ୱାକଫ ବୋର୍ଡର ଅସୀମିତ କ୍ଷମତା, ଅଙ୍କୁଶ ଲାଗିବାକୁ ଆସୁଛି ବିଲ୍

ୱାକଫ ବୋର୍ଡ ସଂଶୋଧନ ଅଧିନିୟମ ବିଲ୍ ଆଣିଲେ ମୋଦି ସରକାର। ବୋର୍ଡର ଶକ୍ତି କମିଲା। ମହିଳାଙ୍କ ଅଧିକାର ବଢ଼ିଲା। ୪ ଟି ବଡ଼ ପରିବର୍ତ୍ତନକୁ ନେଇ ଘମାସାନ ହୋଇଛି ରାଜନୀତି। ସଡ଼କରୁ ସଂସଦ ହୁଲସ୍ତୁଲ ହୋଇଛି। ଉପା ସରକାର ଓ୍ୱାକଫ ବୋର୍ଡର କ୍ଷମତା ବଢ଼ାଇଥିଲା ବେଳେ ଏନଡିଏ ସରକାର ଲଗାଇଛି ଲଗାମ। ସଂସଦରେ ସଂଶୋଧିତବିଲ୍ ଆଣିବା ଆଗରୁ ମିଡିଆରେ ଏ ଖବର ପ୍ରଚାରିତ ପରେ ଏହାକୁ ନେଇ ତେଜିଥିଲା ରାଜନୀତି। ମୋଦି ସରକାରଙ୍କ ହିନ୍ଦୁତ୍ୱ ଏଜେଣ୍ଡାକୁ ଚରିତାର୍ଥ ଲାଗି ଓ୍ୱାକଫ ବୋର୍ଡର ସ୍ୱତନ୍ତ୍ରତାକୁ ସମାପ୍ତ ଲାଗି ଏଭଳି ହୀନ ପ୍ରୟାସ ବୋଲି ବିରୋଧୀ କହିଥିଲା ବେଳେ ଶାସକ ଦଳ କହିଛି, ବୋର୍ଡର ଅସୀମିତ କ୍ଷମତା ଉପରେ ଅଙ୍କୁଶ ଲାଗିବା ଜରୁରୀ।

ଓ୍ୱାକଫ ବୋର୍ଡ ସଂଶୋଧନ ବିଧେୟକକୁ ନେଇ ତେଜିଲା ରାଜନୀତି। ଓ୍ୱାକଫ ଆକ୍ଟ ୧୯୯୫ରୁ ଅଛି। ୨୦୧୩ରେ ଏଥିରେ ସଂଶୋଧନ ଆଣିଥିଲେ ଉପା ସରକାର। ଓ୍ୱାକଫ ବୋର୍ଡର କ୍ଷମତା ବୃଦ୍ଧି କରିଥିଲେ। ହେଲେ ୧୧ ବର୍ଷ ପରେ ଓ୍ୱାକଫ ବୋର୍ଡ ସଂଶୋଧନ ବିଧେୟକକୁ ଆଣିଛନ୍ତି ମୋଦି ସରକାର। ବୋର୍ଡରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି ମୋଦି ସରକାର। ବୋର୍ଡର କ୍ଷମତା ସଙ୍କୁଚିତ ସହ ଏଣିକି ମହିଳା ବି ବୋର୍ଡରେ ରହିବାର ପ୍ରାବଧାନ ରଖାଯାଇଛି ବିଲ୍ ରେ। ଯାହାକୁ ନେଇ ମୁସଲିମ ନେତା ରୋଷ ଝାଡ଼ିଛନ୍ତି। ଓ୍ୱାକଫ ବୋର୍ଡକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସଂସଦରେ ବିଲ୍ ପାରିତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଓ୍ୱାକଫ ବୋର୍ଡରେ ସୁଧାର ଆଣିବାକୁ ଏହି ସଂଶୋଧିତ ବିଲ୍ ଜରୁରୀ ବୋଲି ଯୁକ୍ତି ବାଢ଼ିଛନ୍ତି ସରକାର। ବିଧେୟକ ମୁତାବକ ଏଥିରେ ମହିଳା ରହିବା ସହ ସମସ୍ତ ରାଜ୍ୟ ସହ କେନ୍ଦ୍ର ପରିଷଦରେ ବି ଦୁଇ ଜଣ ଲେଖାଏଁ ମହିଳାଙ୍କୁ ନିଯୁକ୍ତି ଦିଆଯିବ।

ଗଲା ଶୁକ୍ରବାର କେନ୍ଦ୍ର ମନ୍ତ୍ରୀପରିଷଦ ବି ଓ୍ୱାକଫ ବୋର୍ଡ ଅଧିନିୟମରେ ମୋଟ୍ ୪୦ଟି ସଂଶୋଧନକୁ ମଞ୍ଜୁରୀ ଦେଇସାରିଛି। ସରକାରଙ୍କ ଯୁକ୍ତି ହେଲା କି, ମୁସଲିମ ମହିଳା ଓ ଛୋଟ ପିଲା ସବୁଠୁ ଅଧିକ ପୀଡ଼ିତ। ଛାଡ଼ପତ୍ର ପାଇଥିବା ମହିଳା ନିଜ ସହ ନିଜ ପିଲାଙ୍କ ଅଧିକାର ପାଉନି। ସମସ୍ତଙ୍କୁ ନ୍ୟାୟ ଦେବାକୁ ପ୍ରତିବଦ୍ଧ ମୋଦି ସରକାର ନୂଆ ବିଧେୟକରେ ରାଜ୍ୟ ଓ୍ୱାକଫ ବୋର୍ଡରେ ଦୁଇ ମହିଳା ଓ କେନ୍ଦ୍ରୀୟ ପରିଷଦରେ ଦୁଇ ମହିଳାଙ୍କୁ ସାମିଲ୍ କରାଯିବ ବୋଲି ସଂଶୋଧିତ ନିୟମ ଆଣିଛନ୍ତି। ପ୍ରଚଳିତ ଅଧିନିୟମରେ ଓ୍ୱାକଫ ସମ୍ପତ୍ତିକୁ କୌଣସି ଅଦାଲତରେ ଚ୍ୟାଲେଞ୍ଜ୍ କରାଯାଇପାରିବନି। ସାଉଦି ଆରବ,ଓମାନ ଭଳି ମୁସଲିମ ଦେଶରେ ବି ଏମିତି ଆଇନ୍ ନାହିଁ। ଥରେ ଯଦି କୌଣସି ଜମି ବୋର୍ଡ ଅଧିନକୁ ଚାଲିଯାଉଛି। ତାକୁ ପୁଣି ଥରେ ଫେରାଇ ଆଣିବା ସମ୍ଭବପର ହେଉନି। ଓ୍ୱାକଫ ବୋର୍ଡର ଏମିତି ମନମାନିକୁ ଲଗାମ ଲାଗିବା ଜରୁରୀ। ଓ୍ୱାକଫ ବୋର୍ଡ ଆଉ ପୂର୍ବଭଳି ଗରିବ, ବେସାହାରାଙ୍କ ସ୍ୱାର୍ଥ ଲାଗି ନାହିଁ। ଏଣିକି ଏହା କ୍ଷମତାଶାଳୀଙ୍କ କବଜାରେ ରହିଛି। ତେବେ ଏହାକୁ ନେଇ ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓଓ୍ୱେସି କହିଛନ୍ତି, ଆରମ୍ଭରୁ ଓ୍ୱାକଫ ବୋର୍ଡ ସମ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ନଜର ରହିଛି। ନିଜର ହିନ୍ଦୁତ୍ୱ ଏଜେଣ୍ଡାକୁ ଧରି ଓ୍ୱାକଫ ବୋର୍ଡର ସ୍ୱତନ୍ତ୍ରତାକୁ ସମାପ୍ତ ଲାଗି ପ୍ରୟାସ କରୁଛନ୍ତି ମୋଦି ସରକାର। ଅଧିବେଶନ ଚାଲୁ଼୍ଥିଲା ବେଳେ କିଭଳି ମିଡିଆକୁ ଏ ଖବର ଗଲା। ଗୃହକୁ ତା ହେଲେ ବିଶ୍ୱାସକୁ ନ ନେଇ ସରକାର ନିଜର ସ୍ୱେଛାଚାରିତା ଦେଖାଇବାକୁ ଚାହୁଁଛନ୍ତି। ଧାର୍ମିକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ହୀନ ପ୍ରୟାସ କରୁଛନ୍ତି। କଂଗ୍ରେସ କହିଛି, କୌଣସି ସଂଶୋଧିତ ବିଲ ଆଣିବା ଆଗରୁ ବିରୋଧୀଙ୍କ ସମେତ ନିଜ ମେଣ୍ଟ ସହଯୋଗୀଙ୍କ ସହ କଥା ହୁଅନ୍ତୁ ପ୍ରଧାନମନ୍ତ୍ରୀ।

ଦେଶରେ ଏବେ ୩୦ଟି ଓ୍ୱାକଫ ବୋର୍ଡ ଅଛି। ସମସ୍ତ ଓ୍ୱାକଫ୍‌ ବୋର୍ଡର ସମ୍ପତ୍ତିରୁ ପ୍ରତି ବର୍ଷ ୨ଶହ କୋଟି ଟଙ୍କାର ରାଜସ୍ୱ ପାଉଥିବାର ଆକଳନ କରାଯାଉଛି। ଯେଉଁ ଜାଗାରେ ଓ୍ୱାକଫ ବୋର୍ଡ ନାହିଁ, ସେଠାରେ ଟ୍ରିବ୍ୟୁନାକୁ ବି କେହି ଯାଇପାରିବେ। ଏଥିରେ ଆବଶ୍ୟକୀୟ ସଂଶୋଧନ ଆଣିବାକୁ ପ୍ରସ୍ତାବ ରଖିଛନ୍ତି ସରକାର। ଓ୍ୱାକଫ ବୋର୍ଡର ବିବାଦୀୟ ଓ ପୁରୁଣା ସମ୍ପତ୍ତି ଯାହା ଉପରେ କେହି ଦାବିଦାର ନାହାନ୍ତି, ପ୍ରସ୍ତାବିତ ଆକ୍ଟ ଅନୁସାରେ ଏଣିକି ଏହାର ସମାଧାନ ହେବ। ଓ୍ୱାକଫ ବୋର୍ଡର ନିଷ୍ପତ୍ତି ବିରୁଦ୍ଧରେ ଏଣିକି ହାଇକୋର୍ଟରେ ଅପିଲ୍ କରିହେବ। ଗୋଟିଏ ଧାର୍ମିକ ବୋର୍ଡକୁ ଅସୀମିତ କ୍ଷମତା ଦେଇଥିଲା ଉପା ସରକାର। ୧୯୯୫ର ଧାରା ୩ରେ କୁହାଯାଇଥିଲା କି,ଯଦି ଓ୍ୱାକଫ ଭାବୁଛି ଯେ ଜମି କୌଣସି ମୁସଲମାନଙ୍କର ତ ସେ ସମ୍ପତ୍ତି ଓ୍ୱାକଫ ବୋର୍ଡର ହୋଇଯିବ। ଓ୍ୱାକଫ ବୋର୍ଡକୁ ଏ ବାବଦରେ କୌଣସି ପ୍ରମାଣ ଦେବାକୁ ପଡ଼ିବନି। ସରଳ ଭାଷାରେ କହିଲେ, ବୋର୍ଡ ପାଖରେ ଥିବା କୌଣସି ସମ୍ପତ୍ତିକୁ ନିଜର ସମ୍ପତ୍ତି ବୋଲି ଘୋଷଣା କରିବାର ଅଧିକାର ଅଛି। ତର୍କ ଦିଆଯାଉଥିଲା ଯେ, ଏହି ସମ୍ପତ୍ତି କୌଣସି ଗରିବ ମୁସଲିମଙ୍କ ସ୍ୱାର୍ଥରେ ଲାଗିବ।

ମୂଳ ରୂପରେ ପୁରା ଦେଶରେ ଓ୍ୱାକଫ ପାଖରେ ୫୨ହଜାର ସମ୍ପତ୍ତି ଅଛି। ୨୦୦୯ ଯାଏ ୪ଲକ୍ଷ ଏକର ଜମି ସହ ୩ ଲକ୍ଷ ପଞ୍ଜୀକୃତ ଓ୍ୱାକଫ ସମ୍ପତ୍ତି ଥିଲା। ଆଜିକା ତାରିଖରେ ୮ଲକ୍ଷ ଏକର ଜମି ଅଛି। ୧୩ ବର୍ଷ ଭିତରେ ଓ୍ୱାକଫ ବୋର୍ଡ ଦୁଇ ଗୁଣା ଜମି ହାତେଇଛି। ଏହା ସମେତ ୩ଲକ୍ଷ୨୯ହଜାର ୯୯୫ ଓ୍ୱାକଫ ସମ୍ପତ୍ତିର ଜିଓଗ୍ରାଫିକ୍ ଇନଫର୍ମେସନ ସିଷ୍ଟମ ବା ଜିଆଇଏସ ମ୍ୟାପିଂ ହୋଇଛି। ଓ୍ୱାକଫ ବୋର୍ଡର ଆନୁମାନିକ ସମ୍ପତ୍ତି ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା। ଏହା ସହ ସଶସ୍ତ୍ର ବଳ, ରେଳବାଇ ପରେ ଦେଶର ତୃତୀୟ ସର୍ବବୃହତ ଜମିର ସତ୍ତ୍ୱାଧିକାରୀ ସାଜିଛି ଓ୍ୱାକଫ ବୋର୍ଡ। ୟୁପିରେ ସର୍ବାଧିକ ଓ୍ୱାକଫର ସମ୍ପତ୍ତି ଅଛି। ୟୁପି ସୁନି ବୋର୍ଡ ପାଖରେ ୨ଲକ୍ଷ ୧୦ହଜାର ୨୩୯ ସମ୍ପତ୍ତି ଥିଲା ବେଳେ ସିୟା ବୋର୍ଡ ପାଖରେ ୧୫ହଜାର ୩୮୬ ସମ୍ପତ୍ତି ଅଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *