
ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ତୃତୀୟଥର ପାଇଁ ଅସମାହିତ। ସୋମବାର ତୃତୀୟଥର ପାଇଁ ମେୟର ନିର୍ବାଚନ ଭୋଟ ହେବାକୁ ଥିବା ବେଳେ ପୁଣି ବିଜେପି ଓ ଆପ୍ ଭିତରେ ହୋଇଛି ମାରପିଟ। ଫଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଆଜି ମେୟର, ଡେପୁଟି ମେୟର ଓ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିଲା।
ସୋମବାର ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହେବାରୁ ଆପ ଏହାକୁ ବିରୋଧ କରି କରିଥିଲା ହଟ୍ଟଗୋଳ। ତେଣୁ ପ୍ରିଜାଇଡିଂ ଅଫିସର ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।
ଗତ ଡିସେମ୍ବରରେ ଏମସିଡି ନିର୍ବାଚନକୁ ଆପ ଜିତିଥିଲେ ମଧ୍ୟ ବିଜେପି ଓ ଆପ ଭିତରେ ବାରମ୍ବାର ମେୟର ପଦକୁ ନେଇ ହଟ୍ଟଗୋଳ ପାଇଁ ନିର୍ବାଚନ ହୋଇପାରୁ ନାହିଁ। ପୂର୍ବରୁ ଦୁଇ ଥର ନିର୍ବାଚନ ସ୍ଥଗିତ ରଖାଯାଇସାରିଛି। ଆଜି ଦିଲ୍ଲୀ ସିଭିଲ ସେଣ୍ଟରରେ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ଘୋଷଣା କରିଥିଲେ କି, ମେୟର ନିର୍ବାଚନରେ ମନୋନୀତି ସଦସ୍ୟମାନେ ଅଂଶ ଗ୍ରହଣ କରି ପାରିବେ। ଯାହାକୁ ଆପ ବିରୋଧ କରିଥିଲା।
ଏମସିଡିର ୨୫୦ଟି ଆସନରୁ ଆପ୍ ୧୩୪ରେ ଜିତିଥିବା ବେଳେ ବିଜେପି ୧୦୪ଟିରେ ବାଜିମାତ କରିଛି। ଏହି ନବ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ବିଜେପିର ୭ ଲୋକସଭା ସାଂସଦ, ଆପ୍ର ୩ ଜଣ ରାଜ୍ୟସଭା ସଦସ୍ୟ ଓ ଦିଲ୍ଲୀ ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ଭୋଟ ଦେଇପାରିବେ। କଂଗ୍ରେସର ୯ ଜଣ କର୍ପୋରେଟର ଭୋଟ ଦେବେନି ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ଯଦି ମନୋନୀତି ସଦସ୍ୟମାନେ ଭୋଟ ଦିଅନ୍ତି ତେବେ ବିଜେପି ହିଁ ମେୟର ପଦ ହାତେଇ ନେବ। ତେଣୁ ଏହାକୁ ବିରୋଧ କରୁଛି ଆପ।