ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟ ନିମ୍ନମାନର

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶର ପ୍ରିମିୟମ ରେଳ ଶୃଙ୍ଖଳର ଗାଡି ଭାବେ ଗ୍ରହଣ କରାଯାଇଛି। ଏହି ଗାଡିରେ ଯାତ୍ରୀଙ୍କୁ ସମସ୍ତ ଅତ୍ୟାଧୁନିକ ସୁବିଧା ଦିଆଯାଉଥିବା ଡିଣ୍ଡିମ ପିଟୁଛି ରେଳ ମନ୍ତ୍ରଣାଳୟ। କିନ୍ତୁ ଏହି ପ୍ରିମିୟମ ରେଳରେ ଯାତ୍ରୀଙ୍କୁ ଦିଆଯାଉଛି ଖରାପ ମାନର ଖାଦ୍ୟ। ଟ୍ରେନରେ ଯୋଗାଯାଉଥିବା ଖାଦ୍ୟର ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ଜଣେ ଯାତ୍ରୀ ଖାଦ୍ୟ ପ୍ୟାକେଟରେ ଥିବା ସମୋସାକୁ ଦାବିବା ବେଳେ ସେଥିରୁ ବହୁତ ତେଲ ବାହାରୁଛି। ଯାତ୍ରୀ ଏହି ଭିଡିଓକୁ ଟ୍ବିଟ କରି ଲେଖିଛନ୍ତି କି ବନ୍ଦେ ଭାରତ ଟ୍ରେନରେ ଖାଦ୍ୟ ଯେମିତି ମହଙ୍ଗା ସେମିତି ଖାଦ୍ୟର ମାନ ଖରାପ। ଯାତ୍ରୀଙ୍କ ଏହି ଭିଡିଓ ଉପରେ ଆଇଆରଟିସି ମଧ୍ୟ ରିଟ୍ବିଟ କରି ଲେଖିଛି କି, ଆପଣଙ୍କ ଅଭିଯୋଗ ସମ୍ବନ୍ଧରେ ସମ୍ପୃକ୍ତ ଅଧିକାରୀଙ୍କୁ ସୂଚିତ କରାଯାଇଛି। ଏହା ଉପରେ ଉଚିତ ପଦକ୍ଷେପ ନିଆଯିବ। ବନ୍ଦେ ଏକ୍ସପ୍ରେସ ଟ୍ରେନର ଜଣେ ଯାତ୍ରୀ ଏହି ଭିଡିଓ କରିଛନ୍ତି। ଟ୍ରେନ ବିଶାଖାପାଟନମରୁ ହାଇଦ୍ରା ବାଦ ଯାଉଥିବା ବେଳର ଏହି ଭିଡିଓ ଥିବା କୁହାଯାଇଛି।