ରେରା ନାଁରେ ଭୂଆଁ ବୁଲାଉଥିଲେ ଅଫିସର। ଦିଲ୍ଲୀ, ମୁମ୍ୱାଇ ଭଳି ସହରରେ ହେଉଥିବା ନିୟମକୁ ବି ଗାଁ ଗହଳିରେ ଥୋପି ଦେବାକୁ କରୁଥିଲେ ଅପପ୍ରୟାସ। କେନ୍ଦ୍ରୀୟ ଆଇନକୁ ନା ବୁଝିଛନ୍ତି ଅଫିସର ନା ବୁଝାଇପାରିଲେ। ରେରା ଆଳରେ ପାର୍ଟ-ପ୍ଲଟ କିଣାବିକା ଉପରେ ପ୍ରତିବନ୍ଧକ ଲଗାଇଥିବା ଅଧିକାରୀଙ୍କୁ କିଛି ଏମିତି ଢଙ୍ଗରେ ଧୋଇଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କେବଳ ଏତିକି ନୁହେଁ, ଜଟିଳ ଆଇନକୁ ସବୁଠି ଥୋପି ଲୋକଙ୍କୁ କରାଯାଉଥିବା ହଇରାଣ ହରକତକୁ ଆଉ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଥିଲେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବି କହିଥିଲେ, ଯେଉଁଠି ଯେଉଁ ଆଇନ ଲାଗୁ ହେବା କଥା ନୁହେଁ, ତାକୁ ଅନାବଶକୀୟ ଭାବେ ଲଦି ହଇରାଣ କରାଯାଉଥିଲା। ସେଥିଲାଗି ଓଡ଼ିଶାରେ ରେରା ଲାଗୁ ପୂର୍ବରୁ ଯେଉଁ ସବୁ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି, ସେ ସବୁ କିଣାବିକା ଉପରେ ପ୍ରତିବନ୍ଧକ ହଟାଇଦେଇଥିଲେ ସରକାର। ରିଅଲ ଇଷ୍ଟେଟ୍ ସେକ୍ଟରକୁ ବାଧା ଦେବା ସହ ସରକାରୀ ରାଜସ୍ୱ ହାନୀ ହେଉଥିଲା। ତେବେ ମୋଦିଙ୍କ ବିକାଶ ମଡେଲକୁ ଓଡ଼ିଶା ସରକାର ଆପଣାଇବା କଥା କହୁଥିଲା ବେଳେ ଖୋଦ୍ ଗୁଜରାଟରେ ହେଉଛି ବିଶ୍ୱସ୍ତରୀୟ ପ୍ଲାଟିନମ୍ ସିଟି। ଦୁବାଇ ଭଳି ଏହି ପ୍ଲାଟିନମ୍ ସିଟି ଢୋଲେରାରେ ହେଉଛି।କିନ୍ତୁ ଆଶ୍ଚର୍ଯ୍ୟର କଥା, ୨୨ଟି ମୌଜାକୁ ନେଇ ଗଠିତ ଏହି ସିଟି ଭିତର ଅଞ୍ଚଳ ସବୁ ରେରା ନିୟମ ଦ୍ୱାରା ପରିଚାଳିତ। କିନ୍ତୁ ସିଟି ବାହାର ଏରିଆରେ ରେରା ବିଲକୁଲ ପ୍ରଯୁଜ୍ୟ ନୁହେଁ। କାରଣ ଯେଉଁଠି ବିକାଶ ଲାଗି ପ୍ଲାନିଂ ହେଉଛି, ସେଠି ରେରା ଜରୁରୀ। କିନ୍ତୁ ଉପକଣ୍ଠ ଅଞ୍ଚଳରେ ଦରକାର ନାହିଁ। ପାର୍ଟ-ପ୍ଲଟ ପ୍ରତିବନ୍ଧକ ହଟାଇବା, ଆପାର୍ଟମେଣ୍ଟ କିଣାବିକା ଲାଗି ବାଟ ଫିଟାଇବା ନେଇ ନିରନ୍ତର ଲଢ଼େଇ କରୁଥିବା ଓଡ଼ିଶା ବିକାଶ ଅଭିଯାନ ଢୋଲେରା ଭିଜିଟ୍ କରି ଏହା ଜାଣିବାକୁ ପାଇଛି। ସେଥିଲାଗି ଓଡ଼ିଶା ବିକାଶ ଅଭିଯାନର ମୁଖ୍ୟ ଆଇନଜୀବି ପ୍ରଦୀପ କୁମାର ସାହୁ ସରକାରଙ୍କୁ ଅପିଲ୍ କରିଛନ୍ତି ଯେ, ଅନ୍ତତଃ ନିୟମ ବୁଝିନଥିବା ଅଫିସରଙ୍କୁ ଢୋଲେରାକୁ ଭିଜିଟରେ ପଠାନ୍ତୁ ସରକାର। ରେରା କେଉଁଠି ଲାଗୁ, କେଉଁଠି ହେବା କଥା ନୁହେଁ, ବୁଝିପାରିବେ। ତା ନହେଲେ ପୁଣି ପେଞ୍ଚ ପୁରାଇ ସାମୂହିକ ସ୍ୱାର୍ଥକୁ ଆଞ୍ଚ ଆଣିବାର ଆଶଙ୍କା ରହିଛି।ରିଅଲ ଇଷ୍ଟେଟ କ୍ଷେତ୍ର ଆଜି ଠପ୍। ସାଧାରଣ ଲୋକଟିଏ ଜରୁରୀ ବେଳେ କିଣାବିକା କରିପାରୁନି। ସରକାର ହରାଉଛନ୍ତି ରାଜସ୍ୱ।ରେରା ଆଳରେ ପ୍ରତିବନ୍ଧକ ଯେଉଁଠି ଲାଗିବା କଥା, ତାହାର ସୀମା ଡେଇଁ ଏହି ନିୟମକୁ ଥୋପି ଚାଲିଛନ୍ତି ଅଫିସର୍। ସେଥିଲାଗି ଅଫିସରଙ୍କ ଅଜ୍ଞତା ଲୋକଙ୍କ ଲାଗି କଣ୍ଟା ସାଜିବାର ପୁନରାବୃତ୍ତି ଆଗରୁ ଏହାକୁ ହଟାଇବା ଜରୁରୀ।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp
Join and get latest news update delivered to you via whatsapp
Join Now