ଜାତୀୟ

ମୋରଦାବାଦ: ପୁଲିସ ଜନତା ଖଣ୍ଡଯୁଦ୍ଧ

ଲକ୍ଷ୍ନୌ:  ଉତ୍ତରାଖଣ୍ଡରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଭିତରେ ସଂଘର୍ଷରୁ ତୁମୁଳକାଣ୍ଡ ଘଟିଛି। ଗୁଳିମାଡ଼ରେ ସ୍ଥାନୀୟ ବିଜେପି ନେତାଙ୍କ ପତ୍ନୀଙ୍କ ନିଧନ ପରେ ଘଟଣା ଭିନ୍ନ ମୋଡ଼ ନେବାକୁ ବସିଲାଣି। ପୁଲିସ-ଜନତା ଖଣ୍ଡଯୁଦ୍ଧରେ ୫ଜଣ ପୁଲିସ କର୍ମୀ ବି ଗୁରୁତର ଆହତ ହୋଇଛନ୍ତି। ଜଣେ ଅପରାଧୀକୁ ଧରିବାକୁ ଯାଇ ୟୁପିର ମୋରଦାବାଦ ପୁଲିସ ଉଦ୍ଧମ ସିଂ ନଗର ଆସିଥିଲା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏପରିକି ଚଢ଼ାଉ ବାବଦରେ ସ୍ଥାନୀୟ ପୁଲିସକୁ ବି ସୂଚନା ଦେଇନଥିଲା ୟୁପି ପୁଲିସ।

ଜଣେ ଓ୍ୱାଣ୍ଟେଡ୍ ଅପରାଧୀକୁ ଧରିବାକୁ ଯାଇ ୟୁପି ପୁଲିସ ଅଡ଼ୁଆରେ ପଡ଼ିଯାଇଛି। ଅପରାଧୀ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ସରକାର। ଆଉ ଅପରାଧୀ ଜଣକ ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗରରେ ଲୁଚିଥିବା ଖବର ପାଇ ରେଡ୍ କରିଥିଲା ୟୁପିର ମୋରଦାବାଦ ପୁଲିସ। ତେବେ ଏହାକୁ ନେଇ ୟୁପି ପୁଲିସ- ଜନତାଙ୍କ ଭିତରେ ଯୁକ୍ତିତର୍କରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ, ଜନତାଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ବାଧ୍ୟ ହୋଇ ପୁଲିସ ଫାୟାରିଂ କରିଥିଲା। ଗୁଳିରେ ସ୍ଥାନୀୟ ବିଜେପି ବ୍ଲକ ସଭାପତି ଗୁରତେଜ ଭୁଲାରଙ୍କ ପତ୍ନୀ ଗୁରପ୍ରୀତ୍ କୌରଙ୍କ ମୃତ୍ୟୁ ହୋଇଥିଲା। ତିନି ଜଣ ପୁଲିସ କର୍ମଚାରୀଙ୍କୁ ବି ଗୁଳି ଲାଗିଛି। ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଏରିଆରେ ୟୁପି ପୁଲିସର ଅପରେସନ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା ଉତ୍ତରାଖଣ୍ଡ ପୁଲିସ। ଭରତପୁର ଗାଁରେ ପୁଲିସ-ଜନତା ଭିତରେ ଖଣ୍ଡଯୁଦ୍ଧରୁ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ଏବେ ହଇଚଇ ଖେଳିଯାଇଛି। କାରଣ ପୁଲିସ ବିଜେପି ନେତା ଗୁରୁତେଜ ଭୁଲାରଙ୍କ ଘରେ ଚଢ଼ାଉକୁ ନେଇ ଭରତପୁର ଗାଁ ଲୋକଙ୍କ ଭିତରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ୟୁପି ପୁଲିସ ସାଦା ପୋଷାକରେ ରେଡ୍ ଲାଗି ଆସିଥିଲା। ଠାକୁରଦ୍ୱାରାର ଜଣେ ଓ୍ୱାଣ୍ଟେଡ୍ ଡମ୍ପର ଡ୍ରାଇଭରକୁ ଠାବ କରିବାକୁ ୟୁପି ପୁଲିସ ଏହି ରେଡ୍ କରିଥିଲା।

