ଓଡ଼ିଶା

ବେଆଇନ ଶାମୁକା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ବର

ଜଳେଶ୍ୱର: ବାଲିଆପାଳ ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରତ୍ୟହ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଟନ୍ ଟନ୍ ଶାମୁକା।  ଯାହା ଫଳରେ ସମୁଦ୍ର ବେଳାଭୂମିକୁ ‌ ଅଣ୍ଡା ଦେବାକୁ ଆସୁ ନାହାନ୍ତି ଅଲିଭ ରିଡ଼ଲେ କଇଁଛ ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ବଢି ଚାଲିଛି ବେଆଇନ ଶାମୁକା ବ୍ୟବସାୟ । ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କିଛି ଅସାଧୁ ବ୍ୟକ୍ତି ଏଭଳି ବେଆଇନ ବ୍ୟବସାୟରେ ଲିପ୍ତ ଅଛନ୍ତି । ଦଲାଲ ମାନଙ୍କ ମାଧ୍ଯମରେ ଶାମୁକା ସବୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି।  ପ୍ରତି ସପ୍ତାହରେ ୨ ଶହ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଶାମୁକା ବେଆଇନ ଭାବରେ ବିଭିନ୍ନ ଗାଡି ମାଧ୍ୟମରେ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ଜଣା ପଡିଛି ।  ଏବେ  ବାରମ୍ବାର ଅଭିଯୋଗ କରାଯାଇଛି । ହେଲେ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜି ପରୋକ୍ଷରେ ଅସାଧୁ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ବାଲିଆପାଳ ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ 6 ଟି ପଞ୍ଚାୟତର ଅଧିକାଂଶ ଲୋକ ସମୂଦ୍ର ରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଏବେ କିଛି ଅସାଧୁ ଲୋକ ବେଆଇନ ଭାବେ ଶାମୁକା ବିକ୍ରି କରି ମାଲେମାଲ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଛନ୍ତି ସରକାର। ସେହିପରି ଅଧିକ ଶାମୁକା ସଂଗ୍ରହ ଲକ୍ଷ୍ୟରେ ଧରାଳିମାନେ ବଡ ବଡ ଜାଲ ବସାଉଥିବାରୁ ଜାଲ ଭିତରେ ଜୀଅନ୍ତା ଶାମୁକା ସମେତ ମାଛ ଜାଆଂଳ ମଧ୍ୟ ପଡି ନଷ୍ଟ ହେଉଛି।

ଏପରିକି ପ୍ରଜନନ ଋତୁରେ ଅଣ୍ଡା ଦେବାକୁ ଭୟରେ କୁଳକୁ ଆସୁ ନାହାନ୍ତି ଅଲିଭ ରିଡ଼ଲେ କଇଁଛ। ଅନ୍ୟପଟେ ପରିବେଶ ସନ୍ତୁଳନ ହରାଉଛି ।  ତେଣୁ ଏହି ବେଆଇନ ଶାମୁକା ଚାଲାଣ ରୋକିବା ପାଇଁ ଅଞ୍ଚଳବାସୀ ସ୍ଥାନୀୟ ବନ ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରା ଯାଉନଥିବାରୁ ଶାମୁକା ମାଫିଆଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଖୁବ୍ ଶୀଘ୍ର ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇ ବେଆଇନ ଶାମୂକା ଚାଲାଣ ବନ୍ଦ କରାଯିବ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ।

ତେବେ  ଜଙ୍ଗଲ ବିଭାଗ ବେଆଇନ ଶାମୁକା ଚାଲାଣ ଉପରେ  ପ୍ରତିବନ୍ଧକ ଲଗାଇଲେ , ପରିବେଶ ସନ୍ତୁଳନ ସହିତ ମାଛ ଯାଆଂଳ ସବୁ ନଷ୍ଟ ହେବାରୁ ରକ୍ଷା ପାଇପାରନ୍ତେ।

ପ୍ରଦୀପ ଜେନାଙ୍କ ରପୋର୍ଟ

Leave a Reply

Your email address will not be published.

Back to top button