ଓଡ଼ିଶା

୨୦ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ

୨୦ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ। ବିଶେଷ କରି ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ବିପଦ ଘନେଇବାରେ ଲାଗିଛି। ତେବେ ଏହାକୁ ନେଇ ଏତେ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ ବୋଲି କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏଡିଶ ମଶା ବିସ୍ତାର ଲାଗି ଡେଙ୍ଗୁ ବୃଦ୍ଧି ପାଏ। ସେଥିଲାଗି ସଚେତନ ଓ ସତର୍କ ରହିବାଠୁ ନେଇ ବର୍ଷା ଆଗରୁ ବିଭିନ୍ନ ଜାଗାରେ ଜମୁଥିବା ପାଣିକୁ ସଫା କରିବା ନିହାତି ଜରୁରୀ।

ରାଜ୍ୟରେ ଏଯାଏ ଠିକ୍‌ରେ ମୌସୁମୀ ବର୍ଷା ଆରମ୍ଭ ହୋଇନି। କିନ୍ତୁ ବ୍ୟାପିଲାଣି ଡେଙ୍ଗୁ। ପ୍ରାୟ ୨୦ ଜିଲ୍ଲା ଡେଙ୍ଗୁ କବଳରେ। ଡେଙ୍ଗୁ ନିୟନ୍ତ୍ରଣ ଲାଗି ଠୋସ୍ ପଦକ୍ଷେପ ନ ନେଲେ ଆଗକୁ ପରିସ୍ଥିତି ବିସ୍ଫୋରକ ହୋଇପାରେ। ଗଲା ମାସ ୨୧ରୁ ୩ ମାସ ଯାଏ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ଆରମ୍ଭ କରିଛନ୍ତି। ଏଥିରେ ଅନ୍ୟ ରୋଗ ସହ ଡେଙ୍ଗୁ  ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯାଇଛି। ଉପକୂଳରେ ଖୋର୍ଧାକୁ ଛାଡିଦେଲେ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ଡେଙ୍ଗୁ କବଳରେ। କୋରାପୁଟରୁ ସର୍ବାଧିକ ୮୬ ଆକ୍ରାନ୍ତ ଥିଲା ବେଳେ ମାଲକାନଗିରିରେ ୮୧ ଆକ୍ରାନ୍ତ ବାହାରିଛନ୍ତି। ରାୟଗଡ଼ା ୫୦ ଛୁଇଁବା ଉପରେ।

କେବଳ ୨୦୨୦କୁ ବାଦ୍ ଦେଲେ ଅନ୍ୟ ବର୍ଷରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ବାହାରୁଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ ଲାଗି ସବୁ ପ୍ରକାର ପ୍ରୟାସ କରାଯାଉଥିବା କହିଛି ପ୍ରଶାସନ। ଡେଙ୍ଗୁ ଓ୍ୱାର୍ଡ ବି ପ୍ରସ୍ତୁତ ରହିଛି। ଏଡିଶ୍ ମଶାର ବଂଶବିସ୍ତାର ରୋକିବାକୁ ପ୍ରୟାସ ଚାଲିଛି। ଚା କପ୍, ଟାୟାର, ପଇଡ଼ ଖୋଳ, ଖାଲଖମାରେ ପାଣି କିଭଳି ଜମି ରହିବନି, ସେ ଦିଗରେ ସଚେତନତା ପାଇଁ  ସ୍ୱେଛାସେବୀ ଓ ଡାକ୍ତରୀ ଟିମ୍ ମିଳିତ ଉଦ୍ୟମ କରୁଛନ୍ତି।

ସେପଟେ ଭୁବନେଶ୍ୱରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ପରେ ଚେତିଥିଲା ପ୍ରଶାସନ।  ଖୋର୍ଧା ଜିଲ୍ଲାରେ ବି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଛୁଇଁବାକୁ ଆଉ ବେଶୀ ଦିନ ଲାଗିନପାରେ। ଲୋକଙ୍କୁ ସଚେତନ କରାଯାଉଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ୭ଶହରୁ ଅଧିକ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୨ ଜଣ ଆଡମିଟ୍ ହୋଇଛନ୍ତି।

ରାଜ୍ୟରେ ଡେଙ୍ଗୁ ନମୂନା ପରୀକ୍ଷାକୁ ନେଇ ବିବାଦ ଜାରି ରହିଛି। ଡେଙ୍ଗୁରେ ମୃତ୍ୟୁ ହେଲେ ବି ତାକୁ ସରକାର ଗ୍ରହଣ କରୁନଥିବା ଅଭିଯୋଗ ହୋଇଆସୁଛି। ରାଜ୍ୟ ସରକାର ମ୍ୟାଲେରିଆ ନିୟନ୍ତ୍ରଣ ଉପରେ ଯେଭଳି ଗୁରୁତ୍ୱ ଦେଉଛନ୍ତି, ଅନୁରୂପ ଭାବେ ଡେଙ୍ଗୁ ନିୟନ୍ତ୍ରଣ ଉପରେ ଜୋର୍ ଦେବା ଜରୁରୀ ହୋଇପଡିଛି।

Leave a Reply

Your email address will not be published.

Back to top button