
()-ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ତେଜିଲା ପ୍ରତିବାଦ। ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କଲେ କଂଗ୍ରେସର ବରିଷ୍ଠ ନେତା। ଦଳ କହିଛି, ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସମସ୍ତେ ସ୍ତବ୍ଧ। କଳା ଦିବସ ଭାବେ ଇତିହାସରେ ଆଜିର ଦିନ ଲିପିବଦ୍ଧ ହୋଇ ରହିବ। ଗଣତନ୍ତ୍ରର ହତ୍ୟା ହୋଇଛି। ଆହୁରି ସୁଦୃଢ ହୋଇ ପ୍ରତ୍ୟାବର୍ତ୍ତନ କରିବେ ରାହୁଲ। ସତ କହିବାରୁ ରାହୁଲଙ୍କୁ ଦଣ୍ଡ ମିଳୂଛି। ଦେଶ ସାମ୍ନାରେ ସତ୍ୟ ରଖିଛନ୍ତି ରାହୁଲ। ବିରୋଧିଙ୍କ ସ୍ୱର ଚାପିବାକୁ ପ୍ରୟାସ ହେଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ସେପଟେ ଭାଜପା କରିଛି କାଉଣ୍ଟର ଆଟାକ୍।
ରାହୁଲ ଗାନ୍ଧୀଙ୍କ ୨ ବର୍ଷ ଜେଲ ଦଣ୍ଡାଦେଶକୁ ନେଇ ରାଜରାସ୍ତାକୁ ଓହ୍ଳାଇଛି କଂଗ୍ରେସ। ବିରୋଧି ଦଳ ମାନଙ୍କୁ ଏକାଠି କରି ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ରାହୁଲଙ୍କ ଦୁଇ ବର୍ଷ ଜେଲଦଣ୍ଡାଦେଶ ଉପରେ ଆଇନଗତ ଯୁଦ୍ଧ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ପାର୍ଲାମେଣ୍ଟ ହାଉସରୁ ବିଜୟ ଚୌକ ଏବଂ ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଛି ଦଳ। ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସର ବହୁ ବରିଷ୍ଠ ନେତା। କଂଗ୍ରେସର ଶହ ଶହ କର୍ମୀ ନାରାବାଜି ଦେବା ସହ ବିରାଟ ଶୋଭାଯାତ୍ରାରେ ବାହାରିଛନ୍ତି। ଆନ୍ଦୋଳନ ବେଳେ ସୁରକ୍ଷା ପାଇଁ ବହୁ ପୋଲିସ ମୁତୟନ ହୋଇଛନ୍ତି। ଆନ୍ଦୋଳନ କରୁଥିବା ବହୁ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିବା ଗଣାପଡିଛି। ବିଜୟ ଚୌକରେ ଧାରା ୧୪୪ ଲଗାଯାଇଛି। ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଜେପିସି ତଦନ୍ତ ଦାବି କରିବା ସହ ନୀରବ ମୋଦି, ଲଲିତ ମୋଦି ଏବଂ ମେହୁଲ ଚୋକ୍ସି କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି। ତାଙ୍କ ବିରୋଧରେ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି? ମୋଦି ସରକାର ପ୍ରତିଶୋଧ, ନିର୍ଯାତନା ରାଜନୀତି କରୁଛନ୍ତି। ଏହା କେବଳ ଆଇନଗତ ପ୍ରସଙ୍ଗ ନୁହେଁ, ଏହା ଏକ ଗମ୍ଭୀର ରାଜନୈତିକ ପ୍ରସଙ୍ଗ ଯାହା ଗଣତନ୍ତ୍ର ସହ ଜଡିତ। ଆମେ ଏହାକୁ ଆଇନଗତ ଭାବେ ଲଢିବୁ। ଏହା ମଧ୍ୟ ଏକ ରାଜନୈତିକ ପ୍ରତିଯୋଗିତା, ଆମେ ଏହାକୁ ଭୟ କରିବୁ ନାହିଁ ବୋଲି କହିଛି କଂଗ୍ରେସ।
