ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଦ ଛାଡ଼ିବେ । ଏନେଇ ସେ ଘୋଷଣା କରିଛନ୍ତି । ଦୁଇଦିନ ଭିତରେ ସେ ପଦ ଛାଡ଼ିବା ସହ ଦିଲ୍ଳୀର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ତାଙ୍କ ବଦଳରେ ପତ୍ନୀ ସୁନୀତା କେଜ୍ରିୱାଲ୍ ମୁଖ୍ୟମନ୍ତ୍ରୀ ହେବେବୋଲି ଜାଣିବାକୁ ମିଳିଛି । କାହିଁକିନା ଆପରେ ମୁଖ୍ୟମନ୍ତ୍ରୀ ହେବା ଭଳି ଆଉ କୌଣସି ବଡ଼ ନେତା ନାହାନ୍ତି । ଯେଉଁମାନେ ବି ଅଛନ୍ତି, ସେମାନଙ୍କ ନାମରେ ବିଭିନ୍ନ ମାମଲା ରହିଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ହୁଅନ୍ତୁ କି ସାଂସଦ ସଞ୍ଜୟ ସିଂହ ହୁଅନ୍ତୁ ସମସ୍ତଙ୍କ ନାମରେ ସଂଗୀନ୍ ମାମଲା ରହିଛି । ଉଭୟ ମଧ୍ୟ ଜେଲରେ ରହି ଫେରିଛନ୍ତି । ଏଭଳି ସ୍ଥିତିରେ ସୁନୀତା ହିଁ ଶ୍ରେଷ୍ଠ ବିକଳ୍ପ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ଇଡ଼ି ଓ ସିବିଆଇ ଜାଲରେ ଛନ୍ଦି ହୋଇ ଯାଇଥିବା କେଜ୍ରିୱାଲ୍ ଦୀର୍ଘଦିନ ଧରି ଜେଲରେ ରହିଥିଲେ । ନିକଟରେ ସେ ଜାମିନରେ ଜେଲରୁ ମୁକୁଳିଛନ୍ତି । ତେବେ ସେ ଅଫିସ ଯାଇପାରିବେନି କିମ୍ବା କୌଣସି ଫାଇଲରେ ଦସ୍ତଖତ କରିପାରିବେନି ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଅର୍ଥାତ୍ ସେ ମୁଖ୍ୟମନ୍ତ୍ରୀ ଭାବେ କୌଣସି ଦାୟିତ୍ୱ ତୁଲାଇପାରିବେ ନାହିଁ । ଏହାକୁ ଅନୁଶୀଳନ କରିବା ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଯାହାକି ଏବେ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now