଦିନ ଫ୍ଲୋରିଡାର ପାମ୍ ବିଚ ସ୍ଥିତି ଟ୍ରମ୍ପଙ୍କ ମାର୍-ଏ-ଲାଗୋ ଘରେ ଏଫବିଆଇ ଚଢାଉ କରିବା ସହିତ ଘରକୁ ସିଜ୍ କରିଛି। ଏନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି।    ରିପୋର୍ଟ ଅନୁସାରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହ୍ୱାଇଟ ହାଉସ ଛାଡିଥିବା ବେଳେ ତାଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଫ୍ଲୋରିଡା ସ୍ଥିତ ଘରକୁ ନେଇ ଯାଇଥିବା ଅଭିଯୋଗ ହୋଇଛି। ହେଲେ ଏହି ରେଡ ଉପରେ ଭିନ୍ନ ମତ ଦେଇଛନ୍ତି ଟ୍ରମ୍ପ । ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି ଯେ, ଆମ ଦେଶ ପାଇଁ ଏହା ଏକ  କଳା ଦିବସ। ଆମେରିକା ରାଷ୍ଟ୍ରପତିଙ୍କ ସହ ଏହା କେବେ ହୋଇନାହିଁ। ଅନୁସନ୍ଧାନରେ ସହଯୋଗ ପରେ ମଧ୍ୟ ଏଭଳି ଚଢାଉ କରାଯାଇଥିଲା। ଏହା ନ୍ୟାୟିକ ବ୍ୟବସ୍ଥାର ଅପବ୍ୟବହାର ପରି। ଯେହେତୁ ମୋର ସୁନ୍ଦର ଘର ଫ୍ଲୋରିଡାର ପାମ୍ ବିଚ୍ ସ୍ଥିତ ମାର୍-ଏ-ଲାଗୋ ରହିଛି। ସେଥିପାଇଁ ମୋ ଘରକୁ ସିଜ୍‌ କରାଯାଇଛି।

ସେପଟେ ଆମେରିକାର ନ୍ୟାୟିକ ବିଭାଗ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୋମବାର ସକାଳେ ଚଢାଉ ହୋଇଥିଲା। ଯାହା କି ଅନେକ ଘଣ୍ଟା ଧରି ଚାଲିଥିଲା। ଚଢାଉ ବେଳେ ଉକ୍ତ ଘରେ ଟ୍ରମ୍ପଙ୍କ ସମେତ ତାଙ୍କର ଦୁଇ ଜଣ ଓକିଲ ମଧ୍ୟ ଉପସ୍ଥିତ ଥିଲେ। ତେବେ ଟ୍ରମ୍ପଙ୍କ ବାସଭବନରେ ହୋଇଥିବା ଚଢାଉ ସର୍ମ୍ପକରେ ଆମେରିକା ନ୍ୟାୟିକ ବିଭାଗ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।

ଟ୍ରମ୍ପ କହିଛନ୍ତି ଯେ, ବହୁ ସଂଖ୍ୟକ ଏଫବିଆଇ ଏଜେଣ୍ଟ ମାର-ଏ-ଲାଗୋ ଘରେ ଚଢାଉ କରିଛନ୍ତି। ଏହା ହେଉଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅସଦାଚରଣ। ଏହା ହେଉଛି ନ୍ୟାୟିକ ବିଭାଗର ଓ ରେଡିକାଲ ଲେପ୍ଟ ଡେମୋକ୍ରାଟ୍ସଙ୍କ ମୋ ବିରୋଧରେ ଚକ୍ରାନ୍ତ। ଯେଉଁମାନେ ଚାହୁଁଛନ୍ତି ଯେ, ୨୦୨୪ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ମୁଁ ପ୍ରାର୍ଥୀ ହୋଇପାରିବି ନାହିଁ। ତେବେ ସେ ବିରୋଧୀ ଦଳଙ୍କୁ ଟାର୍ଗେଟ କରି ଏସବୁ କହିଛନ୍ତି। ଏଫବିଆଇ ପକ୍ଷରୁ ଏହି ଚଢାଉ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ଆମେରିକାର ନ୍ୟାୟିକ ବିଭାଗ ଦ୍ୱାରା ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତଦନ୍ତ ଚାଲିଛି। ଯେତେବେଳେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଛାଡିଥିଲେ, ସେତେବେଳେ ସେ ବାକ୍ସରେ କାଗଜପତ୍ର ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହେଇଛି ଯେ, ଡୋନାଲ୍ଡ ସେହି ବାକ୍ସଗୁଡିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଭର୍ତ୍ତି କରି ନେଇଥିଲେ। ଟ୍ରମ୍ପଙ୍କ ନିକଟରେ ଜାତୀୟ ଅଭିଲେଖାଗାରର ପ୍ରାୟ ୧୫ଟି ବାକ୍ସ ଥିବା ଅଭିଯୋଗ ହୋଇଥିଲା।

ସେପଟେ ବ୍ୟବସାୟିକ ଅନୁସନ୍ଧାନ ନ୍ୟୁୟର୍କରେ ଚାଲିଥିବା ବେଳେ ଜର୍ଜ୍ଜିଆ ରାଜ୍ୟରେ ୨୦୨୦ ନିର୍ବାଚନ ଫଳାଫଳକୁ ଓଲଟାଇବାକୁ ଚେଷ୍ଟା କରାଯାଇଥିବା ମଧ୍ୟ ଯାଞ୍ଚ ହେଉଛି।

ସୂଚନା ମୁତାବକ, ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାରି ଯାଇଥିଲେ। ଏହା ପରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ପୁଣିଥରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଟ୍ରମ୍ପଙ୍କ ଦ୍ୱାରା କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ। କିନ୍ତୁ ତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ, ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନ ମୂଲ୍ୟାୟନ ୪୦ ପ୍ରତିଶତ ତଳକୁ ଖସି ଆସିଛି। ଏହି କାରଣରୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟର ଆଶା ଡୋନାଲ୍ଡ ଟ୍ରମ୍ପଙ୍କର ଆହୁର ବୃଦ୍ଧି ପାଇଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button