Kendujhar

କେନ୍ଦୁଝରରେ ବିନା ଅନୁମତିରେ ଚାଲିଛି ହଟ୍ ମିକ୍ସ ପ୍ଲାଂଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବାଂଶପାଳ ତହସିଲ ସାହାରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦାକସଡା ଗ୍ରାମରେ ବିନା ଅନୁମତିରେ ହଟ ମିକ୍ସ ପ୍ଲାଂଟ ଚାଲିଥିଲେ ହେଁ କାହାର ନଜର ନପଡିବା ସ୍ୱଭାବିକ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୀର୍ଘ ବର୍ଷ ଚାଲିବା ପରେ ଗତ ମାସ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟ ନଜର କୁ ଆସିବା ପରେ ତାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି ହଟ୍ ମିକ୍ସ ପ୍ଳାଂଟକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି । ଏହି ପିଚୁ ପ୍ଳାଂଟରୁ କଳା ଧୂଆଁ ବହୁ ପରିମାଣର ନିର୍ଗତ ହୋଇ ବାୟୁ ମଣ୍ଡଳକୁ ଦୂଷିତ କରୁଛି । ଏହାକୁ କାରଖାନା ବସାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସିଟିଓ ଏବଂ ଜିଲ୍ଲା ପ୍ରଶାସନ ଠାରୁ ଏନଓସି ନିଆଯାଇନଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଂଶପାଳ-କୁଅଁର ରାସ୍ତାର ପଦାକସଡା ଗ୍ରାମରେ ଦିନ ରାତି ଏହି ପିଚୁ କାରଖାନା ଚାଲିଥିବାରୁ ନିକଟସ୍ଥ କରଙ୍ଗାଡିହି, ପଦାକସଡା ଏବଂ ଅଣସୁଆଁ ଗାଁ ବାୟୁ ପ୍ରଦୂଷଣର ଶୀକାର ହେଉଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ହଟ୍ ମିକ୍ସ ପ୍ଲାଟଂଣ୍ଟ ପ୍ରତିଷ୍ଠା ହେବା ଏବଂ ଚାଲିବା ଘଟଣାରେ ପରିବେଶ ସୁରକ୍ଷା ଆଇନ ୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହୋଇଛି । ପିଚୁ ପ୍ଲାଂଟର ୫୦୦ ମିଟର ମଧ୍ୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପରିଚାଳିତ କରଙ୍ଗାଡିହି ଆଶ୍ରମ ସ୍କୁଲ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ଗ୍ରାମ ପଂଚାୟତ ଭୂୟାଁ ଉଚ୍ଚ ବିଦ୍ୟାଳୟ ରହିଥିଲେ ହେଁ ପ୍ରଶାସନ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ପିଚୁ ପ୍ଳାଂଟ ସ୍ଥାପନ ଯୋଗୁଁ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରୁଥିବାରୁ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ଦୁର୍ବିସହ ହୋଇପଡିଥିବା ଅଭିଯୋଗ ହୋଇଛି । ଅଂଚଳର ଚାରଣଭୂମି ଉପରେ ତଥା ଗୁଣ୍ଡ ଘାସ ଲତା ଉପରେ କଳା ଗୁଣ୍ଡ ପଡୁଥିବାରୁ ଏହାକୁ ଖାଇ ଗାଈଗୋରୁ ମାନେ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାଛଡା ବାୟୁରେ ଉଡୁଥିବା ଗୁଣ୍ଡ ଯୋଗୁଁ ଲୋକମାନଙ୍କ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି । ଏହି କାରଣରୁ ବହୁ ଲୋକ ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି । ଅନ୍ୟପକ୍ଷରେ ହଟ୍ ମିକ୍ସ ପ୍ଲାଂଟ ପରିସରରେ ବହୁ ପରିମାଣର ପଥର ଗୁଣ୍ଡ ଜମା ହୋଇ ରହିଛି । ତେବେ ଏତେ ପରିମାଣର ପଥର ଗୁଣ୍ଡ କେଉଁଠୁ ଆସିଲା ତାହାର ଯାଂଚ ରାଜସ୍ୱ ବିଭାଗ ଏବଂ ଖଣି ବିଭାଗ ମିଳିତ ଭାବେ କରିବାକୁ ଦାବୀ ହୋଇଛି ।

Related Articles

Leave a Reply

Your email address will not be published.

Back to top button