ଓଡ଼ିଶା

ଏମ୍‌ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ, ଜାତୀୟ ଅନୁଷ୍ଠାନରେ ଆରମ୍ଭ ହେଲା ଇ-ଅଫିସ ବ୍ୟବସ୍ଥା ,କାର୍ଯ୍ୟକ୍ଷମ ହେଲା ଏମ୍‌ସ ଧର୍ମଶାଳା

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ଆଜି ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହି ସୁବିଧା ଏମ୍‌ସରେ ପ୍ରଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ଉନ୍ନତି ଆଣିବ ।  ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଅଭିଯାନକୁ ସାକାର କରିବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଇ-ଅଫିସ୍ ବ୍ୟବସ୍ଥା ନିଷ୍ପତି ନେବା ପ୍ରକ୍ରିୟାକୁ ମଧ୍ୟ ଗତି ପ୍ରଦାନ କରିବ । ଯାହାକି ଏମ୍‌ସର କାର୍ଯ୍ୟଧାରାକୁ ଆହୁରି ଅଧିକ ଆଗକୁ ନେବ ବୋଲି ଏହି ଜାତୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି ।

୧୧ତମ ପ୍ରତିଷ୍ଠା ଦିବସ ଅବସରରେ ଏମ୍‌ସ ଧର୍ମଶାଳା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟ ଏହି ଧର୍ମଶାଳାର ସୁବିଧା ନେବାକୁ ହେଲେ ଧର୍ମଶାଳା କମିଟି କିମ୍ବା ଏମ୍‌ସ ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପଡ଼ିବ । ରୋଗୀଙ୍କୁ ଚିକିତ୍ସା କରୁଥିବା ସଂପୃକ୍ତ ଡାକ୍ତରଙ୍କ ନିକଟରୁ ଧାର୍ଯ୍ୟ ଫର୍ମରେ ଆବଶ୍ୟକ ଲେଖା ଆଣିବାକୁ ହେବ ବୋଲି ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି ।

ମୁଖ୍ୟ ଅତିଥି ଭାବରେ ଏମ୍‌ସ ପାଟ୍‌ନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଗୋପାଳ କୃଷ୍ଣ ପାଲ ଅଭିଭାଷଣ ପ୍ରଦାନ କରି ଏନ୍‌ଆଇଆରଏଫ୍ ତାଲିକାରେ ଏମ୍‌ସ ଭୁବନେଶ୍ୱର ୨୬ରୁ ୧୭ତମ ସ୍ଥାନକୁ ଲମ୍ଫ ପ୍ରଦାନ କରି ଜାତୀୟସ୍ତରରେ ଗୌରବ ବୃଦ୍ଧି କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ସେହିପରି ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ଇଣ୍ଡିଆ ଟୁଡେରେ ମଧ୍ୟ ଏମ୍‌ସ ଭୁବନେଶ୍ୱର ୨୦ରୁ ୧୮ତମ ସ୍ଥାନକୁ ଉନ୍ନୀତ ହୋଇଛି । ଯାହାକି ନିଶ୍ଚିତଭାବେ ପ୍ରଶଂସନୀୟ ବୋଲି ଡ. ପାଲ୍ ମତବ୍ୟକ୍ତ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମଣିଷ ଜୀବନରେ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏମ୍‌ସ ଭୁବନେଶ୍ୱରର ପ୍ରେସିଡେଂଟ୍‌ପ୍ରଫେସର ଅକ୍ଷୟ କୁମାର ବିଶୋଇ କହିଥିଲେ ଯେ ରୋଗୀ ସେବା ହେଉ ଅଥବା ଗବେଷଣା କିମ୍ବା ଅନ୍ୟାନ୍ୟ ସାମାଜିକ କଲ୍ୟାଣକାରୀ କାର୍ଯ୍ୟ, ଏହି ଅନୁଷ୍ଠାନ ରାଜ୍ୟ ତଥା ପଡୋଶୀ ରାଜ୍ୟବାସୀଙ୍କ ହୃଦୟ ଜିତିପାରିଛି । ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ.ପ୍ରଶାନ୍ତ ରାଘବ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଏହି ଜାତୀୟ ଅନୁଷ୍ଠାନ ହାସଲ କରିଥିବା ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଡ. ଶ୍ୱେତା ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟଯେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହି ଅନୁଷ୍ଠାନ ୨୦୧୨ ରେ କାର୍ଯ୍ୟ ଆରମ୍ଭ କରିଥିଲା । ୨୦୧୪ ରେ ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା । ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଏକମାତ୍ର ଏମ୍ସ ଯାହା  ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ସଦ୍ୟ ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରକୁ ପ୍ରତିଦିନ ପ୍ରାୟ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ।

Leave a Reply

Your email address will not be published.

Back to top button