ନିଆରା ପଶୁପକ୍ଷୀ ପ୍ରେମୀ ଶୁଭ୍ରାଂଶୁ

 କେନ୍ଦୁଝର ସହର ବଣିଆପାଟ ଅଞ୍ଚଳର ନିଆରା ପଶୁପକ୍ଷୀ ପ୍ରେମୀ ଶୁଭ୍ରାଂଶୁ ମହାନ୍ତି। କୁକୁର, ବିଲେଇ, ଠେକୁଆ ଓ ମୂଷା ସହିତ ରଖିଛନ୍ତି ୨ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ପକ୍ଷୀ। ସବୁଠାରୁ ଦାମୀ ପକ୍ଷୀ କୁହାଯାଉଥିବା ସନ କନିୟର ଯୋଡା ୩୦ହଜାର ଟଙ୍କା ଦେଇ ସେ କିଣି ରଖିଛନ୍ତି। ଭଳିକି ଭଳି ବିଭିନ୍ନ ପ୍ରଜାତିର ପାରା ସାଙ୍ଗକୁ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ ସମାହାର ସତେ ଯେମିତି ଏକ ଚିଡିଆଖାନାର ଭ୍ରମ ସୃଷ୍ଟି କରୁଛି। ଶୁଭ୍ରାଂଶୁ ଯେ କେବଳ ପକ୍ଷୀଙ୍କର ସେବା କରି ଆନନ୍ଦିତ ହୁଅନ୍ତି ତା ନୁହେଁ, ଯେଉଁମାନେ ପକ୍ଷୀମାନଙ୍କୁ ଦେଖିବାକୁ ଯାଆନ୍ତି, ସେମାନଙ୍କର ମନ ମଧ୍ୟ ଆନନ୍ଦରେ ଭରିଉଠେ। ସନ୍ତାନଠୁ ବଳି ଶୁଭ୍ରାଂଶୁଙ୍କର ପଶୁପକ୍ଷୀଙ୍କ ପ୍ରତି ଏହି ଅନାବିଳ ପ୍ରେମ ପଡୋଶୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ପିଲାଟି ବେଳୁ ଶୁଭ୍ରାଂଶୁଙ୍କର ପଶୁପକ୍ଷୀଙ୍କ ପ୍ରତି ଦୁର୍ବଳତା ଥିଲା। ଟେଲିକମ ଇଞ୍ଜିନିୟରିଂ ଶେଷ କରି ଏକ ଘରୋଇ କମ୍ପାନୀରେ ୨୦୦୮ମସିହାରେ ଚାକିରୀ କଲେ।   ହେଲେ ପଶୁପକ୍ଷୀ ପ୍ରେମରେ ଏମିତି ପାଗଳ ହୋଇଗଲେ ଯେ ଶେଷରେ ଏମାନଙ୍କ ସେବା କରିବା ପାଇଁ ଚାକିରୀ ମଧ୍ୟ ଛାଡିଦେଲେ । ପ୍ରଥମେ ବିଦେଶୀ ପିଟବୁଲ୍ ପ୍ରଜାତିର କୁକୁର ଆଣି ଲାଳନ ପାଳନ କଲେ । ଏହାପରେ, ସେ ଅନେକ ନାମୀଦାମୀ ପ୍ରଜାତିର ପକ୍ଷୀ ସହିତ, ବିଦେଶୀ ବିଲେଇ, କୁକୁର, ଠେକୁଆ, ମୂଷା ଆଦି ରଖି ଲାଳନ, ପାଳନ କରୁଛନ୍ତି।  ରାସ୍ତାଘାଟରେ ଦୁର୍ଘଟଣାର ଶିକାର ହୋଇଥିବା କୁକୁର, ଗାଈମାନଙ୍କୁ ସେ ଉଦ୍ଧାର କରି ସେମାନଙ୍କ ସେବାଶୁଶ୍ରୁଷା କରିଥାନ୍ତି । ସମସ୍ତ ପଶୁପକ୍ଷୀଙ୍କୁ ସେ ଇଣ୍ଡିଆନ ଆନିମଲ ଆକ୍ଟ ୧୯୭୩ ଅନୁସାରେ ପଞ୍ଜିକରଣ କରିଥିବା କହିଛନ୍ତି।  

ମଣିଷ ଧୋକା ଦିଏ, ହେଲେ, ଜୀବଜନ୍ତୁଙ୍କୁ ଭଲପାଇବା ଦେଲେ, ସେମାନେ କେବେବି ଧୋକା ଦିଅନ୍ତି ନାହିଁ ବୋଲି କହନ୍ତି ଶୁଭ୍ରାଂଶୁ । ଏପରିକି, ଶୁଭ୍ରାଂଶୁଙ୍କ ନିବିଡ ଭଲପାଇବାରେ ବନ୍ଧା ପକ୍ଷୀମାନଙ୍କୁ ଆକାଶରେ ଛାଡିଦେଲେ ମଧ୍ୟ ସେ ଶୁଭ୍ରାଂଶୁଙ୍କୁ ଛାଡି ଯାଆନ୍ତି ନାହିଁ। କେନ୍ଦୁଝରରୁ ପାର୍ଥ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *