ଷ୍ଟାଡିୟମ ଗ୍ୟାଲେରିରୁ ଖସି ପଡ଼ିଲେ ବିଧାୟିକା । ମୁଣ୍ଡରେ ଆଘାତ ଲାଗି ଉମା ଥୋମସ୍ ଗୁରୁତର । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ କଂଗ୍ରେସ ବିଧାୟିକା । ମାତ୍ର ୨୦ ଫୁଟ ଉଚ୍ଚତାରୁ ହଠାତ ତଳକୁ ଖସି ପଡିଥିଲେ । ଏଭଳି ଖବର ଆସିଛି କେରଳରୁ । ରବିବାର ସନ୍ଧ୍ୟାରେ କୋଚିର କଲ୍ଲୁରସ୍ଥିତ ଜାହାରଲାଲ ନେହେରୁ ଷ୍ଟାଡିୟମରେ ଏକ ବିଶାଳ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ କେରଳର ସଂସ୍କୃତି ମନ୍ତ୍ରୀ ସାଜି ଚେରୀୟନ ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମର ଉଦଘାଟନ ପୂର୍ବରୁ ଗ୍ୟାଲେରିରୁ ଖସି ପଡିଥିଲେ ଉମା । ତାଙ୍କ ମୁଣ୍ଡରେ ଗଭୀର ଅଘାତ ଳାଗିଛି । ଫଳରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ନିମନ୍ତେ ଏକ ସ୍ୱାସ୍ଥ୍ୟ ଟିମ ଗଠନ ହୋଇଛି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି ।
ତାଙ୍କର ବ୍ରେନ,ସ୍ପାଇନ,ଲଙ୍ଗସରେ ଆଘାତ ଲାଗିଛି ଏବଂ ସେ ଭେଣ୍ଟିଲେଟରରେ ଅଛନ୍ତି ।ତାଙ୍କର ମୁହଁ ଓ ପିଞ୍ଜରା ହାଡ଼ରେ ଫ୍ରାକଚର ସହ ଇଣ୍ଟରନାଲ ବ୍ଲିଡିଂ ଥିବା କୁହାଯାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାର ଯାଞ୍ଚ ଆରମ୍ଭ ହୋଇଛି। ଯଦି ଏଥିରେ କାହାର ଅବହେଳା ଜଣା ପଡ଼େ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କୁହାଯାଇଛି। କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ବିଧାୟିକା ଯେତେବେଳେ କୌଣସି କାରଣ ବଶତଃ ସନ୍ତୁଳନ ହରାଇଲେ ସେତିକିବେଳେ ସେ ରିବନ ବନ୍ଧା ଯାଇଥିବା ଅସ୍ଥାୟୀ ବ୍ୟାରିକେଡକୁ ଧରି ପକାଇଥିଲେ । ଯାହା ତାଙ୍କୁ ସୁରକ୍ଷା ଦେଇ ପାରି ନଥିଲା । ଓ ସେ ତଳକୁ ଖସି ପଡ଼ିଥିଲେ । ତେବେ ଷ୍ଟାଡିୟମରେ ସୁରକ୍ଷା ସମ୍ୱନ୍ଧୀୟ କୌଣସି ସମସ୍ୟା ନାହିଁ ଯାହା ହୋଇଛି ତାହା ଅସ୍ଥାୟୀ ମଞ୍ଚରେ ହୋଇଛି ବୋଲି ସଫେଇ ଦିଆଯାଇଛି । ମୃଦଙ୍ଗନାଦମ୍ କାର୍ଯ୍ୟକ୍ରମର ଆୟୋଜକ କିଛିଟା ଖିଲାପ କରିଥାଇ ପାରନ୍ତି ବୋଲି ଷ୍ଟାଡିୟମ ପକ୍ଷରୁ କୁହାଯାଇଛି । ଘଟଣାକୁ ନେଇ ପଲ୍ଲାରୀଭଟମ ପୋଲିସ ଇଭେଣ୍ଟ ଅର୍ଗାନାଇଜର ଓ ଷ୍ଟେଜ କଣ୍ଟ୍ରାକ୍ଟରଙ୍କ ବିରୋଧରେ କେସ ଫାଇଲ କରିଛି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୫, ୧୨୫(ବି), ୩(୫) ସହ କେରଳ ପୋଲିସ ଆକ୍ଟ୨୦୧୧ର ୧୧୮(ଇ) ଲାଗୁ ହୋଇଛି ।
ଭିଆଇପିଙ୍କ ନିର୍ମାଣ ହୋଇଥିବା ଅସ୍ଥାୟୀ ଷ୍ଟେଜରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନକରିବା, ଚଳପ୍ରଚଳ ପାଇଁ ସ୍ଥାନ ସଠିକ ନ ରଖିବା ଆଦି କାରଣ ହିଁ କାଳ ହୋଇଛି । ତେବେ ସେହି କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ଦିବ୍ୟା ଉନ୍ନିଙ୍କ ସହ ୧୨ହଜାର ନୃତ୍ୟଶିଳ୍ପୀ ଭରତନାଟ୍ୟମ ନୃତ୍ୟ କରିଥାନ୍ତେ । ତେରୁ ରାଜ୍ୟର ବହୁ ଭିଆଇପିଙ୍କର ସମାଗମ ସେହି କାର୍ଯ୍ୟକ୍ରମରେ ହୋଇଥିଲା । ଭିଆଇପି ଗ୍ୟାଲେରୀର ସିଟିଂ କାପାସିଟି ୪୦ ଥିଲା । ତେବେ ଉମା ଥୋମାସ କେରଳ ବିଧାନସଭାର ସଦସ୍ୟା । ସେ ଥ୍ରୀକ୍କାକାରା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ୨୦୨୨ ମସିହା ଉପନିର୍ବାଚନରେ ବିଜୟୀ ହୋଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now