ସେପଟେ ଖାଲି କଂଗ୍ରେସ ନୁହେଁ ଟିଏମସି, ଶିବସେନା ସମେତ ଅନେକ ରାଜନୈତିକ ଦଳ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ବିପକ୍ଷୀ ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି ପିଏମ ମୋଦି। କ୍ରିମିନାଲ ବାକଗ୍ରାଉଣ୍ଡ ଥିବା ନେତାଙ୍କୁ ଭାଜପା ମନ୍ତ୍ରୀ ପଦରେ ବସାଉଛି। କିନ୍ତୁ ବିପକ୍ଷ ଦଳ ନେତାଙ୍କ କହିବା ଉପରେ ବି ଭାଜପା ଅଯୋଗ୍ୟ ଘୋଷଣା କରୁଛି। ଆମକୁ ଆଜି ସମ୍ୱିଧାନର ନୀଚ ସ୍ତର ଦେଖାଯାଉଛି। ଶିବସେନା ଏବଂ ସମାଜବାଦୀ ପାର୍ଟି ମଧ୍ୟ ରାହୁଲଙ୍କ ପ୍ରସଙ୍ଗକୁ ନେଇ ଭାଜପାକୁ ନିନ୍ଦା କରିଛି। ମହଙ୍ଗା ବୃଦ୍ଧି, ବେରୋଜଗାରୀ ଏବଂ ଉଦ୍ୟୋଗପତିଙ୍କ ଠାରୁ ଧ୍ୟାନ ଉଠାଇବାକୁ ବିଜେପି ଜାଣିଶୁଣି ଏସବୁ କରୁଛି। ସମାଜବାଦୀ ପାର୍ଟିର ଅନେକ ନେତାଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି ଏହି କ୍ରମରେ କଂଗ୍ରେସର ସବୁଠାରୁ ବଡ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟ ସଦସ୍ୟ ପଦ ରଦ୍ଦ କରିଛି ଭାଜପା। ଯାହାକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ଅଖିଳେଶ ଯାଦବ।
ଅନ୍ୟପଟେ ରାହୁଲଙ୍କ ଦଣ୍ଡାଦେଶକୁ ନେଇ କଂଗ୍ରେସକୁ କଟାକ୍ଷ ଫିଙ୍ଗିଛି ଭାଜପା। ରାହୁଲ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିବା ଅଭିଯୋଗ କରିଛି ଭାଜପା ରାହୁଲ ଗାନ୍ଧୀଙ୍କ ଅହଙ୍କାର ବହୁତ ବଡ ଏବଂ ବୁଝାମଣା ବହୁତ ଛୋଟ। ମିଛ କହିବା ରାହୁଲଙ୍କ ଚରିତ୍ର ଏବଂ ଅହଙ୍କାରରେ ବଞ୍ଚିବା ତାଙ୍କ ପ୍ରକୃତି। ତାଙ୍କର ରାଜନୈତିକ ଲାଭ ପାଇଁ ସେ ସମଗ୍ର ଓବିସି ସମ୍ପ୍ରଦାୟକୁ ଅପମାନିତ କରିଥିଲେ ବୋଲି ଅଭିଯୋଗ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ କଂଗ୍ରେସ କାହିଁକି ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛି? ବୋଲି ପ୍ରଶ୍ନ କରିଛି ଭାଜପା।
ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ବସିଛି ଜରୁରୀ ବୈଠକ। ଏଥିରେ ଷ୍ଟିୟରିଂ କମିଟି ସଦସ୍ୟ ଏବଂ ପିସିସି ସଭାପତିଙ୍କ ସମେତ ଅନେକ କଂଗ୍ରେସ ନେତା ଯୋଗ ଦେଇଥିଲେ। ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ସହ ଦଳର ସଦସ୍ୟତା ପଦ ରଦ୍ଦ ହେବା ପରେ ଦଳର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।