ଜାତୀୟ

୪ ଉପରାଷ୍ଟ୍ରପତି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ

ଆଜି ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦବୀ ଉପରାଷ୍ଟ୍ରପତି ପଦ ପାଇଁ ସଂସଦ ଭବନ ପରିସରରେ ଭୋଟିଂ ହୋଇଛି। ଷୋଡ଼ଶ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ଜଗଦୀପ ଧନକର ଓ ମିଳିତ ବିରୋଧୀ ଦଳର ମାର୍ଗାରେଟା ଆଲଭା ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ ଆଜି ଯାଏ କେବଳ ୪ ଜଣ ଉପରାଷ୍ଟ୍ରପତି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ଦେଶର ପ୍ରଥମ, ଦ୍ୱିତୀୟ, ସପ୍ତମ ଓ ନବମ ଉପ-ରାଷ୍ଟ୍ରପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ୧୯୫୨ରେ ଦେଶର ପ୍ରଥମ ଉପ-ରାଷ୍ଟ୍ରପତି ନିର୍ବାଚନ ବେଳେ ଦୁଇ ଜଣ ପ୍ରାର୍ଥୀ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଆଉ ଜଣେ ସେଖ୍ ଖାଦିର୍ ହୁସେନ୍ ପ୍ରତିଦ୍ୱନ୍ଦିତା କରିବାକୁ ଓହ୍ଲାଇଥିଲେ।

ଉଭୟ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ଯାଞ୍ଚ ପରେ ହୁସେନଙ୍କର ନାମାଙ୍କନକୁ ଖାରଜ କରିଦେଇଥିଲେ ରିଟର୍ଣ୍ଣିଂ ଅଫିସର। ଆଉ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଏପ୍ରିଲ ୨୫, ୧୯୫୨ରେ ଘୋଷଣା କରାଯାଇଥିଲା। ୧୯୫୭ରେ ବି ଦ୍ୱିତୀୟ ଥର ପାଇଁ ଏହି ପଦବୀକୁ ବିନା ପ୍ରତିଦ୍ୱନ୍ଦିତାରେ ଆଉ ଥରେ ନିର୍ବାଚିତ ହୋଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ମେ ୧୨, ୧୯୫୭ରେ ତାଙ୍କର କାର୍ଯ୍ୟକାଳ ସରୁଥିବା ବେଳେ ଏପ୍ରିଲ ୨୩, ୧୯୫୭ରେ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ପୁଣି ଥରେ। ଦେଶର ସପ୍ତମ ଉପରାଷ୍ଟ୍ରପତି ଭାବରେ ୧୯୭୯ରେ ମହମ୍ମଦ ହିଦ୍ୟାତୁଲ୍ଲା ନିର୍ଦ୍ୱନ୍ଦରେ ନିର୍ବାଚିତହୋଇଥିଲେ। ଅଗଷ୍ଟ ୩୧, ୧୯୭୯ରେ ସେ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ। ଫେବୃଆରୀ ୧୯୬୮ରୁ ଡିସେମ୍ୱର ୧୯୭୦ ଯାଏ ସିଜେଆଇ ଥିଲେ ହିଦ୍ୟାତୁଲ୍ଲା। କେବଳ ଉପରାଷ୍ଟ୍ରପତି ନୁହେଁ, ଦେଶର କାମଚଳା ରାଷ୍ଟ୍ରପତିଭାବରେ ବି ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ ହିଦ୍ୟାତୁଲ୍ଲା। ନବମ ଉପ-ରାଷ୍ଟ୍ରପତି ଭାବରେ ୧୯୮୭ରେ ଡକ୍ଟର ଶଙ୍କରଦୟାଲ ଶର୍ମା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। କିନ୍ତୁ ସ୍କ୍ରୁଟିନି ଅଫିସର ନାମାଙ୍କନ ଯାଞ୍ଚ ପରେ କେବଳ ଶଙ୍କର ଦୟାଲ ଶର୍ମାଙ୍କ ନାମାଙ୍କନ ପତ୍ର ବୈଧ ବୋଲି ଘୋଷଣା କରିଥିଲେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ପରେ ହିଁ ଶଙ୍କରଦୟାଲ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button