ଜାତୀୟ

ପଦାରେ ପଡିଲା କେସିଆର-ସୁନ୍ଦରରାଜନ କଳି

() ଗଣତନ୍ତ୍ର ଦିବସ ଅବସରରେ ତେଲେଙ୍ଗାନା ରାଜ୍ୟପାଳ ତାମିଲାସାଇ ସୁନ୍ଦରରାଜନ ହାଇଦ୍ରାବାଦର ରାଜଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଯୋଗ ଦେଇନାହାନ୍ତି। ତେବେ ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା କଥା, କିନ୍ତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିବାରୁ ଅନେକ ପ୍ରଶ୍ନ ଉଠିଛି। 

ପଦାରେ ପଡିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ। ଆଜି ଗଣତନ୍ତ୍ର ଦିବସକୁ ସାରା ଦେଶ ଧୁମଧାମରେ ପାଳନ କରୁଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଂସଦ ଭବନ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ହେଲେ ରାଜନୈତିକ ବିବାଦ କାରଣରୁ ଆଜି ତେଲେଙ୍ଗାନାରେ ଦେଖିବାକୁ ମିଳିଛି ବିବାଦୀୟ ଦୃଶ୍ୟ। ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମିଳିତ ଭାବେ ରାଜଭବନ ପରିସରରେ ପତାକା ଉତ୍ତୋଳନ କରିବାର ବିଧି ଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ଗୁରୁବାର ଦିନ ତେଲେଙ୍ଗାନା ରାଜଭବନ ପରିସରରେ ଆୟୋଜିତ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଏକାକୀ ପତାକା ଉତ୍ତୋଳନ କରିଛନ୍ତି। ଏହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି। ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ହାଇଦ୍ରାବାଦ ଠାରେ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ଗୋଲଡେନ ଗ୍ଲୋବସ ପୁରସ୍କାର ବିଜେତା ଓ ଓସ୍କାର ନାମାଙ୍କିତ ନାଟୁ ନାଟୁ ଗୀତର ସଂଗୀତକାର ଏମଏମ କେରାବନୀ ଓ ଗୀତିକାର ଚନ୍ଦ୍ରବୋଷଙ୍କୁ ସମ୍ମାନୀତ କରିଛନ୍ତି। ଏହା ପୂର୍ବରୁ ସେ ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଅପେକ୍ଷା କରିଥିଲେ ବି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ପହଞ୍ଚିନଥିବା ଦେଖିବାକୁ ମିଳିଥିଲା।

ତେଲେଙ୍ଗାନା ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି କାରଣରୁ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ଯେଉଁ ଭାଷଣ ପଢିଥାନ୍ତି ତାହାକୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରି ପ୍ରଦାନ କରାଯିବାର ନିୟମ ଥିଲେ ବି ତେଲେଙ୍ଗାନା ସରକାର ରାଜ୍ୟପାଳଙ୍କୁ ଏହି ଭାଷଣ ପଠାଇନଥିଲେ। ସେପଟେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳ ବିଧାନସଭାର ଉଭୟ ସଦନରେ ସମ୍ୱୋଧିତ କରିବାର ପରମ୍ପରା ଥିଲେ ବି ଏଥର ରାଜ୍ୟପାଳ ସଦନକୁ ସମ୍ୱୋଧିତ କରିବେ ନାହିଁ ବୋଲି ଜଣାପଡିଛି। କେସିଆର ସରକାରଙ୍କୁ ନେଇ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଅଭିଯୋଗ କରିଛନ୍ତି କି କାର୍ଯ୍ୟାଳୟ ସମ୍ପର୍କିତ ପ୍ରୋଟୋକଲ ପାଳନ କରାଯାଉନାହିଁ। ଏହା ସହ କେସିଆର ସରକାରଙ୍କ କିଛି ବିଧାୟକଙ୍କ ନାମରେ ମଧ୍ୟ ରାଜ୍ୟପାଳଙ୍କର ଅଭିଯୋଗ ରହିଛି।

ଗୋଟିଏ ପଟେ ରାଜଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସିକନ୍ଦରାବାଦରେ ବିରୁଲା ସୈନିକ ସ୍ମାରକ ମଇଦାନରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button