ଓଡ଼ିଶା

ରୋଜଗାରିଆ ପୁଅ ଭିନ୍ନକ୍ଷମ ହେବା ପରେ ଅସହାୟ ପରିବାର

ଭଦ୍ରକ:  ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଆହତ ହୋଇ କାମ କରିବା ଯୋଗ୍ୟ ନରହିଲେ ଯେଉଁ ପରିସ୍ଥିତି ଉପୁଜେ ତାହା ଭୋଗୁଛି ଗୋଟିଏ ପରିବାର । ଘରେ ଛଅ ଜଣ ସଦସ୍ୟ ଥିବା ବେଳେ ଦୁଇ ଓଳି ପେଟ ପୁରା ଖାଇବା ସ୍ୱପ୍ନ ହୋଇଛି । ଏଭଳି ଦୁଃଖଦ ସମୟରେ ସରକାରୀ ସହାୟତାକୁ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଆସନ୍ତୁ ଦେଖିବା ଭଦ୍ରକ ଜିଲ୍ଲାରୁ ଏହି ରିପୋର୍ଟ ।

ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଧାମନଗର ଛକ ଠାରେ ଅନେକ ବର୍ଷ ଧରି  ରହି ଆସୁଛନ୍ତି ଲକ୍ଷ୍ମଣ ମୁର୍ମୁଙ୍କ ପରିବାର । ଯାହା ଯେମିତି ପରିବାର ଚଳୁଥିବା ବେଳେ ଦୁଃଖର କଳା ବାଦଲ ଯେମିତି ପରିବାରକୁ ଦୁର୍ଦ୍ଦିନ ଭିତରେ ପକାଇଛି । ପରିବାର କହିଲେ ପୁଅ ମାନସିଂ ମୁର୍ମୁଙ୍କ ସହିତ ବୋହୁ ବାସନ୍ତୀ ମୁର୍ମୁ ଓ ନାତିନାତୁଣୀ ଚାରି ଜଣ । ଗତ ଆଠ ମାସ ପୂର୍ବରୁ ମାନସିକ ବିକୃତି ଯୋଗୁ ବୋହୂ କେଉଁଆଡ଼େ ଚାଲିଯାଇଥିଲା। ପରେ ଘରର ଏକମାତ୍ର ରୋଜଗାରିଆ ପୁଅ ମାନସିଂ ବୁଢା ବାପା ଲକ୍ଷ୍ମଣଙ୍କ ସହିତ ଚାରି ଛୁଆଙ୍କୁ ନେଇ ସଂସାର ଚଳାଉଥିଲେ। ହେଲେ ତିନିମାସ ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ମାନସିଂ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟ ସହଯୋଗ ଯୋଗୁ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମାନସିଂ କଟକ ମେଡିକାଲ ରୁ ଜୀବନ ପାଇ ଫେରି ଆସିଥିଲେ ସୁଦ୍ଧା ଏବେ ସେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛନ୍ତି। ତାଙ୍କର ମେରୁଦଣ୍ଡ ହାଡ଼ ସହିତ ଶରୀରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ଯେଉଁଲୋକ ଦୈନିକ ଶ୍ରମ କରି ସାରା ପରିବାରକୁ ପୋଷୁଥିଲା ଏବେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଛନ୍ତି।

ବଡ ଝିଅ ଯମୁନା ଚଳିତ ବର୍ଷ ମାଟ୍ରିକ ପାସ କରିଥିଲେ ସୁଦ୍ଧା ବାପାଙ୍କ ଅବସ୍ଥା ଦେଖି ଆଗକୁ ପାଠ ପଢାରେ ଡୋରି ବାନ୍ଧିଛନ୍ତି । ଅନ୍ୟ ତିନି ଭାଇ ଭଉଣୀ ସ୍କୁଲରେ ପଢୁଥିଲେ ସୁଦ୍ଧା ଆଉ କେତେ ଦିନ ପାଠ ପଢିପାରିବେ ତାହା ସନ୍ଦେହରେ ରହିଛି । ଓଳିଏ ଖାଇଲେ ଯେଉଁଠି ଓଳିଏ ଉପବାସ ରହୁଛନ୍ତି ଛଅ ପ୍ରାଣୀ। ସେଠି ପାଠ ପଢା ଓ ଅନ୍ୟ ଆବଶ୍ୟକତା କଥା ପଚାରେ କିଏ । ସରକାରୀ ସହାୟତା କହିଲେ କେବେଳ ୩୫ କେଜି ଚାଉଳ ହିଁ ଛଅ ପ୍ରାଣୀଙ୍କ ଜୀବନ ବଞ୍ଚିବାର ସହାୟ ହୋଇଛି। ଏପରିକି ସରକାରୀ ଯୋଜନାରେ ଆଦିବାସୀ ମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ଲକ୍ଷ୍ମଣ ମୁର୍ମୁଙ୍କ ପରିବାର ସେଥିରୁ ବଞ୍ଚିତ ହୋଇଛନ୍ତି। ଦୁର୍ଘଟଣା ପରେ ନା ମିଳିଛି ପୁଅ ପାଇଁ ସରକାରୀ ସହାୟତା ନା ମିଳିଛି  ପିଲାଙ୍କ ପାଠ ପଢା ପାଇଁ କିଛି ଆର୍ଥୀକ ପ୍ରୋତ୍ସାହନ। ଏହି ଦୁଃଖଦ ଘଟଣା ସମ୍ପର୍କରେ ଆମେ ଭଣ୍ଡାରିପୋଖରୀ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ ଏହି ଘଟଣାକୁ ଅତି ଗମ୍ଭୀରତା ସହ ନେଇ ତୁରନ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ତୁରନ୍ତ ମୁର୍ମୁ ପରିବାରକୁ ସରକାରୀ ସହାୟତା ଯୋଗାଇବେ ବୋଲି ଆମେ କରୁଛୁ । କିନ୍ତୁ ଏହି ଗୋଟିଏ ପରିବାର ନୁହେଁ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ଅଞ୍ଚଳରେ ଥିବା ଏଭଳି ଅସହାୟ ଲୋକଙ୍କ ଚିହ୍ନଟ ସ୍ଥାନୀୟ ଲୋକଙ୍କ ଜରିଆରେ କରି ସରକାରୀ ଯୋଜନାର ସୁଫଳ ପହଞ୍ଚାଇ ପାରିଲେ ପ୍ରତି ପରିବାର ମର୍ଯ୍ୟଦାରେ ଜୀବନ ଜୀଇଁ ପାରିବେ ।

ସତ୍ୟ ବ୍ରତ ପ୍ରଧାନ ଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button