ଜାତୀୟ

ମୋଦି ଗେହଲଟ ପ୍ରଶଂସାକୁ ନେଇ ରାଜସ୍ଥାନ କଂଗ୍ରେସରେ ଝଡ

() ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିବାଦକୁ ଟାଣିଛନ୍ତି ସଚିନ ପାଇଲଟ୍। ରାଜସ୍ଥାନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପରସ୍ପର ପ୍ରଶଂସାରେ ଶତମୁଖ ହୋଇଥିବା ମୋଦି ଓ ଗେହଲଟଙ୍କ ପ୍ରଛଦପଟ୍ଟରେ କି ରହସ୍ୟ ଅଛି କହି ତୀର୍ଯ୍ୟକ ତୀର ମାରିଛନ୍ତି ପାଇଲଟ। ଯାହାକୁ ନେଇ ପୁଣି ରାଜସ୍ଥାନରେ ଗେହଲଟ-ପାଇଲଟ ବିବାଦ ତେଜିଛି।

ପ୍ରଧାନମନ୍ତ୍ରୀ ମୋଦି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପରସ୍ପରକୁ ଏଭଳି ପ୍ରଶଂସାରେ ପୋତି ପକାଇଥିବାରୁ ଏହାକୁ ନେଇ ଏବେ ରାଜସ୍ଥାନ କଂଗ୍ରେସରେ ଝଡ଼। ମୋଦି କହିଥିଲେ ଅଶୋକ ଗେହଲଟଙ୍କ ସହ ମୁଖ୍ୟମନ୍ତ୍ରୀ ଭାବେ ସେ ସାଙ୍ଗରେ କାମ କରିଛନ୍ତି। ଅନେକ ମୁଖ୍ୟମନ୍ତ୍ରୀଙ୍କ ଭିତରେ ସବୁଠୁ ବରିଷ୍ଠ ଅଟନ୍ତି ଗେହଲଟ। ଆଉ ଆଜି ବି ମଞ୍ଚ ଉପରେ ଉପସ୍ଥିତ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଭିତରେ ସେ ବରିଷ୍ଠ। ସେପଟେ ଗେହଲଟ ବି କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁନିଆରେ ସବୁଠି ସମ୍ମାନ ମିଳୁଛି। କାରଣ ସେ ଏମିତି ଦେଶର ପ୍ରଧାନମନ୍ତ୍ରୀ, ଯେଉଁଠି ଲୋକତନ୍ତ୍ରର ଚେର ବେଶ୍ ମଜଭୂତ ଅଛି।

ଗାନ୍ଧୀଙ୍କ ଦେଶରେ ୭୦ ବର୍ଷ ପରେ ବି ଲେକତନ୍ତ୍ର ବଞ୍ଚିଛି। ମାନଗଢ଼ ଧାମର ଗୌରବ ଗାଥା କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ  ପରସ୍ପର ପ୍ରଶଂସାରେ ଶତମୁଖ ଘଟଣାକୁ ନେଇ ଏବେ ରାଜସ୍ଥାନ କଂଗ୍ରେସରେ ଝଡ଼ ବହିଛି। ଆଉ ବିବାଦ ଛିଡ଼ା କରିଛନ୍ତି ସଚିନ ପାଇଲଟ୍। ମୋଦିଙ୍କ ଟିପ୍ପଣୀ ଓ ଗେହଲଟଙ୍କ ପ୍ରଶଂସା ପଛର ରହସ୍ୟକୁ ନେଇ ତୀର୍ଯ୍ୟକ ତୀର ଛାଡ଼ିଛନ୍ତି ପାଇଲଟ୍। ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦରେ ଠିକ୍ ସମାନ ଢଙ୍ଗରେ ଗୁଲାମନବୀ ଆଜାଦଙ୍କୁ ପ୍ରଶଂସା କରିଥିଲେ। ଏହା ପରେ ଗୁଲାମ କଅଣ କଲେ, ସମସ୍ତେ ଦେଖିଲେ। ଦଳ ଛାଡ଼ିଦେଲେ ଆଉ ଦଳୀୟ ନେତୃତ୍ୱ ବିରୁଦ୍ଧରେ ବର୍ଷିଥିଲେ। ଏଭଳି ପ୍ରଶଂସା କିଛି ସେମିତି ଘଟଣାର ପୁନରାବୃତ୍ତି ଆଡ଼କୁ ଇଙ୍ଗିତ କରୁନି ତ ବୋଲି ସନ୍ଦେହ କରିଛନ୍ତି ପାଇଲଟ। ଆଉ ଗେହଲଟ ବି ପାଇଲଟଙ୍କୁ ଏ ନେଇ କାଉଣ୍ଟର କରିବାକୁ ପଛାଇନାହାନ୍ତି। ପରସ୍ପର ବିରୋଧରେ କେହି ବୟାନବାଜି କରିବେନି ବୋଲି ଦଳର ମହାସଚିବ କେ.ସି ବେନୁଗୋପାଳ ନିର୍ଦେଶ ଦେଇଛନ୍ତି। କେହି ଦଳୀୟ ଶୃଙ୍ଖଳା ଭଙ୍ଗ କରନ୍ତୁନି। ମହଙ୍ଗା, ହିଂସା, ବେରୋଜଗାର ବିରୁଦ୍ଧରେ ଲଢ଼େଇ କରିବାର ସମୟ ଆସିଛି। ରାହୁଲ ଭାରତ ଯୋଡ଼ ପଦଯାତ୍ରା କରି ଏହାକୁ ସାକାର କରିବାକୁ ଦିନରାତି ଏକ କରୁଛନ୍ତି। କେନ୍ଦ୍ର ସରକାର ଉପରେ ନିରନ୍ତର ଚାପ ପ୍ରୟୋଗ କରିବା ସହ ୨୪ରେ କିଭଳି କଂଗ୍ରେସ ସରକାରକୁ ଆସିବ, ସେ ନେଇ ସମସ୍ତେ ଏକଜୁଟ୍ ହୋଇ ପରିଶ୍ରମ ବଦଳରେ ଏଭଳି ଆରୋପ ଲଦିବା ସମୀଚିନ ନୁହେଁ ବୋଲି କହିଛନ୍ତି ଗେହଲଟ। ସେପଟେ ଦଳର ମୁଖପାତ୍ର ସୁପ୍ରିୟା ସିନେଟ୍  ଏ ସନ୍ଦର୍ଭରେ କହିଛନ୍ତି କି, ମୋଦିଙ୍କୁ ଗେହଲଟ ପ୍ରଶଂସା କରିନାହାନ୍ତି। ବରଂ ସମାବେଶରେ ଆଇନା ଦେଖାଇଛନ୍ତି ମୋଦିଙ୍କୁ। ଗାନ୍ଧୀଙ୍କ ଦେଶରେ ଗଣତନ୍ତ୍ର ବଞ୍ଚିରହିବ ବୋଲି କହି ପାଲଟା ମୋଦିଙ୍କୁ କଟାକ୍ଷ କରିଛନ୍ତି।

କଂଗ୍ରେସର ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେଇସାରିଛନ୍ତି। ଅଧ୍ୟକ୍ଷ ଦୌଡ଼ରେ ପୂର୍ବରୁ ଆଗୁଆ ଥିବା ଗେହଲଟ ମୁଖ୍ୟମନ୍ତ୍ରୀ ଚୌକି  ଛାଡ଼ିବାକୁ ନାରାଜ ଥିଲେ।  ତାଙ୍କ ଇଙ୍ଗିତରେ ସମର୍ଥକ ବିଧାୟକଙ୍କ ସାମୂହିକ ଇସ୍ତଫା ଏପିସୋଡ୍ ହାଇକମାଣ୍ଡଙ୍କୁ କ୍ଷୁବ୍ଧ କରିଥିଲା। ଏଯାଏ ଗେହଲଟ ଅନୁଗତ ମନ୍ତ୍ରୀ, ବିଧାୟକଙ୍କ ଉପରେ କୌଣସି ଆକ୍ସନ ହୋଇନି। ଏ ପ୍ରସଙ୍ଗରେ ତୁରନ୍ତ ନିଷ୍ପତ୍ତି ନେବା ଉପରେ ଜୋର୍ ଦେଉଛନ୍ତି ପାଇଲଟ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button