କଳା ପୋଷାକ ପିନ୍ଧି ଘଣ୍ଟ, ପେଁକାଳୀ, ତୁରୀ ଓ ଗିନିରେ କଂଗ୍ରେସର ପ୍ରତିବାଦ

ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଗଠନ, କଠୋର ଆଇନ ପ୍ରଣୟନ, ଦୁଷ୍କର୍ମ ପୀଡ଼ିତାଙ୍କୁ ଥଇଥାନ, ଆଦି ଦାବିରେ ଆରମ୍ଭରୁ ଅଡ଼ି ବସିଥିବା କଂଗ୍ରେସ ଧୀରେ ଧୀରେ ନିଜର ପ୍ରତିବାଦର ଶୈଳୀକୁ ଅଧିକ ଶାଣିତ ଓ ପ୍ରଖର କରିବାକୁ ଲାଗିଲାଣି। ମୋହନ ସରକାରଙ୍କ ନୀରବତାକୁ ଭାଙ୍ଗିବାକୁ ଗୃହ ଭିତରେ ହଟ୍ଟଗୋଳ ଓ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ସହ ବିକ୍ଷୋଭ ଜାରି ରଖିଆସିଛି। ଗୁରୁବାର ହ୍ୱିସିଲ୍ ବଜାଇ ଅଭିନବ ପ୍ରତିବାଦ ଆପଣାଇଥିଲା କଂଗ୍ରେସ। ମୋହନ ସରକାରଙ୍କ ଭଳି କାଲମୁକ ସରକାରଙ୍କୁ ଉଠାଇବାକୁ ହେଲେ ଗୁରୁବାର ହ୍ସିସିଲ୍ ବଜାଇ ପ୍ରତିବାଦ କରିଥିଲା। ଆଉ ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଗୃହର ମଧ୍ୟଭାଗକୁ ଆସି କେବଳ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିନଥିଲା। ଆଜି ଆଉ ପାଦେ ଆଗେଇଯାଇଥିଲା। ଦେହରେ କଳା କପଡ଼ା ଓ ମୁଣ୍ଡରେ କଳା ପଟି ପରିଧାନ କରି  କିଏ ଘଣ୍ଟ ଧରିଥିଲା ତ କିଏ ଗିନି। ପୁଣି କିଏ ବଇଁଶୀ ତ କିଏ ତୁରୀ। ବାଚସ୍ପତିଙ୍କ ପୋଡିଅମ ଆଗରେ ଘଣ୍ଟ ବଜାଇ, ପେଁକାଳୀ ବଜାଇ ହଟ୍ଟଗୋଳ କରିଥିଲେ। ବଡ଼ କଥା ଥିଲା, ଏହି ବିରୋଧ ଭିତରେ ବାହିନୀପତିଙ୍କ ଉପସ୍ଥିତି ପ୍ରତିବାଦର ସ୍ୱରକୁ ଅଧିକ ପ୍ରଖର କରିଦେଇଥିଲା। କାରଣ ମଝିରେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି ଲାଗି ବାହିନୀପତିଙ୍କୁ ୭ଦିନ ଗୃହରୁ ନିଲମ୍ୱନ କରିଥିଲେ ବାଚସ୍ପତି। ଆଉ ଶୁକ୍ରବାର ନିଲମ୍ୱନ ଅବଧି ସରିବା ପରେ ଗୃହ ଭିତରକୁ ଯାଇଥିଲେ ବାହିନୀପତି। ସମସ୍ତ କଂଗ୍ରେସ ସଭ୍ୟ କଳା ପୋଷାକ ପରିଧାନ କରି ବିଧାନସଭାକୁ ଆସିଥିଲେ। ଆଉ ହଙ୍ଗାମା କରିବାରୁ ବାଧ୍ୟହୋଇ ବାଚସ୍ପତି ଘଣ୍ଟାଏ ପର୍ଯ୍ୟନ୍ତ ଗୃହ ମୁଲତବୀ କରିଦେଇଥିଲେ। ଏହା ପରେ କଂଗ୍ରେସ ସଭ୍ୟ ଘଣ୍ଟ, ତୁରୀ, ବଇଁଶୀ ଓ ଗିନି ବଜାଇ ପୁରା ବିଧାନସଭା ଚାରିପଟେ ବୁଲି କରିଥିଲେ ପ୍ରତିବାଦ। ଲାଗୁଥିଲା ଯେମିତି କୌଣସି ସଙ୍ଗୀତ ଆସର। ଯେ ପର୍ଯ୍ୟନ୍ତ ମୋହନ ସରକାରଙ୍କ କାନରେ କଥା ପଡ଼ିନି, ସରକାରଙ୍କ ନିଦ ଭାଙ୍ଗିବନି। ସେ ପର୍ଯ୍ୟନ୍ତ କଂଗ୍ରେସ ତାହାର ପ୍ରତିବାଦ ଜାରି ରଖିବ। ଏମିତିରେ ଆସନ୍ତା ୨୭ରେ କଂଗ୍ରେସ ବିଧାନସଭା ଘେରାଓ କରିବାକୁ ନିଷ୍ପତ୍ତି ନେଇସାରିଛି। ବିଧାନସଭା ଗଣତନ୍ତ୍ରର ପବିତ୍ର ମନ୍ଦିର। ସେଥିଲାଗି ଘଣ୍ଟ ବଜାଇ ବିଧାନସଭା ପରିକ୍ରମା କଲୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବିଧାୟକ ତାରାପ୍ରସାଦ ବାହିନୀପତି। ସେପଟେ କଂଗ୍ରେସର ଏଭଳି ବିରୋଧ ପଛରେ ବିଜେଡିର ଷଡ଼ଯନ୍ତ୍ର କହି ଆରୋପ ଲଦିଛି ଶାସକ ଦଳ। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଆଗତ ମୁଲତବୀ ଆଲୋଚନା ଗୃହରେ ହୋଇସାରିଥିବା ସତ୍ତ୍ୱେ ଦଳୀୟ ଏଜେଣ୍ଡାକୁ ଧରି ଗୃହକୁ ନ ଚଳାଇଦେବାର ମାନସିକତାରେ ରହିଛି କଂଗ୍ରେସ। ଜାଣିଶୁଣି ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗ ଉଠାଇବାକୁ ଦେଉନି। ଗୃହକୁ ଅଚଳ କରୁଛି। କାହାର କେଉଁ ଚେହେରା, ତମାମ ରାଜ୍ୟବାସୀ ଦେଖୁଛନ୍ତି ବୋଲି କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ଇରାଶୀଷ ଆଚାର୍ଯ୍ୟ। ୮ ମାସ ହେଲା ରାଜ୍ୟରେ ବଢ଼ୁଥିବା ମହିଳା ନିର୍ଯ୍ୟାତନା, ଦୁଷ୍କର୍ମ, ନାବାଳିକା ଅନ୍ତସତ୍ତ୍ୱା ଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ଗଲା ୧୦ ଦିନ ଧରି ଗୃହ କମିଟି ଗଠନ ଦାବିରେ ଅଡ଼ି ବସିଛି କଂଗ୍ରେସ। ଆସନ୍ତା ୨୭ରେ ବିଧାନସଭା ଘେରାଓ କରିବ। ସେ ପର୍ଯ୍ୟନ୍ତ କଂଗ୍ରେସ ନିଜ ପ୍ରତିବାଦକୁ ଜାରି ରଖିବ ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *