ଓଡ଼ିଶାଶିକ୍ଷା/ଗବେଷଣା

ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମାଲକାନଗିରି ଜିଲ୍ଲାର ୨ ଶିକ୍ଷକ

ମାଲକାନଗିରି : ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ୨ ଜଣ ଶିକ୍ଷକ ପାଇଛନ୍ତି ଓଇଏସ୍ । ସେ ଦୁଇ ଜଣ ହେଲେ ମାଲକାନଗିରି ବ୍ଲକ ଏମଭି- ୭ ଗ୍ରାମର ସୁମିତ ବିଶ୍ୱାସ ଓ ପଡିଆ ବ୍ଲକ ନିଲିଗୁଡା ପଂଚାୟତ ଉସକାଲବାଗ ଗ୍ରାମର ଆଦିବାସୀ ଯୁବକ ସୁକାନ୍ତ କାର୍ତାମି । ସେମାନଙ୍କର ଏହି ଅଭୂତପୂର୍ବ ସଫଳତା ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି ।

ମାଲକାନଗିରି ଜିଲ୍ଲା ତମସା ପଂଚାୟତ ଏମଭି -୭ ଗ୍ରାମର ସ୍ୱର୍ଗତ ରେବତୀ ବିଶ୍ୱାସ ଓ ମାତା ମଞ୍ଜୁ ବିଶ୍ୱାସଙ୍କ ସୁପୁତ୍ର ହେଉଛନ୍ତି ସୁମିତ ବିଶ୍ୱାସ । ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ସୁମିତ ୧୦୧ ରାଙ୍କ ରଖି ସଫଳତାର ସହିତ ଓଇଏସ ପାଇଛନ୍ତି । ସେ ବର୍ତମାନ ପୋଟେରୁ ପୁଲିମେଟଲା ଏମପିଭି -୬ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ମାମୁଁ ସାଧନ ସରକାରଙ୍କ ଘରେ ରହି ପାଠ ପଢିଥିଲେ । ତାଙ୍କ ସଫଳତା ପଛରେ ମାମୁଁ ସାଧନ, ମାଇଁ ରିନା ସରକାର ଓ ପତ୍ନୀ ସଂଗୀତା ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି । ଏହା ବ୍ୟତୀତ ବିଦ୍ୟାଳୟର ଶିକ୍ଷକ ସାଙ୍ଗ ସାଥିଙ୍କ ପ୍ରେରଣା ଯୋଗୁ ସେ ଓଇଏସ ପାଇ ପାରିଛନ୍ତି ବୋଲି ସୁମିତ କହିଛନ୍ତି ।

ସେହିପରି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ ନିଲିଗୁଡା ପଂଚାୟତ ଦୁର୍ଗମ ଅପହଂଚ ମାଓ ପ୍ରବଣ ଉସକାଲବାଗ ଗ୍ରାମର କୋୟା ଆଦିବାସୀ ସମ୍ପ୍ରଦାୟର ଆଇତା କାର୍ତାମିଙ୍କ ସୁପୁତ୍ର ସୁକାନ୍ତ କାର୍ତାମି । ସେ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ୧୩୬ ରାଙ୍କ ରଖି ସଫଳତାର ସହିତ ଓଇଏସ ପାଇଛନ୍ତି । ସେ ବର୍ତମାନ ମାଲକାନଗିରି ବ୍ଲକ ପାଙ୍ଗମ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ସୁମିତ ଓ ସୁକାନ୍ତ ଦୁହେଁ ନିମ୍ନ ମଧ୍ୟବିତ ଚାଷୀ ପରିବାରରୁ ଆସିଥିବାରୁ ସେମାନଙ୍କର ଏହି ସଫଳତାରେ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ସୁମିତ ଓ ସୁକାନ୍ତ ଓଇଏସ ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

Leave a Reply

Your email address will not be published.

Back to top button