ରାଜନୀତି

ରାଜସ୍ଥାନ କଂଗ୍ରେସରେ ଅସନ୍ତୋଷ

ଜୟପୁର:  ରାଜସ୍ଥାନରେ କ୍ଷମତା ପରିବର୍ତ୍ତନକୁ ନେଇ ବଡ଼ ଧରଣର ବିବାଦ ଓ ବିଦ୍ରୋହ ପୁଣି ମୁଣ୍ଡ ଟେକିଛି। ଗେହଲଟଙ୍କ ସ୍ଥାନରେ ପାଇଲଟଙ୍କୁ କୌଣସିମତେ ମୁଖ୍ୟମନ୍ତ୍ରୀ କରାଇଦେବାକୁ ଚାହୁଁନାହାନ୍ତି ଅଧିକାଂଶ ବିଧାୟକ। ସେଥିଲାଗି ପାଇଲଟଙ୍କ ସମ୍ଭାବ୍ୟ ନେତୃତ୍ୱ ବିରୁଦ୍ଧରେ କେବଳ ମେଳି ବାନ୍ଧିନାହାନ୍ତି ଗେହଲଟଙ୍କ ସମର୍ଥିତ ବିଧାୟକ। ଇସ୍ତଫା ବି ଦେଇଛନ୍ତି। ଦିଲ୍ଲୀ ଦରବାରରେ ଏଭଳି ଚାପ ପକାଇଛନ୍ତି ଯେ, ହାଇକମାଣ୍ଡ କଅଣ କରିବେ, ତାକୁ ନେଇ ଅକଳରେ ପଡ଼ିଗଲେଣି।

ଘନେଇବାରେ ଲାଗିଛି ଗେହଲଟ- ପାଇଲଟ ବିବାଦ। ମୁଖ୍ୟମନ୍ତ୍ରୀ ଚୌକି କୌଣସିମତେ ପାଇଲଟ ଯେଭଳି ହାତେଇବେନି ସେଥିଲାଗି ହାଇକମାଣ୍ଡଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଗେହଲଟ ଗୋଷ୍ଠୀର ୯୦ରୁ ଅଧିକ ବିଧାୟକ ସମୂହ ଇସ୍ତଫା ଦେଇଛନ୍ତି। ବିଧାନସଭାରେ ବାଚସ୍ପତି ସିପି ଜୋଷୀଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ଫଳରେ ୨ଶହ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ୧୦୮କୁ ଖସିଆସିଛି। ଏହା ସହ ସରକାର ଗଢ଼ିବାକୁ ମ୍ୟାଜିକ୍ ନମ୍ୱର ବି ୫୫କୁ ହ୍ରାସ ପାଇଛି। ଏମିତିରେ ଗୃହରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୦। ଗେହଲଟ ସରକାର ନିଜ ଅନୁଗତ ବିଧାୟକଙ୍କ ବିଦ୍ରୋହ ଲାଗି ଭାଙ୍ଗିଗଲେ ସରକାର ଅନ୍ୟାୟସରେ ବିଜେପି କରିବାର ସମ୍ଭାବନାକୁ ବି ଏହା ଦୃଢ଼ୀଭୂତ କଲାଣି।

 ସେପଟେ ସରକାରରେ ଏଭଳି ଅସ୍ଥିରତାକୁ ନେଇ ହାଇକମାଣ୍ଡଙ୍କ ଟେନସନ ବଢ଼ିଗଲାଣି। ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଓ୍ୱାନ ମ୍ୟାନ୍ ଓ୍ୱାନ୍ ପୋଷ୍ଟ ଥିଓରୀ କଥା ରାହୁଲ ତାଙ୍କୁ ସ୍ମରଣ କରିଦେବା ପରେ ଅକଳରେ ପଡ଼ିଥିବା ଗେହଲଟ ଓ ତାଙ୍କ ଅନୁଗତଙ୍କ ଭିତରେ ଭାଳେଣି ପଡ଼ିଥିଲା। କାରଣ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଏହି ଆସନରେ ହାଇକମାଣ୍ଡ ବସାଇଦେଲେ, ତାଙ୍କୁ ବଡ଼ ଅଡ଼ୁଆ ହେବ। ସେଥିଲାଗି ଜୟପୁର ଓ ଦିଲ୍ଲୀରେ ମାରାଥନ ବୈଠକ, ଇସ୍ତଫା ଚାପ୍ଟର ପୁରା ଦେଶ ଦେଖିସାରିଲାଣି। ସେପଟେ ବିଜେପି କହିଛି, ଏ ସବୁ ନାଟକ କଂଗ୍ରେସ ଅନ୍ତତଃ ବନ୍ଦ କରୁ। କେତେବେଳେ କ୍ଷମତା ଚୌକି ଲାଗି ହୋଟେଲରେ ଦିନ ଦିନ ଧରି ରହୁଛନ୍ତି। ତ ଅନ୍ୟ ସମୟରେ ଯେଉଁ ନେତା ସରକାର ଚଳାଉଛନ୍ତି, ଅନ୍ୟ ଦଳକୁ ଚାଲିଯାଉଛନ୍ତି। ଏହାଠୁ ଅଧିକ ଦୁର୍ଭାଗ୍ୟଜନକ ଆଉ କିଛି ନାହିଁ।

