ଓଡ଼ିଶା

ସୁବର୍ଣ୍ଣପୁରରେ ନିଆଁମଡା ଯାତ୍ରା

ସୁବର୍ଣ୍ଣପୁର: ତନ୍ତ୍ରମନ୍ତ୍ରର ପୀଠ ସୁବର୍ଣ୍ଣପୁରରେ ନିଆଁର ପରମ୍ପରା । ଜ୍ବଳନ୍ତା ଅଙ୍ଗାରରେ ଚାଲି ନିଜର ମନସ୍କାମନା ପୂରଣର ବିଶ୍ୱାସ ରହିଛି ସୁବର୍ଣ୍ଣପୁରର ଖଦାଳପଡାରେ । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଏହି କଇଁଫୁଲ ବା ନିଆଁମଡା ବଳୀଯାତ୍ରାରେ ଦେଖିବାକୁ ମିଳିଛି।

ସୁବର୍ଣ୍ଣପୁରରେ ନିଆଁମଡା ଯାତ୍ରା । ଯାତ୍ରାର ମୁଖ୍ୟ ଆକର୍ଷଣ ନିଆଁମଡା। ଏହି ଯାତ୍ରା ପରମ୍ପରା ରାଜା ରାଜୁଡା ଅମଳରୁ ସହରର ଖଦାଲପଡାର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ପାଳିତ ହୋଇ ଆସୁଥିବା ବେଳେ କାର୍ତ୍ତିକ ପ୍ରତିପଦା ତିଥିରେ ଏହା ଆରମ୍ଭ ହୋଇ ତିନିଦିନ ଧରି ଚାଲିଥାଏ । ଏହି ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରାଚୀନ ଲୋକବାଦ୍ୟ ଧୁନକେଲ , ଢୋଲ, ନିଶାନ ,ମହୁରୀର ତାଳେ ତାଳେ ଉଦଣ୍ଡ ନୃତ୍ୟ କରି ବରୁଆମାନେ  ନିଆଁମଡା ପଡିଆକୁ  ଆସିଥାନ୍ତି । ସେଠାରେ ବରୁଆମାନେ ଜ୍ବଳନ୍ତା ଅଙ୍ଗାର ଉପରେ ଚାଲିବା ପରେ ଶହ ଶହ ଶ୍ରଦ୍ଧାଳୁଙ୍କୁ ଖାଲି ପାଦରେ ନିଆଁ ଉପରେ ଚାଲୁଥିବାର ଦେଖିବାକୁ ମିଳିଥାଏ । ବିଶ୍ୱାସ ରହିଛି ଜ୍ବଳନ୍ତା ଅଙ୍ଗାରରେ ଚାଲିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ଏହି ନିଆଁମଡା ଯାତ୍ରାରେ ତନ୍ତ୍ର ମନ୍ତ୍ରର ପ୍ରୟୋଗରେ ଅଗ୍ନି ସ୍ତମ୍ବନ ମନ୍ତ୍ର ପ୍ରୟୋଗ କରି ନିଆଁକୁ ଶାନ୍ତ କରାଯାଏ । ଫଳରେ ନିଆଁ ଉପରେ ଖାଲି ପାଦରେ ଚାଲିଲେ ବି ତାହା ଶିତଳତା ପ୍ରଦାନ କରିଥାଏ ବୋଲି ଲୋକ ବିଶ୍ବାସ ରହିଛି ।

ତେବେଗଡଜାତ ଶାସନ ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରା  ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକଙ୍କ ବେଶ୍ ଭିଡ ଦେଖିବାକୁ ମିଳିଥାଏ ।

 ଗଣପତି ବାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button