ପୁଲିସକୁ ସୂଚନା ମିଳିଥିଲା କି, ଏହି ଅପରାଧୀ ଭୁଲାରଙ୍କ ଘରେ ଲୁଚିଛି। ତେବେ ରେଡ୍ ବେଳେ ଭୁଲାରଙ୍କ ପରିବାର ପୁଲିସକୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟଙ୍କ ଭିତରେ ପ୍ରାୟ ଅଧଘଣ୍ଟା ଧରି ଜାରି ଯୁକ୍ତିତର୍କରୁ ତୁମୁଳକାଣ୍ଡ ଘଟିଥିଲା। ଏହା ହିଂସାର ରୂପ ନେଇଥିଲା ଓ ଉଭୟପଟୁ ଗୁଳି ଚାଳନା ଆରମ୍ଭ ହୋଇଯାଇଥିଲା। ଅଭିଯୋଗ ହେଉଛି କି, ୟୁପି ପୁଲିସର ଜଣେ ଅଧିକାରୀ ଆଗ ଭୁଲାରଙ୍କ ପତ୍ନୀଙ୍କୁ ଗୁଳି କରିଥିଲେ। ଆଉ ଘଟଣାସ୍ଥଳରେ ହିଁ ଗୁରୁପ୍ରୀତ କୌର ଟଳିପଡ଼ିଥିଲେ। ନିଜକୁ ପୁଲିସ ବୋଲି ପରିଚୟ ନଦେଇ ଅଚାନକ ଘରେ ପଶିବାରୁ ଏହାକୁ ବିରୋଧ କରିଥିଲେ ଲୋକେ। ହେଲେ ପୁଲିସ ଉତକ୍ଷିପ୍ତ ହୋଇ ଅଚାନକ ଗୁଳି କରିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୁଲିସ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଉତ୍ୟକ୍ତ ଜନତା। ପୁଲିସ କର୍ମଚାରୀ ବି ଗୁରୁତର ଆହତ ହୋଇଛନ୍ତି। ଏହା ଏକ ସମ୍ୱେଦନଶୀଳ ପ୍ରସଙ୍ଗ। ମୃତକଙ୍କ ପରିବାରର ଅଭିଯୋଗ କ୍ରମେ ଏତଲା ରୁଜୁ ହୋଇଛି। ଫରେନସିକ ଟିମ୍, ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତ ଆଗେଇଥିବା କହିଛନ୍ତି ଏସପି। କେବଳ ଲୋକଙ୍କ ବୟାନ ଭିତ୍ତିରେ ତଦନ୍ତ ଆଗେଇବନି।

ସେପଟେ ମୋରଦାବାଦ ପୁଲିସର କହିବା କଥା, ଅପରାଧୀକୁ ଧରିବାକୁ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲା ବେଳେ ପୁଲିସଠୁ ଆଗ ଅପରାଧୀ ଗୋଷ୍ଠୀ ଅସ୍ତ୍ର ଜୋରଜବରଦସ୍ତ ଛଡ଼ାଇ ନେଇଯାଇଥିଲେ ଓ ସେମାନଙ୍କୁ ବନ୍ଧକ ରଖିବାକୁ ଉଦ୍ୟମ କରିଥିଲେ। ଆକ୍ରମଣରେ ୫ ଜଣ ପୁଲିସ କର୍ମୀ ବି ଗୁରୁତର ଆହତ ହୋଇଛନ୍ତି। ମୋରଦାବାଦ ପୁଲିସ ବି ଏତଲା ଦେଇଛି। ଦଙ୍ଗା, ଗିରଫଦାରିକୁ ପ୍ରତିରୋଧ, କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ବାଧା ଦେବା ସହ ସେମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ ଓ ସର୍ବୋପରି ଅପରାଧିକ ଷଡ଼ଯନ୍ତ୍ର କରାଯାଇଥିବା ଆଧାରରେ ଏତଲା ରୁଜୁ ହୋଇଛି। ଏତଲାରେ ଓ୍ୱାଣ୍ଟେଡ୍ ଅପରାଧୀ ସହ ଅନ୍ୟ ୩୫ ଅଜ୍ଞାତ ଲୋକଙ୍କ ନାଁ ଏତଲାରେ ଦର୍ଶାଯାଇଛି। ପୁଲିସ ପଟୁ କୌଣସି ଗୁଳିଚାଳନା ହୋଇନି ବୋଲି କହିଛନ୍ତି ମୋରଦାବାଦ ଡିଆଇଜି।

ସେପଟେ ଫରେନସିକ ଟିମ୍ ବି କ୍ରସ୍‌ ଫାୟାରିଂର କୌଣସି ପ୍ରମାଣ ନଥିବା ସ୍ପଷ୍ଟ କରିଛି। କ୍ରସଫାୟାରିଂକୁ ନେଇ ଉତ୍ତରାଖଣ୍ଡ ପୁଲିସ କରୁଥିବା ଦାବିକୁ ଖଣ୍ଡନ କରିଛନ୍ତି ଫରେନସିକ ସାଇନ୍ସ ଲ୍ୟାବ୍ ର ଯୁଗ୍ମ ନିର୍ଦ୍ଦେଶକ। ଘଟଣାସ୍ଥଳରୁ ଜଣେ ପୁଲିସ କର୍ମୀଙ୍କ ଟୋପି, ପୁଲିସ ସର୍ଭିସ ରିଭଲଭରକୁ ଉଦ୍ଧାର କରାଯାଇଛି। କ୍ରାଇମସିନ୍ ସ୍ପଟରୁ ଫିଙ୍ଗରପ୍ରିଣ୍ଟ, ଚୂଳର ନମୂନା ବି ସଂଗ୍ରହ କରି ପରୀକ୍ଷା ଲାଗି ପଠାଯାଇଛି।

କିଏ କହୁଛି ସତ। ତାକୁ ନେଇ ତଦନ୍ତ ଜାରି ରହିଛି। କିନ୍ତୁ ଗୁଳିକାଣ୍ଡରେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏହି ଘଟଣା ଆଗକୁ କି ମୋଡ଼ ନେଉଛି, ତାକୁ ନେଇ ଉତ୍କଣ୍ଠା ବି ଲାଗି ରହିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button