ଜାତୀୟରାଜନୀତି

ସମସ୍ତ ବିପକ୍ଷ ଏକାଠି ହେଲେ ୨୦୨୪ରେ ବିଜୟ ସୁନିଶ୍ଚିତ: ନୀତିଶ

ପାଟନା: ବିହାରର ରାଜଧାନୀ ପାଟନାରେ ଜେଡିୟୁର ରାଷ୍ଟ୍ରୀୟ ପରିଷଦର ଦୁଇ ଦିବସୀୟ ବୈଠକ ହୋଇଯାଇଛି। ରବିବାର ଅନ୍ତିମ ଦିନ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂଙ୍କ ସମେତ ୨୫୦ ପ୍ରତିନିଧି ସାମିଲ ହୋଇଥିଲେ। ଏଠାରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି ଓ ବିପକ୍ଷକୁ ଏକଜୁଟ କରିବାକୁ ସହମତି ହୋଇଛି। ବୈଠକ ପରେ ନୀତିଶ କହିଛନ୍ତି, ଆମେ ଏକାଠି ହୋଇ ଲଢିବା ତ ନିଶ୍ଚିତ ଜିତିବା।

ନୀତିଶ କୁମାର ନିଜ ପାର୍ଟିର ରାଷ୍ଟ୍ରୀୟ ପରିଷଦ ବୈଠକ ପରେ କହିଛନ୍ତି, ଆମ ଉଦ୍ଦେଶ୍ୟ ଏହି କି, ସମସ୍ତ ଆଞ୍ଚଳିକ ଦଳ ଏକାଠି ହୋଇ ମିଳିତ ଭାବେ ନିର୍ବାଚନ ଲଢିବା। ଯଦି ଏପରି ହୋଇଛି ତେବେ ସଫଳତା ନିଶ୍ଚିତ ମିଳିବ।

ମୁଖ୍ୟମନ୍ତ୍ରୀ ସୋମବାର ଦିଲ୍ଲୀ ଗସ୍ତ ସମ୍ପର୍କରେ କହିଛନ୍ତି କି, ବିହାରରେ ୭ଟି ଦଳ ସରକାର ସହ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪ଟି ଦଳର ନେତା ଦିଲ୍ଲୀରେ ସାକ୍ଷାତ କରିବେ। ଏଥିସହ ବିପକ୍ଷର ଅନ୍ୟ ବହୁ ନେତା ମଧ୍ୟ ଭେଟିବେ। ଏହି ଗସ୍ତକାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟପତି ଜଗଦୀପ ଧନଖଡଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ନୀତିଶ କହିଛନ୍ତି।

ଏହି ସମୟରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂହ ଅଭିଯୋଗ କରିଛନ୍ତି କି, କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ସାହ ସାମ୍ପ୍ରଦାୟିକ ସୌହାର୍ଦ୍ୟ ଖରାପ କରିବାକୁ ଚଳିତ ମାସ ଶେଷରେ ବିହାର ଆସୁଛନ୍ତି।  ବିଜେପି ଦୁଇରୁ ଆରମ୍ଭ କରିଥିଲା ଓ ଏବେ ପୁଣି ଦୁଇକୁ ଚାଲି ଆସିବ। ଲଲନ ଆହୁରି ମଧ୍ୟ ଦାବି କରିଛନ୍ତି କି, ଆଗାମୀ ୨୦୨୪ ନିର୍ବାଚନରେ ବିହାରରେ ଆମେ ୪୦ରୁ ୪୦ ସିଟ ଜିତିବୁ।

ଲଲନ କହିଛନ୍ତି, ଗତ ନିର୍ବାଚନରେ ବିଜେପି ଦେଶରେ ୩୮ ପ୍ରତିଶତ ଭୋଟ ପାଇଥିଲା, ଯେତେବେଳେ କି, ବିପକ୍ଷରେ ଦେଶର ୬୨ ପ୍ରତିଶତ ଜନତା ଭୋଟ ଦେଇଥିଲେ। ୬୨ ପ୍ରତିଶତର ଦଳ ଏକ ସାଙ୍ଗରେ ଆସିଗଲେ ସମର୍ଥନର ଅଙ୍କ ବୃଦ୍ଧି ପାଇ ୭ ପ୍ରତିଶତରେ ପହଞ୍ଚିଯିବ।

Related Articles

Leave a Reply

Your email address will not be published.

Back to top button