
ନୂଆଦିଲ୍ଲୀ: ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ସାମାନ୍ୟ ଆସ୍ବସ୍ତି। ଜମି ବଦଳରେ ଚାକିରି ଦୁର୍ନୀତିରେ ଚଳିତ ମାସରେ ତାଙ୍କୁ ଗିରଫ କରାଯିବ ନାହିଁ। ଦିଲ୍ଲୀ ହାଇକୋର୍ଟଙ୍କୁ ଏହି ସୂଚନା ଦେଇଛି ସିବିଆଇ। ଦିଲ୍ଲୀ ହାଇକୋର୍ଟରେ ସିବିଆଇ ସମନ ରଦ୍ଦ କରିବାକୁ ତେଜସ୍ବୀ ଆବେଦନ କରିଥିଲେ। ହେଲେ ଯାଚିକାକୁ କୋର୍ଟ ଖାରଜ କରି ଦେଇଛନ୍ତି।
ଜବ ଫର ଲ୍ୟାଣ୍ଡ ଦୁର୍ନୀତିକୁ ନେଇ ଦିଲ୍ଲୀ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ହାଜର ହେବାକୁ ସମନ କରିଥିବା ବେଳେ ତେଜସ୍ବୀ ପତ୍ନୀଙ୍କ ଅସୁସ୍ଥାତା ଦର୍ଶାଇ ଏଡାଇ ଦେବା ସହ ଦିଲ୍ଲୀ ହାଇକୋର୍ଟରେ ସମନକୁ ରଦ୍ଦ କରିବାକୁ ଅପିଲ କରିଥିଲେ। ଯାଚିକାରେ ତେଜସ୍ବୀ ଉଲ୍ଲେଖ କରିଥିଲେ କି, ସିଆରପିସିର ଧାରା ୧୬୦ ଅନ୍ତର୍ଗତ ଘଟଣା ପାଟନାର ହୋଇଥିବାରୁ ପାଟନା ସିବିଆଇ ସମନ କରିପାରିବ। କିନ୍ତୁ ତାଙ୍କ ଦିଲ୍ଲୀ ସିବିଆଇ ସମନ କରିଛି, ଯାହା ବେଆଇନ। ଏଥିସହ ବର୍ତ୍ତମାନ ବିହାର ବିଧାନସଭା ଚାଲିଥିବାରୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ସମୟ ଦେବାକୁ ଅପିଲ କରିଥିଲେ ତେଜସ୍ବୀ। ସିବିଆଇ ତିନି ଥର ଏହି ଅନୁରୋଧ କରି ସାରିଛନ୍ତି। କିନ୍ତୁ କୋର୍ଟ ତାଙ୍କ ଆବଦନକୁ ଖାରଜ କରିଦେଇଛନ୍ତି। ସେପଟେ ମାମଲାକୁ ନେଇ କୋର୍ଟଙ୍କୁ ସିବିଆଇ ଅବଗତ କରିଛି କି, ଚଳିତ ମାସରେ ତାଙ୍କୁ ଗିରଫ କରାଯିବ ନାହିଁ।
ସୂଚନାଯୋଗ୍ୟ, ୨୦୦୪-୯ ମଧ୍ୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ତାଙ୍କୁ ତଥା ତାଙ୍କ ପରିବାରକୁ ଉପହାରରେ ଜମି ମିଳିବା ବା ଜମି ବଦଳରେ ଚାକିରି ଦେବା ନେଇ ଅଭିଯୋଗ ରହିଛି। ସିବିଆଇ ଅଧିକାରୀ କହିଛନ୍ତି କି, ସିବିଆଇ ମାମଲାରେ ଅପରାଧିକ ଷଡଯନ୍ତ୍ର ଓ ଭ୍ରଷ୍ଟାଚାର ପ୍ରତିରୋଧକ ଆଇନ ଅନ୍ତର୍ଗତ ଲାଲୁ, ତାଙ୍କ ପତ୍ନୀ ରାବଡି ଦେବୀ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲା।