ପଞ୍ଜାବର ମୁକ୍ତସର ଜିଲ୍ଲାରେ ଜଣେ ଏମଡି ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ୍ କଲେଜରେ ପିଜି ପଢୁଥିଲେ। ରବିବାର ସକାଳେ ୨୫ ବର୍ଷୀୟ ନବଦୀପ ସିଂଙ୍କ ମୃତଦେହ ପାର୍ସି ଅଞ୍ଜୁମନ ହୋଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ନବଦୀପ ୨୦୧୭ର ନିଟ୍ ୟୁଜିର ପରୀକ୍ଷାରେ ସମଗ୍ର ଦେଶରେ ଟପ୍ପର ଥିଲେ।ରେଡିଓଲୋଜିରେ ପିଜି ପଢୁଥିଲେ। ତାଙ୍କ ଆତ୍ମହତ୍ୟା ଖବର ମୁକ୍ତସରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପୋଲିସ ଅନୁଯାୟୀ, ନବଦୀପଙ୍କ ବାପା ତାଙ୍କୁ ଫୋନ କରିଥିଲେ। ଅନେକ ଥର ଫୋନ କରିବାପରେ ଫୋନ ରିସିଭ ନ କରିବାରୁ ସେ ନବଦୀପଙ୍କ କୌଣସି ସାଙ୍ଗ ପାଖକୁ ଯାଇ ଘଟଣା ବିଷୟରେ ପଚାରି ବୁଝିବାକୁ କହିଥିଲେ। ସାଙ୍ଗ ଜଣକ ନବଦୀପଙ୍କ ରୁମ୍ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ। ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ନବଦୀପ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନ ଥିବା ବେଳେ ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ଜଣା ପଡିନାହିଁ।ପୋଲିସ ମାମଲାର ତଦନ୍ତ ଜାରି ରଖିଛି।
୨୦୧୭ ଜୁନରେ ନିଟ୍ ପରୀକ୍ଷା ଫଳାଫଳ ଆସିବା ପରେ ପୁରା ମୁକ୍ତସରରେ ଖୁସିର ଲହରି ଖେଳି ଯାଇଥିଲା। ନବଦୀପ ସିଂ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଆଉ ଏବେ ତାଙ୍କର ଆତ୍ମହତ୍ୟା ଖବର ସଭିଙ୍କୁ ମ୍ରିୟମାଣ କରିଛି। ତାଙ୍କ ବାପା ଗୋପାଲ ସିଂ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ। ପୁଅ ଡାକ୍ତର ହେବାକୁ ଚାହୁଁଥିଲା ବୋଲି ବାପା ଗୋପାଲ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now