ଆରପାରିରେ ଦେବେନ୍ଦ୍ର ପ୍ରଧାନ

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ ।  ଗତ କିଛି  ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ କୃଷି ମନ୍ତ୍ରୀ ଥିଲେ ଦେବେନ୍ଦ୍ର ପ୍ରଧାନ ୩ ଥର ବିଜେପି ରାଜ୍ୟ ସଭାପତି ରହିଥିଲେ ଦେବେନ୍ଦ୍ର ପ୍ରଧାନ ସେ ୧୯୯୮ରୁ ୨୦୦୪ ଯାଏଁ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ । ବିଜେପିରୁ ୨ ଥର ସଂସଦକୁ ନିର୍ବାଚିତ ହୋଇଥିଲେ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ବିଜେପିର ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୦୧ରୁ ୨୦୦୨ ବିଜେପିର ରାଷ୍ଟ୍ରୀୟ ଉପସଭାପତି ରହିଥିଲେ ଦେବେନ୍ଦ୍ର ପ୍ରଧାନ। ୧୯୯୮ରେ ସେ ଦେବଗଡ଼ ଆସନରୁ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ରେ ମଧ୍ୟ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୯୬୬ ମସିହାରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ୍ ପାସ୍ କରିଥିଲେ । ତାଙ୍କ ଘର ଅନୁଗୋଳ ଜିଲ୍ଲାର ତାଳଚେରରେ । ୧୯୭୩ରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ କରି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *