ଓଡ଼ିଶା

ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ଇନିଂସ

() ସେକେଣ୍ଡ ଇନିଂସ। ଜୀବନ ସାଥୀ ଭାବେ ପରସ୍ପରର ହାତ ଧରିଲେ ଦୁଇ ଜିଲ୍ଲାପାଳ।  ସମ୍ୱଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଯାହାକୁ ନେଇ ଭରପୁର ଚର୍ଚ୍ଚା। କାରଣ ପ୍ରଥମ ବିବାହ ଏହି ଦୁଇ ଆଇଏଏସଙ୍କର ସଫଳ ହୋଇନଥିଲା। ଏମାନଙ୍କ ପ୍ରଥମ ଲାଇଫ ପାର୍ଟନର ବି ଥିଲେ ଆଇଏଏସ।

ଚର୍ଚ୍ଚାରେ ଦୁଇ ଜିଲ୍ଲାପାଳଙ୍କ ବିବାହ। ବାହାହେବେ ଅନନ୍ୟା ଦାସ ଓ ଚଞ୍ଚଳ ରାଣା। ରବିବାର ନିର୍ବନ୍ଧ ସମ୍ପନ୍ନ ହୋଇଛି ଉଭୟଙ୍କ ଭିତରେ। ଏହାର ଫଟୋ ବି ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହୋଇଛି। ହେଲେ ଏମାନଙ୍କ ବିବାହକୁ ନେଇ ଏତେ ଚର୍ଚ୍ଚା କାହିଁକି। ଚର୍ଚ୍ଚା ଏଥିଲାଗି ଯେ, ଏ ବିବାହ ହେବ ସେମାନଙ୍କର ଦ୍ୱିତୀୟ ବିବାହ। ପ୍ରଥମ ବିବାହ ବିଫଳ ହେବା ପରେ ଉଭୟ ଅନନ୍ୟା ଓ ଚଞ୍ଚଳ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଅନନ୍ୟା ଏବେ ସମ୍ୱଲପୁର ଜିଲ୍ଲାପାଳ ଥିଲା ବେଳେ ଚଞ୍ଚଳ ବଲାଙ୍ଗୀର ଜିଲ୍ଲାପାଳ। ଆସାମର ଝିଅ ଅନନ୍ୟା ୨୦୧୫ ବ୍ୟାଚର ଆଇଏଏସ। ଏବେକାର କୋରାପୁଟ ଜିଲ୍ଲାପାଳ ଥିବା ମହମ୍ମଦ ଅଖତରଙ୍କୁ ସେ ବିବାହ କରି ଓଡ଼ିଶା କ୍ୟାଡରକୁ ପରିବର୍ତ୍ତନ ହୋଇଥିଲେ। କିନ୍ତୁ ଉଭୟଙ୍କର ବିବାହ ବେଶୀ ଦିନ ତିଷ୍ଠି ନଥିଲା। ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ।

ସେହିଭଳି ପଶ୍ଚିମବଙ୍ଗ ପୁଅ ଚଞ୍ଚଳ ୨୦୧୪ ବ୍ୟାଚ୍ ଆଇଏଏସ। ଓଡ଼ିଶାର ପଢ଼ିଛନ୍ତି ଓ ବଢ଼ିଛନ୍ତି। ତାଙ୍କ ବ୍ୟାଚର ସ୍ୱଧାଦେବ ସିଂ ଯିଏ ଏବେ ରାୟଗଡ଼ା ଜିଲ୍ଲାପାଳ ଅଛନ୍ତି। ତାଙ୍କୁ ବିବାହ କରିଥିଲେ ଚଞ୍ଚଳ ରାଣା। ସ୍ୱଧା-ଚଞ୍ଚଳଙ୍କ ବିବାହ ବି ବେଶୀ ଦିନ ତିଷ୍ଠି ପାରିନଥିଲା। ମତ ଭେଦ କାରଣରୁ ଛାଡ଼ପତ୍ର ହୋଇଛି। ଚଞ୍ଚଳ ଓ ଅନନ୍ୟା ନୂଆ ଜୀବନସାଥୀ ରୂପେ ପରସ୍ପରକୁ ପାଇବାକୁ ଯାଉଛନ୍ତି। ଅନନ୍ୟାଙ୍କ ସରକାରୀ ବାସଭବନରେ ପାରମ୍ପରିକ ରୀତିନୀତି ଅନୁସାରେ ପରିବାର ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ ହୋଇସାରିଛି। ଚଞ୍ଚଳ ଓ ଅନନ୍ୟାଙ୍କ ନୂଆ ଇନିଂସକୁ ନେଇ ସମସ୍ତେ ସ୍ୱାଗତ କରିଛନ୍ତି। ତେବେ ତା ସହ ଆଇଏଏସ ଦମ୍ପତ୍ତିଙ୍କ ଭିତରେ ବିବାହ ବିଛେଦକୁ ନେଇ ଅନେକ ଆଲୋଚନା ବି ହେଉଛି ଖଟି ବଜାରରେ।

୨୦୧୬ ବ୍ୟାଚି ଆଇଏଏସ ଟପ୍ପର ଟିନା ଦାବିଙ୍କ ପ୍ରଥମ ବିବାହ ବିଛେଦ ଓ ଦ୍ୱିତୀୟ ବିବାହ ଘଟଣା ଆଗକୁ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ସାଜିଥିଲା। ଟିନା ତାଙ୍କ ବ୍ୟାଚର ଦ୍ୱିତୀୟ ଟପ୍ପର ଅଥର ଅମୀର ଖାନଙ୍କୁ ୨୦୧୮ରେ ପ୍ରେମ ବିବାହ କରିଥିଲେ। କିନ୍ତୁ ଦାମ୍ପତ୍ୟ ଜୀବନ ବେଶୀ ଦିନ ତିଷ୍ଠି ପାରିନଥିଲା। ଦୁଇ ବର୍ଷ ଭିତରେ ବ୍ରେକଅପ୍ ହୋଇଯାଇଥିଲା। ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଟିନା ତାଙ୍କଠୁ ବୟସରେ ୧୩ ବର୍ଷ ବଡ଼ ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ଗଲାବର୍ଷ ବିବାହ କରିଛନ୍ତି। ଅବଶ୍ୟ ପ୍ରଦୀପଙ୍କ ଏହା ପ୍ରଥମ ବିବାହ ଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button