
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାକୁ ସୁପ୍ରିମକୋର୍ଟରେ ଦାୟର ଯାଚିକା ଖାରଜ। ଯାଚିକାରେ ରାଷ୍ଟ୍ରପତିଙ୍କୁ ହଟାଇ ଯାଚିକାକର୍ତ୍ତାଙ୍କୁ ରାଷ୍ଟ୍ରପତି କରିବାକୁ ଦାବି ହୋଇଥିଲା। ଯାଚିକାକର୍ତ୍ତା କିଶୋର ଜେ ସାବନ୍ତ କହିଥିଲେ କି, ୨୦୦୪ ପରଠାରୁ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିବାକୁ ଦିଆଯାଉନାହଁ।
ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଯାଚିକା ଉପରେ ବିରକ୍ତି ପ୍ରକାଶ କରି ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ଅଭିଯୋଗ କିପରି ଲଗାଉଛନ୍ତି ବୋଲି କହିଛନ୍ତି। ଏହା ଏକ ତୁଚ୍ଛ ଯାଚିକା, ଏହା ଆଇନ ପ୍ରକ୍ରିୟାର ଦୁରୁପଯୋଗ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ଯାଚିକାରେ ଦିଆଯାଇଥିବା ଟିପ୍ପଣୀକୁ ରେଜିଷ୍ଟ୍ରୀ ରେକର୍ଡରୁ ହଟାଇବାକୁ କୁହାଯାଇଛି। ତା ସହ ଏପରି ଯାଚିକା ଭବିଷ୍ୟତରେ ଦାୟର ନ କରିବାକୁ କୁହାଯାଇଛି।
ଯାଚିକାରେ ଉଲ୍ଲେଖ ଥିଲା କି, ଭାରତର ସମ୍ବିଧାନିକ ଲୋକତନ୍ତ୍ରର ମୂଳ ମୂଲ୍ୟର ପୁନଃ ବାଖ୍ୟା ହେବ। ମୁଁ ଜଣେ ପର୍ଯ୍ୟାବରଣବିତ୍। କିନ୍ତୁ ମତେ ନିର୍ବାଚନ ଲଢିବାକୁ ଅନୁମତି ମିଳୁନାହିଁ। ଯାଚିକାକର୍ତ୍ତା ଶ୍ରୀଲଙ୍କାର ସାମ୍ପ୍ରତିକ ସ୍ଥିତିର ଉଦାହରଣ ଦେଇ କିପରି ଜନତା ରାଷ୍ଟ୍ରପତିଙ୍କ ଘର ଭିତରେ ପଶିଗଲେ, ଋଷରେ କଣ ହେଉଛି? ତାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସେ ରାଷ୍ଟ୍ରପତି ହେଲେ ସାରା ବିଶ୍ବ ପାଇଁ କାମ କରିବେ। ଯେଉଁଠି କିଛି ଭୁଲ ଭଟକା ହେବ ସେଠାରେ ନୂଆ ଭାବେ କାମ କରି ରାଷ୍ଟ୍ରପତିର ଭୂମିକାକୁ ନୂଆ ପରିଭାଷିତ କରିବେ ବୋଲି କହିଛନ୍ତି।