ବଡ଼ କଥା ହେଲା ଏହି ସଂକଟ ଟାଳିବାକୁ ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଜୟ ମାକେନଙ୍କୁ ବି ଭେଟିବାକୁ ମନା କରିଦେଇଛନ୍ତି ବିଦ୍ରୋହୀ ବିଧାୟକ। ସମସ୍ତ ବିଧାୟକଙ୍କ ସହ ଓ୍ୱାନ-ଟୁ-ଓ୍ୱାନ କଥା ହୋଇ ସମାଧାନ କରିବାକୁ ଏହି ଦୁଇ ପର୍ଯ୍ୟବେକ୍ଷକଙ୍କୁ ସୋନିଆ ରାଜସ୍ଥାନ ପଠାଇଥିଲେ। ଏହାକୁ ନେଇ ରାଜସ୍ଥାନ କଂଗ୍ରେସରେ ବିବାଦ ଓ ବିଦ୍ରୋହ ଯେ ଚରମସୀମାରେ, ଜଳଜଳ କରି ଦିଶୁଛି।

ସମୂହ ଇସ୍ତଫା ଦେଇଥିବା ଗେହଲଟଙ୍କ ସମର୍ଥିତ ବିଧାୟକଙ୍କୁ ଭେଟି ହାଇକମାଣ୍ଡଙ୍କୁ ରିପୋର୍ଟ କରିଥାଆନ୍ତେ ଏହି ଦୁଇ ପର୍ଯ୍ୟବେକ୍ଷକ। ରାଜସ୍ଥାନ ମନ୍ତ୍ରୀ ମହେଶ ଯୋଶୀ କହିଛନ୍ତି କି, ଯେଉଁମାନେ ଦଳର ଖାସ୍ ଅନୁଗତ, ସେମାନଙ୍କ ସ୍ୱାର୍ଥ ଦେଖିବା ଦଳର ଦାୟିତ୍ୱ। ସମସ୍ତ ବିଧାୟକ ଆଶାବାଦୀ ଯେ, ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସେମାନଙ୍କ ଦାବିକୁ ଗ୍ରହଣ କରିବେ। ଯଦିଓ ରାଜସ୍ଥାନର ଦୁଇ ମନ୍ତ୍ରୀ ପ୍ରତାପ ସିଂ ଖଚାରିଓ୍ୱାସ୍ ଓ ଶାନ୍ତି ଧରିଓ୍ୱାଲ ଦୁଇ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଏ କଥା ବି ସ୍ପଷ୍ଟ କରିଦେଇଛନ୍ତି କି, କିଛି ହାତଗଣତି ବିଧାୟକଙ୍କ ସହ ଆଲୋଚନା କରି ଏତେ ବଡ଼ ନିଷ୍ପତ୍ତି ଏକାକୀ କାହିଁକି ଗେହଲଟ ନେଲେ ବୋଲି ଅଧିକାଂଶ ବିଧାୟକ ରାଗିକି ଅଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଓ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ ନିଷ୍ପତ୍ତିକୁ ନେଇ ଅନେକ ଅସନ୍ତୁଷ୍ଟ ଅଛନ୍ତି।

ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେନୁଗୋପାଳ କହିଛନ୍ତି, ସମସ୍ୟା ଖୁବ ଶୀଘ୍ର ସମାଧାନ ହୋଇଯିବ। ଏସମସ୍ୟା ବାବଦରେ ଯଦିଓ ସେ ଗେହଲଟଙ୍କ ସହ କଥା ହୋଇନାହାନ୍ତି କି ଗେହଲଟ ବି ତାଙ୍କୁ କଲ୍ କରି ଜଣାଇନାହାନ୍ତି। ତଥାପି ସଙ୍କଟ ଟଳିବ।

ବାଇଟ- କେ.ସି.ବେନୁଗୋପାଳ, କଂଗ୍ରେସ ସାଧାରଣ ସମ୍ପାଦକ

ଘଡ଼ିକେ ଘୋଡ଼ା ଛୁଟିଲାଣି ରାଜସ୍ଥାନ କଂଗ୍ରେସରେ। ଗେହଲଟ ଓ ପାଇଲଟଙ୍କ ଗୋଷ୍ଠୀ ଭିତରେ କ୍ଷମତା ଚୌକି ଲାଗି ମୁହାଁମୁହିଁ ସ୍ଥିତି କଂଗ୍ରେସ ଶାସିତ ରାଜସ୍ଥାନ ରାଜନୀତିକୁ ସଙ୍କଟରେ ପକାଇଲାଣି।

ପ୍ରଦୀପ ନାୟକଙ୍କ ରିପୋର୍ଟ,

Related Articles

Leave a Reply

Your email address will not be published.

Back to top button