ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ

ସିମଲା: ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭାରି ବର୍ଷାର ବିତ୍ପାତ। ମଣ୍ଡି ଜିଲ୍ଲାରେ ପ୍ରବଳବର୍ଷା କାରଣରୁ ବନ୍ୟା ସ୍ଥିତି ଉତ୍କଟ ହେବାରେ ଲାଗିଛି। ଭୂସ୍ଖଳନ ପାଇଁ ଚମ୍ବା,ଧର୍ମଶାଳା ସମେତ ବହୁ ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଛି। ହିମାଚଳରୁ ନେଇ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ଚାରିଆଡେ ଆତଙ୍କ ଖେଳି ଯାଉଛି। ଦୁଇ ପାହାଡିଆ ରାଜ୍ୟର ବହୁ ସହରରେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।
ଭାରି ବର୍ଷା କାରଣରୁ ରାସ୍ତା ଉପରେ ପାହାଡ ଖସିବାରୁ ଯାତାୟାତ ବାଧା ପ୍ରାପ୍ତ ହୋଇଛି। ବହୁ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ହିମାଚଳ ପ୍ରଦେଶର ଚମ୍ବାରେ ରେଳବାଇ ପୋଲ ଭାସି ଯାଇଛି, ମଣ୍ଡିରେ ବାଦଲ ଫଟା ବର୍ଷା ହୋଇଛି। ପ୍ରବଳବର୍ଷା କାରଣରୁ ଡେରାଡୁନର ମାଲଦେବତା କ୍ଷେତ୍ରରେ ବାଦଲ ଫାଟିବାର ସୂଚନା ମଧ୍ୟ ରହିଛି।
ହିମାଚଳରେ ପ୍ରବଳବର୍ଷା ମଧ୍ୟରେ ଅଚାନକ ଆସିଥିବା ବନ୍ୟା ଓ ବହୁ ସ୍ଥାନରେ ଭୂସ୍ଖଳନର କାରଣ ହୋଇଛି। ମଣ୍ଡି ଜିଲ୍ଲାରେ ବହୁ ସ୍ଥାନରେ ରାସ୍ତା ଉପରେ ପାହାଡରୁ ପଥର ଖସି ରାସ୍ତା ଅବରୋଧ ହୋଇଛି। ବଳ୍ହ, ସଦର, ଥୁନନାଗ, ମଣ୍ଡି, ଲାମାଥଚରେ ଅଚାନକ ଆସିଥିବା ବନ୍ୟାରେ ଘର, ଦୋକାନ ସବୁ ପାଣିରେ ଏକାକାର ହୋଇ ଯାଇଛି। ହିମାଚଳପ୍ରଦେଶରେ ଭାରି ବର୍ଷା ପାଇଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି।

ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବଳ ଆଲର୍ଟରେ ରହିଛନ୍ତି। ମଣ୍ଡିରେ କିଛି ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ରେସ୍କ୍ୟୁ ଯବାନ ନିୟୋଜିତ ହୋଇଛନ୍ତି। ଡେରାଡୁନର ଥାନେ ଓ ରାୟପୁର ରାସ୍ତା ମଝିରେ ପୋଲ ଭାସି ଯାଇଛି, ଯେଉଁଥିରେ ଜଣେ ବ୍ୟକ୍ତି ଫସି ରହିଥିବା ବେଳେ ତାଙ୍କୁ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କରିଛି।
ଦେରାଦୁନରେ ଭାରି ବର୍ଷା କାରଣରୁ ଜୌଲିଗ୍ରାଣ୍ଟ ବିମାନ ବନ୍ଦରେ ବନ୍ୟା ଜଳ ପହଞ୍ଚି ଯାଇଛି। ଏୟାରପୋର୍ଟ ରାସ୍ତା ଜଳାନ୍ନବ ହେବାରୁ ନଦୀର ଭ୍ରମ ସୃଷ୍ଟି କରୁଛି। ସେହିପରି ଟାପକେଶ୍ବର ମହାଦେବ ମନ୍ଦିର ବନ୍ୟା ଘେରରେ ରହିଛି। ନଦୀରେ ବନ୍ୟା ଜଳ ଲହଡି ଭାଙ୍ଗିଥିବା ବେଳେ ପଞ୍ଜାବ ଓ ହିମାଚଳକୁ ଯୋଗକରୁଥିବା ରେଳ ଲାଇନ ଭାସି ଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ତିନି ଦିନ ଯାଏ ବର୍ଷାର ମାତ୍ରା କମିବ। ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କାଙ୍ଗଡା, କୁଲ୍ଲୁ, ମଣ୍ଡି, ସିମଲା, ସୋଲନ, ସେରମୌର, ଉନା, ହମୀରପୁର ଓ ବିଳାସପୁରରେ ଭାରି ବର୍ଷାର ସମ୍ଭାବନା ଦେଖାଦେଇଛି।