ଅବିଭାଗିକୃତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ପାଟବସ୍ତ୍ର ଓ ସୂତାଲୁଗା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଖୋର୍ଦ୍ଧା : ଜୁନ୍ ୨୦ରେ ଘୋଷଯାତ୍ରା । ଏଥିଲାଗି ଶ୍ରୀକ୍ଷେତ୍ର ଚଳ ଚଂଚଳ । ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ । ଏପଟେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାର ପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ପାଟବସ୍ତ୍ର ଓ ସୂତାଲୁଗା ପ୍ରସ୍ତୁତିରେ ଲାଗିଛନ୍ତି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ବୁଧବାର ସୁଦ୍ଧା ୭୦ପ୍ରତିଶତ କାମ ସରିଥିବା ବରିଷ୍ଠ ବୁଣାକାର ଗୋପୀନାଥ ଦାସ କହିଛନ୍ତି । ସରସ୍ୱତୀ ପୂଜାରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥିଲା । ଏହି ଦିନ ଗୋପୀନାଥଙ୍କ ପରିବାର ପୂଜାର୍ଚ୍ଚନାପୂର୍ବକ ମହାପ୍ରଭୁଙ୍କ ସେବାରେ ଲାଗିପଡିଛନ୍ତି । ଦିନରାତି ପାଟବସ୍ତ୍ର ଓ ସୂତାଲୁଗା ବୁଣାକାମ ଚାଲିଛି । ଗତ ୩୦ବର୍ଷ ଧରି ରାଉତପଡାର ଗୋପୀନାଥଙ୍କ ପରିବାର ଏହି ପାଟବସ୍ତ୍ର ଓ ସୂତାଲୁଗା ଯୋଗାଇ ଆସୁଛନ୍ତି । ଗୋପୀନାଥ କୁହନ୍ତି, ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତାଲିକା ପାଇବା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବଶ୍ୟକ କଂଚାମାଲ ଯୋଗାଇ ଦିଆଯାଇଛି । ବିଭାଗୀୟ ଅଧିକାରୀ ମାନେ ରାଉତପଡା ଗସ୍ତରେ ଆସି ବୁଣାକାରଙ୍କ ସହ ଆଲୋଚନା କରିଛନ୍ତି ।

ରଥଯାତ୍ରା ଲାଗି ଚେହେଲି ପାଟ, ବଡ଼ସିଂହାର ଲାଗି ଗୀତିଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇପ୍ରକାର ଘୋଡ଼ଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ ଗରା ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତସେବା ଲାଗି ଲାଲ୍‌, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ୍ ଲେଖାଏ ଚେହେଲି ପାଟ, ବଡ଼ସିଂହାର ବେଶ ଲାଗି ଗୀତିଗୋବିନ୍ଦ ଲେଖାଥିବା ଗୀତିଗୋବିନ୍ଦ ପାଟ ପ୍ରସ୍ତୁତି ଚାଲିଛି । ସେହିପରି ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡ଼ଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପ୍ରସ୍ତୁତି ଚାଲିଛି । ଗୋପୀନାଥ କୁହନ୍ତି, ବାପା ମଧୁସୂଦନ ଦାସ ୧୯୯୩ ମସିହାରେ ଏହି ସେବା ପାଇଥିଲେ । ସେବେଠାରୁ କ୍ରମାଗତ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଓ ବର୍ଷସାରା ପର୍ବପର୍ବାଣି ଲାଗି ସୂତାଲୁଗା ଓ ପାଟବସ୍ତ୍ର ଯୋଗାଇ ଆସୁଛୁ । ୧୯୯୬ ଓ ୨୦୧୫ ନବକଳେବର ଏବଂ ୨୦୨୦ ନାଗାର୍ଜୁନ ବେଶ ସକାଶେ ମହାପ୍ରଭୁଙ୍କ ଲାଗି ସୂତା ଓ ପାଟବସ୍ତ୍ର ପଠାଇବାର ସୁଯୋଗ ପାଇଛୁ । ଗୋପୀନାଥଙ୍କ ସମେତ ୪ଭାଇ ରାମଚନ୍ଦ୍ର ଦାସ, ଭଗବାନ ଦାସ ଓ ଗୋବିନ୍ଦ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ଦାସ, ଅଶୋକ ଦାସ, ନିମାଇ ଚରଣ କୁଣ୍ଡୁ, କାର୍ତିକେଶ୍ୱର ପାତ୍ର ପ୍ରମୁଖ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ।

ଯେ, ରାଉତପଡ଼ାର ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର । ରାଉତପଡ଼ା ସେବା ସମବାୟ ସମିତିରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ରହିଛନ୍ତି । ବର୍ଷସାରା ହସ୍ତତନ୍ତ ଲୁଗା, ଗାମୁଛା, ବାନ୍ଧେଣୀ ଶାଢ଼ି, ବିଭିନ୍ନ ପ୍ରକାର ପାଟ ଓ ସୂତାଲୁଗା ବୁଣୁଛନ୍ତି । ମହାପ୍ରଭୁଙ୍କ ଲାଗି ପାଟ ଓ ସୂତା ଲୁଗା ଏଠାରୁ ଶ୍ରୀକ୍ଷେତ୍ରକୁ ଯାଉଥିବାରୁ ଏହି ଗ୍ରାମ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

Related Articles

Leave a Reply

Your email address will not be published.

Back to top button