
ନୂଆଦିଲ୍ଲୀ: ସୋମବାର ଭୋର ସମୟରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇଛି ୧୩ଶହ ଉପରକୁ। ସେଠାରେ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଦୁର୍ବିପାକକୁ ଦେଖି ଭାରତ ସରକାର ତୁର୍କୀକୁ ବଢାଇଛନ୍ତି ସହାୟତାର ହାତ। ସେଠାକୁ ଖୁବ ଶୀଘ୍ର ଏନଡିଆରଏଫ ଓ ମେଡିକାଲ ଟିମ ପଠାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପିଏମଓ ପକ୍ଷରୁ କୁହାଯାଇଛି କି, ସହାୟତା ସାମଗ୍ରୀ ସହ ଏନଡିଆରଏଫ ଓ ମେଡିକାଲ ଟିମଙ୍କୁ ତୁରନ୍ତ ତୁର୍କୀକୁ ପଠାଯିବ। ବିଶେଷ ରୂପେ ପ୍ରଶିକ୍ଷିତ ଡଗ ସ୍କ୍ବାଡ ଓ ଆବଶ୍ୟକ ଉପକରଣ ସହ ୧୦୦ ଏନଡିଆରଏଫର ୨ଟି ଟିମକୁ ଭୂକମ୍ପ ପ୍ରଭାବିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ଅଛି। ଏଥିସହ ସେଠାକୁ ପ୍ରଶିକ୍ଷିତ ଡାକ୍ତର, ପାରାମେଡିକାଲ ଟିମ ସହ ଆବଶ୍ୟକୀୟ ଔଷଧ ପଠାଇବା କାମ ଆରମ୍ଭ ହୋଇ ଯାଇଛି। ସହାୟତା ସାମଗ୍ରୀ ତୁର୍କୀ ସରକାର ଓ ଅଙ୍କାରାରେ ଥିବା ଭାରତୀୟ ଦୂତାବାସ ଓ ଇସ୍ତାବୁଲରେ ଥିବା ବାଣିଜ୍ୟିକ ଦୂତାବାସ ଜରିଆରେ ପଠାଯିବ।
ଭୂମିକମ୍ପକୁ ନେଇ ପୂର୍ବରୁ ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ବ୍ୟକ୍ତ କରିଥିଲେ। ତୁର୍କୀରେ ଭୂକମ୍ପ କାରଣରୁ ହୋଇଥିବା ମୃତ୍ୟୁ ଓ ସମ୍ପତି କ୍ଷୟକ୍ଷତିରେ ଦୁଃଖିତ। ତେଣୁ ଶୋକ ସନ୍ତପ୍ତ ପରିବାର ପ୍ରତି ମୋଦି ସମବେଦନା ଜ୍ଞାପନ ପୂର୍ବକ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ମୋଦି କହିଥିଲେ କି, ଭାରତ ତୁର୍କୀ ସହ ରହିଛି ଓ ଏହି ଦୁର୍ବିପାକର ମୁକାବିଲା ପାଇଁ ଯଥାସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା କହିଥିଲେ।