ଜୋଶୀମଠ: ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ଜୋଶୀମଠ: ଉତ୍ତରାଖଣ୍ଡର ଜୋଶୀମଠକୁ ବିପର୍ଯ୍ୟୟ ପ୍ରବଣ ଘୋଷଣା କଲା ପ୍ରଶାସନ। ଜୋଶୀମଠର ବିଭିନ୍ନ ଘର, ରାସ୍ତା, ବିଲବାଡ ଫାଟିବା ସହ ମାଟି ଧସିବାକୁ ନେଇ ପୂରା ଜୋଶୀମଠ ଅଞ୍ଚଳକୁ ବିପର୍ଯ୍ୟୟ ପ୍ରବଣ ଘୋଷିତ କରାଯିବା ସହ ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ଅଧିକାରୀ ସୂଚନା ଦେଇଛନ୍ତି।
ଚମୋଲି ଜିଲ୍ଲା ଅଧୀନରେ ଜୋଶୀମଠ ଆସୁଥିବାରୁ ଜିଲ୍ଲାପାଳ ହିମାଂଶୁ ଖୁରାନା ଅଞ୍ଚଳକୁ ବିପର୍ଯ୍ୟୟପ୍ରବଣ ଘୋଷଣା କରିଥିବା ବେଳେ ଦୁଇ କେନ୍ଦ୍ରୀୟ ଦଳ ସ୍ଥିତିର ଅନୁଧ୍ୟାନ ପାଇଁ ଜୋଶୀମଠ ଅଞ୍ଚଳ ପାଇଁ ବାହାରିଛନ୍ତି। ଦୁଇ କେନ୍ଦ୍ରୀୟ ଟିମ ମଧ୍ୟରେ ଗୋଟିଏ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଯାଉଛନ୍ତି। ସେପଟେ, ଜୋଶୀମଠ ଓ ଏହାର ଆଖପାଖ ଅଞ୍ଚଳର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଛି।
ସହରରେ ଶହ ଶହ ସଂଖ୍ୟାରେ କୋଠା ଓ ରାସ୍ତାରେ ଫାଟ ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୬୮ ପରିବାରକୁ ସେଠାରୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସମସ୍ତଙ୍କୁ ଏକାଠି ହୋଇ ସହରକୁ ବଞ୍ଚାଇବା ଦିଗରେ କାମ କରିବାକୁ ଅପିଲ କରିଛନ୍ତି। ଏଥିସହ ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ନିରୀକ୍ଷଣ ପୂର୍ବକ ରାଜ୍ୟକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଆଶ୍ବାସନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଯେଉଁ ଘରସବୁ ପ୍ରତି ବିପଦ ରହିଛି, ସେସବୁ ମଧ୍ୟରୁ ୬୮ ପରିବାରକୁ ଖାଲି କରାଯାଇଛି। ୬୦୦ଟି ଘରକୁ ବିପଦ ଶଙ୍କୁଳ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି କି, ପ୍ରଭାବିତଙ୍କୁ ରିଲିଫ କ୍ୟାମ୍ପରେ ପ୍ରାଥମିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଲୋକଙ୍କୁ ସେଠାକୁ ନିଆଯାଉଛି। କ୍ୟାମ୍ପର ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛି ଜିଲ୍ଲା ପ୍ରଶାସନ। ଏଥିସହ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତାର ହାତ ବଢା ଯାଉଥିବା ଜିଲ୍ଲାପାଳ ଖୁରାନା ସୂଚନା ଦେଇଛନ୍ତି। ସେଠାରେ ଘର ଓ ରାସ୍ତା ଘାଟରେ ଫାଟ ହେବା ପରେ ୧୭ ହଜାର ଜନବସତିପୂର୍ଣ୍ଣ ଯୋଶୀମଠକୁ ଖାଲି କରାଯାଉଛି ଓ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।