ଓଡ଼ିଶା

ଜୁନ ମାସ ପର୍ଯ୍ୟନ୍ତ ରହିବ ତାତି

() ଦିନରେ ବଢୁଛି ତାପମାତ୍ରା, ଆଉ ରାତିରେ ବଢୁଛି କୁହୁଡି l ଫେବ୍ରୁଆରୀ ମାସରୁ ହେଉଛି ଅସହ୍ୟ ତାତି l ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି l ୮ ବର୍ଷ ଭିତରେ ଭୁବନେଶ୍ୱରରେ ୫ମ ସର୍ବାଧିକ ତାତି ରେକର୍ଡ ହୋଇଥିବା ବେଳେ ଆଗକୁ  ପୁଣି ପାରଦ ବଢିବାର ଅନୁମାନ କରିଛି ପାଣିପାଗ ବିଭାଗ l

ଫଗୁଣରେ ବୈଶାଖର ତାତି । ଆଗକୁ ଝାଞ୍ଜି ବହିବା ସହ ଉପାନ୍ତରୁ ଉପକୂଳ ସ୍ଥିତି ହେବ ସଙ୍ଗୀନ l ଫେବ୍ରୁଆରୀ ମାସରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ l ସ୍ବାଭାବିକ ତାପମାତ୍ରା ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ତାପମାତ୍ରା । ରାଜଧାନୀ ଭୁବନେଶ୍ବରରେ ସ୍ଥିତି ଏବେଠୁ ଅସମ୍ଭାଳ ହୋଇପଡିଲାଣି। ଫଗୁଣ ଆରମ୍ଭରୁ ଝାଞ୍ଜି ପବନ ଅନୁଭବ କଲେଣି ଲୋକେ । ମାର୍ଚ୍ଚ ମାସରେ ଭୁବନେଶ୍ୱର ବିଶ୍ୱର ଉତ୍ତପ୍ତ ସହର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି l ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ 40 ଡିଗ୍ରୀ ଡେଇଁପାରେ ପାରଦ l

ଅନ୍ୟପଟେ ଏସଆରସି ପକ୍ଷରୁ ଘନ  କୁହୁଡି ନେଇ ଜାରି ହୋଇଛି ଆଡ଼ଭାଇଜରୀ l  ରାଜ୍ୟର 11 ଟି ଜିଲ୍ଲାରେ ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ରହିଛି l କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ, ଅନୁଗୁଳ, ଗଞ୍ଜାମ ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦେଶl ବିଳମ୍ବିତ ରାତିରେ ରାସ୍ତାରେ ଯାତାୟତ କରୁଥିବା  ଗାଡି ଗୁଡିକ ଉପରେ  ନଜର  ରଖିବା ପାଇଁ ପୋଲିସ ଏବଂ ଟ୍ରାନ୍ସପୋର୍ଟ ଅଫିସରଙ୍କୁ ଏସ ଆର ସି ପକ୍ଷରୁ ନିର୍ଦେଶନାମା ହୋଇଛି l ନଭେମ୍ବର ମାସରୁ  ଏଯାଏଁ ରାଜ୍ୟରେ ବର୍ଷା ହୋଇନଥିବାରୁ  ବୃଦ୍ଧି ପାଇବାରେ  ଲାଗିଛି  ତାପମାତ୍ରା l

ଅସହ୍ୟ ତାତିରେ ସାଧାରଣ ଜନଜୀବନ ହୋଇପଡିଛି  ଅତିଷ୍ଠ l ଫେବୃଆରୀ ଦ୍ଵିତୀୟ ସପ୍ତାହରୁ ଘରୁ  ବାହାରିଲେ ଫେରିଲା ବେଳକୁ  ସ୍ଥିତି ଅସମ୍ଭାଳ ହୋଇପଡିଲାଣି  l ଆଗକୁ ଏହି ତାତି ଜୁନ ମାସ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସ୍ୱରୂପା ଏବଂ ଜ୍ୟୋତି ମଞ୍ଜରୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button