ନିଟ୍ ବିବାଦ : ଜୁଲାଇ ୧୮ରେ ଶୁଣାଣୀ

Spread the love

ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇନି। ଆଇଆଇଟି ମାଡ୍ରାସ ଏକ୍ସପର୍ଟଙ୍କ ଦ୍ୱାରା ଡାଟା ଆନାଲିସିସରୁ ଅନୁଧ୍ୟାନ ହୋଇଛି ଯେ, ପରୀକ୍ଷା ପରିଚାଳନାରେ କୌଣସି ଅସ୍ୱାଭାବିକତା ନାହିଁ। ସେଥିଲାଗି ପୁନଃ ପରୀକ୍ଷାର କୌଣସି ଆବଶ୍ୟକତା ନାହିଁ। ଯେଉଁ କିଛି ଜାଗାରେ ପରୀକ୍ଷାର୍ଥୀଙ୍କ ମାର୍କ ବଢ଼ିଛି, ସେଠାରେ ଅଧିକ କୋଚିଂ କ୍ଲାସ ହେତୁ ନମ୍ୱର ବଢ଼ିଛି। ଟେଲିଗ୍ରାମ୍ ଭିଡ଼ିଓ ଯେଉଁ ପ୍ରଶ୍ନପତ୍ର ଲିକ୍‌ ଫଟୋ ଦେଖାଇଥିଲା, ତାହା ଥିଲା ଫେକ୍। ସୁପ୍ରିମକୋର୍ଟରେ ନିଟ୍-ୟୁଜି ପରୀକ୍ଷା ଶୁଣାଣୀ ଆଗରୁ ଏଭଳି ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଓ ଏନଟିଏ ପୁନଃ ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ଯୁକ୍ତି ବାଢ଼ିଥିଲା। ସେପଟେ ଆଜି ଏହାର ଶୁଣାଣୀ ହୋଇପାରିନି। ଜୁଲାଇ ୧୮ରେ ଏହାର ଶୁଣାଣୀ ହେବ।

ନିଟ-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଦ୍ୱାରା ପରୀକ୍ଷାର ସମ୍ପୂର୍ଣ୍ଣ ବ୍ୟବସ୍ଥା ପ୍ରଭାବିତ ହୋଇଛି କି। ଅସାଧୁ ଉପାୟରେ ପରୀକ୍ଷାରେ ଉପକୃତ ଛାତ୍ରଛାତ୍ରୀ ଓ ସାଧୁତାର ସହ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା କରାଯାଇପାରିବ କି। ଯଦି ପୃଥକ୍‌ କାମ ସମ୍ଭବ ହେବନି, ତା ହେଲେ ପୁନଃ ପରୀକ୍ଷାର ଆବଶ୍ୟକତା ରହିଛି। ଯଦି ଅସାଧୁ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇପାରିବ, ତେବେ ପୁନଃ ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଥିଲେ ପ୍ରଧାନ ବିଚାରପତି। ପରୀକ୍ଷା ପରିଚାଳନା କରୁଥିବା ଏନଟିଏକୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ ଗଲା ୮ ତାରିଖରେ ଅଦାଲତ। କାଉନସେଲିଂ ଷ୍ଟାଟସ ସମ୍ପର୍କରେ ବି ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବାକୁ ହେବ ବୋଲି କହିଥିଲେ। ନିଟ୍-ୟୁଜିର ପୁନଃ ପରୀକ୍ଷା କରାଯିବ କି ନାହିଁ। ସେ ସମ୍ପର୍କରେ ତିନୋଟି ମାପଦଣ୍ଡ ଧାର୍ଯ୍ୟ କରିଥିଲେ ସୁପ୍ରିମକୋର୍ଟ। ବ୍ୟବସ୍ଥିତ ଭାବେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା କି। ସଚ୍ଚୋଟ ଛାତ୍ରଛାତ୍ରୀ ଓ ଜାଲିଆତି ଦ୍ୱାରା ଫାଏଦା ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା କରାଯାଇପାରିବ କି। ଅସାଧୁ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ଲାଗି କି ପ୍ରକ୍ରିୟା ରହିଛି। ସିବିଆଇକୁ ବି ତଦନ୍ତ ରିପୋର୍ଟ ମାଗିଥିଲେ ଅଦାଲତ। ତେବେ ଗୁରୁବାର ଶୁଣାଣୀ ଆଗରୁ ସୁପ୍ରିମକୋର୍ଟରେ କେନ୍ଦ୍ର ଓ ଏନଟିଏ ସତ୍ୟପାଠ ଦାଖଲ କରିଥିଲା। ସତ୍ୟପାଠରେ ଦର୍ଶାଯାଇଛି ଯେ, ନିଟ୍ ପରୀକ୍ଷାରେ କୌଣସି ଅନିୟମିତତା ହୋଇନି। କେବଳ ଆଶଙ୍କା ଆଧାରରେ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷାର ଚାପ ପକାଇବା ଉଚିତ୍ ହେବନି। ଆଇଆଇଟି ମାଡ୍ରାସ ଏକ୍ସପର୍ଟଙ୍କ ଦ୍ୱାରା ଡାଟା ଆନାଲିସିସରୁ ଏହା ସ୍ପଷ୍ଟ। ପରୀକ୍ଷାରେ ସାମୂହିକ ଗଡ଼ବଡିର କୌଣସି ସଙ୍କେତ ନାହିଁ। ହୋଇନି ମାସ୍ ମାଲପ୍ରାକ୍ଟିସ୍। ଯେଉଁ ଟେଲିଗ୍ରାମରେ ପେପର ଲିକ୍ ଭିଡ଼ିଓ ଭାଇରାଲ ହୋଇଥିଲା, ତାହା ଥିଲା ଫେକ୍। ସିବିଆଇ ବି କହିଥିଲା, ନିଟ୍ ପ୍ରଶ୍ନପତ୍ର ଲିକ୍ କେବଳ କିଛି ସେଣ୍ଟରରେ ସୀମିତ। ସୋସିଆଲ ମିଡିଆରେ ଲିକ୍ ହୋଇନି କି ଭାଇରାଲ ହୋଇନି। ସିକର, କୋଟା ଓ କୋଟାୟାମର କିଛି କେନ୍ଦ୍ରରେ ଯଦିଓ ପରୀକ୍ଷାର୍ଥୀଙ୍କ ଅଧିକ ନମ୍ୱର ଆସିଛି। ସେଠାରେ ଥିବା କୋଚିଂ ସେଣ୍ଟରରେ ପଢ଼ି ଏଭଳି ରେଜଲ୍ଟ ଆସିଛି। ସେଥିଲାଗି କୌଣସି ନିର୍ଦିଷ୍ଟ ସହରରେ ଅଧିକ ଟପର୍ ହୋଇଛନ୍ତି, ଏହା କହିବା ଉଚିତ ହେବନି।

ପରୀକ୍ଷା ବାତିଲ୍ ନେଇ ୩୮ଟି ଆବେଦନ ପଡ଼ିଥିଲା କୋର୍ଟରେ। ଏଥିରୁ ୩୪ଟି ଆବେଦନ ଛାତ୍ରଛାତ୍ରୀ, ଶିକ୍ଷକ ଓ କୋଚିଂ ଇନଷ୍ଚିଚ୍ୟୁଟ୍ ଦାଏର କରିଥିଲେ। ୪ଟି ଆବେଦନ ନାସନାଲ ଟେଷ୍ଟିଂ ଏଜେନ୍ସିଂ ନା ଏନଟିଏ କରିଥିଲା। ଜୁଲାଇ ତୃତୀୟ ସପ୍ତାହରୁ ହିଁ ନିଟ୍-ୟୁଜି ପାଇଁ କାଉନସେଲିଂ ଆରମ୍ଭ ହେବ ବୋଲି କହିଥିଲା ଏନଟିଏ। ଆଉ ଗୁରୁବାର ଶୁଣାଣୀକୁ ସମସ୍ତଙ୍କ ଅପେକ୍ଷା ଥିଲା। କିନ୍ତୁ ଏହାକୁ ସ୍ଥଗିତ ରଖି ଶୁଣାଣୀ ୧୮କୁ ଘୁଞ୍ଚିଛି। ନିଟ୍ ଶୁଣାଣୀ ସୋମବାରକୁ କରିବେ ବୋଲି କହିଥିଲେ ପ୍ରଧାନ ବିଚାରପତି। କାରଣ ସତ୍ୟପାଠ ସମସ୍ତେ ଦାଖଲ କରିସାରିଛନ୍ତି। ହେଲେ ଏନଟିଏ ଓ କେନ୍ଦ୍ର ଦ୍ୱାରା ଦାଖଲ ସତ୍ୟପାଠ ସମସ୍ତ ପକ୍ଷ ପାଇନାହାନ୍ତି। ସେଥିଲାଗି ତର୍କ ପାଇଁ ପ୍ରସ୍ତୁତି ଲାଗି ସମୟ ଦେବାକୁ ପଡ଼ିବ। କିନ୍ତୁ ଏସଜି ତୁଷାର ମେହେଟ୍ଟା କହିଥିଲେ, ସେ ଓ ଏଜି ସୋମବାର ଦିଲ୍ଲୀରେ ରହିପାରିବେନି। ସେଥିଲାଗି ବୁଧବାରକୁ ଶୁଣାଣୀ କରିବାକୁ ଅନୁରୋଧ କରିଥିଲେ। ଶେଷରେ ପ୍ରଧାନ ବିଚାରପତି ଏହାକୁ ଗୁରୁବାର ୧୮ ତାରିଖରେ ଶୁଣାଣୀ କରିବେ ବୋଲି କହିଛନ୍ତି।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *