
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସ ଭବନରେ ପୁଲିସ। ଭାରତ ଯୋଡ ଯାତ୍ରା ସମୟରେ ‘ମହିଳାମାନେ ଏବେ ବି ଯୌନ ଉତ୍ପୀଡନର ଶିକାର’ ହେଉଥିବା କହିଥିଲେ। ଏହା ଉପରେ ପଚରାଉଚରା ପାଇଁ ପୁଲିସ ଚାହୁଁଛି। କେଉଁ ମହିଳା ଏସମ୍ପର୍କରେ ରାହୁଲଙ୍କୁ ଜଣାଇଥିଲେ, ସେ ସମ୍ପର୍କରେ ଜାଣିବାକୁ ପୁଲିସ ମାର୍ଚ୍ଚ ୧୬ ତାରିଖରେ ରାହୁଲଙ୍କୁ ନୋଟିସ ଦେଇଥିଲା। ସେପଟେ ରାହୁଲଙ୍କ ଘର ସମ୍ମୁଖରେ ପୁଲିସର ଉପସ୍ଥିତି ଜାଣିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟସଭା ସାଂସଦ ଅଭିଷେକ ମନୁ ଓ ଜୟରାମ ରମେଶ ପ୍ରମୁଖ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି।
ସୋସିଆଲ ମିଡିଆର ତଥ୍ୟ ଆଧାରରେ ପୁଲିସ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନ ତାଲିକା ପଠାଇଥିଲା। କିନ୍ତୁ ଏଯାବତ୍ ଏହା ଉପରେ କୌଣସି ସୂଚନା ଦେଇ ନାହାନ୍ତି। ପୁଲିସ କହିଛି କି, ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ଥିବା ବେଳେ ଶ୍ରୀନଗରରେ କହିଥିଲେ କି, ମୁଁ ଶୁଣିଛି, ଏବେ ମଧ୍ୟ ମହିଳାମାନେ ଯୌନ ଉତ୍ପୀଡନର ଶିକାର ହେଉଛନ୍ତି। ଦିଲ୍ଲୀ ପୁଲିସ ସେହି ମହିଳାମାନଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଛି ଯେମିତି ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ପୁଲିସ ସ୍ପେଶାଲ କମିଶନରଙ୍କ ସହ କିଛି ବରିଷ୍ଠ ପୁଲିସ ଅଧିକାରୀ ଯୌନ ଉତ୍ପୀଡନର ଶିକାର ହେଉଥିବା ମହିଳାମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ରାହୁଲଙ୍କ ସହ ଆଲୋଚନା କରିବେ।
ତେବେ ପୁଲିସର ଏହି ନୋଟିସକୁ ନେଇ କଂଗ୍ରେସ ସୂତ୍ରରୁ ପ୍ରକାଶ କି, ରାହୁଲଙ୍କ ବିରୋଧରେ ହୋଇଥିବା ନୋଟିସ କୌଣସି ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ନା ପୁଲିସ ନିଜ ପକ୍ଷରୁ କରିଛି ତାହା ଜଣାପଡି ନାହିଁ। ଏହି ସର୍ବପୁରାତନ ଦଳକୁ ହଇରାଣ କରିବାକୁ ଦିଲ୍ଲୀ ପୁଲିସର ବ୍ୟବହାର କରାଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହା ଉପରେ ଏକ ବୟାନ ଆସିପାରେ ହେଲେ ପୀଡିତାମାନଙ୍କ ନାମ ସାର୍ବଜନୀନ କରିବାକୁ ରାହୁଲଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ଏସବୁ ଆକ୍ରୋଶମୂଳକ ଓ ବେକାର ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।