କଟକ

କେନ୍ଦ୍ରାପଡା ଓ ଶାଖା କେନାଲରେ ପାଣି ଦେବା ନେଇ ବିଳମ୍ବ : ଚାଷୀ ଅସନ୍ତୋଷ

ସାଲେପୁର : ଜୁଲାଇ ମାସ ଶେଷ ହେବାକୁ ବସିଲାଣି । କେନ୍ଦ୍ରାପଡା ଓ ଏହାର ଶାଖା କେନାଲରେ ଜଳସେଚନ ବିଭାଗ ତରଫରୁ ପାଣି ଛଡାଯାଉନଥିବାରୁ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଜଣାଯାଇଛି । ଖବର ଅନୁଯାୟୀ କେନ୍ଦ୍ରାପଡା ଓ ଏହାର ଶାଖା କେନାଲ ଉପରେ ନିର୍ଭର କରୁଥିବା କେନ୍ଦୁପାଟଣା, ବୁହାଳ, ଅସୁରେଶ୍ୱର, ନିଶ୍ଚିନ୍ତକୋଇଲି, ସରପଡା, ବଡକ୍ଷୀର , ନତକାଇ,ମଣ୍ଡଣ, ତିଲକଣା, ନଗସପୁର, ଦାଉଦପୁର, ନରେନ୍ଦ୍ରପୁର ଇତ୍ୟାଦି ପଞ୍ଚାୟତର ହଜାର ହଜାର ଚାଷୀ କେନାଲ ପାଣିଉପରେ ନିର୍ଭର କରି ନିଜର ଚାଷ କାର୍ଯ୍ୟ ଆରମ୍ଭ କରିଥାଆନ୍ତି । ପୂର୍ବରୁ ବର୍ଷା ଠିକ୍ ଭାବେ ହେଉନଥିବାରୁ ଚାଷୀମାନେ ଜମିକୁ ଖରାଟିଆ ଚାଷ କରିପାରିନଥିଲେ । ୧୫ ଦିନ ପୂର୍ବରୁ ଯେଉଁ ସ୍ୱଳ୍ପ ପରିମାଣର ବର୍ଷା ହୋଇଥିଲା ସେଥିରେ କିଛି ଚାଷୀ ଧାନତଳି ପକାଇଦେଇଥିବା ବେଳେ ଆବଶ୍ୟକ ବର୍ଷା ଅଭାବରୁ ତଳିଗୁଡିକ ନଷ୍ଟ ହୋଇଯାଉଥିଲା । ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀମାନେ ଆଶ୍ୱସ୍ତିଲାଭ କରିଛନ୍ତି ସତ ହେଲେ କେନାଲରେ ପାଣି ଏଯାବତ୍ ଛଡାଯାଇନାହିଁ । ବାହାଘର ବେଳେ ବାଇଗଣ ରୁଆ ସଦୃଶ ଜୁଲାଇ ମାସ ୧୫ ତାରିଖରୁ କେନାଲ ସଫେଇ କାର୍ଯ୍ୟ ଚାଲୁଅଛି । ପାଣି ପଞ୍ଚାୟତ ମାଧ୍ୟମରେ ମୁଖ୍ୟ କେନାଲ ଓ ବ୍ରାଜ କେନାଲ ସଫେଇ ଠିକ୍ ଭାବେ ହେଉନଥିବାରୁ ଚଳିତ ବର୍ଷ ଚାଷୀମାନେ ପାଣି ସୂଚାରୁ ରୂପେ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ଏହି କେନାଲ ସଫେଇ କରାଯାଇ ଜୁଲାଇ ୧୫ ତାରିଖ ସୁଦ୍ଧା କେନାଲରେ ପାଣି ଆସିଥିଲେ ଚାଷୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ତଳିପକା କାର୍ଯ୍ୟ ସାରିଥାଆନ୍ତେ ବୋଲି କୃଷକ ନେତା ନିରଞ୍ଜନ ସାମଲ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button