ବରଗଡ଼ରେ ଡେଙ୍ଗୁ ଆତଙ୍କ

ବରଗଡ଼ରେ ଡେଙ୍ଗୁ ଆତଙ୍କ। ବରଗଡ଼ ୱାର୍ଡ ନମ୍ୱର ୧୬ ଡେମ କଲୋନିରେ ଏବେ ଡେଙ୍ଗୁ ଆତଙ୍କ।  ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଖବର ପାଇ ପୌରପରିଷଦ ଅଧିକାରୀଙ୍କ ସହ ଏକ ମେଡିକାଲ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି କଲୋନୀରେ ଗତ ୧୫ ଦିନ ଭିତରେ ଗୋଟିଏ ପରିବାରର ଦୁଇ ଦୁଇ ଜଣଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ବସ୍ତି ବାସିନ୍ଦା ଏବେ ଭୟଭୀତ ହୋଇପଡ଼ିଛନ୍ତି । ଏହି ୱାର୍ଡ଼ରେ ବିଭିନ୍ନ ନାଳ ନର୍ଦ୍ଦମାରେ ପାଣି ଜମି ରହୁଥିବା ବେଳେ ଅଳିଆ ଆବର୍ଜନା ପଡ଼ି ରହୁଛି।  ଏପରିକି ପରିତ୍ୟକ୍ତ ଘର ଗୁଡିକରେ ଦୀର୍ଘ ଦିନରୁ ଡ୍ରେନ ପାଣି ଜମା ହୋଇ ରହୁଛି । ଯାହାକି ପରିବେଶକୁ ଦୂଷିତ କରୁଥିବା ବେଳେ ମଶା ମାଛି ଙ୍କ ବଂଶବୃଦ୍ଧି ହେଉଛି।  ଯେଉଁ ଆଡେ ଚାହିଁଲେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଛି । ହେଲେ ପୈାର ସଂସ୍ଥା ଦ୍ୱାରା ଏଠାକୁ ମାତ୍ର ଜଣେ ସଫେଇ କର୍ମଚାରୀ ଦେଇଥିବାରୁ ଠିକ୍ ଭାବେ ସଫେଇ ହୋଇପାରୁନାହିଁ। ଏବଂ ରାସ୍ତା ଛୋଟ ଥିବାରୁ ମଶା ଔଷଧ କି ଧୂଆାଁ ମଧ୍ୟ ପ୍ରୟୋଗ କରାଯାଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଜନସାଧାରଣ । ବସ୍ତି ବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୌରପରିଷଦ ଓ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଏବେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ପରେ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଏକ ଟିମ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ବସ୍ତିର ବିଭିନ୍ନ ଅଞ୍ଚଳ ବୁଲି ଡେଙ୍ଗୁ ବ୍ୟାପିବାର କାରଣ ଖୋଜିବା ସହ ପରିମଳ ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି। ଏହାସହ ଆଗାମୀ ଦିନରେ କିପରି ଏହାର ସୁଧାର ଆସିବ ସେନେଇ ପଦକ୍ଷେପ ନିଆଯିବ ବୋଲି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସେହିପରି ସ୍ଵାସ୍ଥ୍ୟ ବିଭାଗର ଏକ ଟିମ ପହଞ୍ଚି ବସ୍ତିରେ ଡେଙ୍ଗୁ ରୋଗର ପରୀକ୍ଷା ସହ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଯିବବୋଲି ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଡାକ୍ତର କହିଛନ୍ତି । ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ଭୁଷୁଡ଼ିବା ସହ ଲୋକ ସଚେତନତାର ଅଭାବ ଯୋଗୁଁ ଡେଙ୍ଗୁ ରୋଗ ଜଟିଳ ହେବାକୁ ବସିଥିବା ବେଳେ ବରଗଡ଼ ପୌପରିଷଦ ଓ ସ୍ଵାସ୍ଥ୍ୟ ବିଭାଗ ଏହାକୁ ରୋକିବାକୁ କେତେ ତତ୍ପରତା ହେଉଛି ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ବରଗଡରୁ ଧୃବ କର୍ମୀଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *