ବଜାରରେ ଆଳୁ ଉଭାନ୍

ବଜାରରେ ଆଳୁ ଉଭାନ୍। ଆଳୁ ଦର ୫୦ ଛୁଇଁଛି। କିନ୍ତୁ ମନ୍ତ୍ରୀ କହୁଛନ୍ତି ୩୨ରୁ ୩୪ ଟଙ୍କାରେ ମିଳୁଛି। ହେଲେ ବାସ୍ତବତା ଭିନ୍ନ। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଖୁଚୁରା ବେପାରୀ କହିଲେଣି, ୪୦ରେ କିଣି ୩୫ରେ କେମିତି ବିକିବୁ। ଯଦି ଆଳୁ ସଙ୍କଟ ବେଳେ ସରକାର ନାଲି ଆଖି ଦେଖାଇବେ, ଆମେ ହୋଲସେଲରୁ ଆଣିବୁନି କି ବିକିବାର ଟେନସନ ନେବୁନି। ଲୋକେ ଆଳୁଗଦିକୁ ଯାଆନ୍ତୁ। ଯୋଗାଣ ମନ୍ତ୍ରୀ କହିଛନ୍ତି, ସ୍ୱାଭାବିକ ହେଲାଣି ସ୍ଥିତି। ଦର ୩୨ରୁ ୩୪ ଭିତରେ ରହିଛି।

ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଓଡ଼ିଶାକୁ ଆସିପାରୁନି। ଏ ଯାଏ ପରିସ୍ଥିତି ସ୍ୱାଭାବିକ ହୋଇନି। ଶୁକ୍ରବାର ସୀମାନ୍ତରୁ ୨ଶହ ଆଳୁ ବୋଝେଇ ଟ୍ରକ୍ ପଶ୍ଚିମବଙ୍ଗ ସରକାର ଫେରାଇ ନେଇଥିଲେ। ସୀମାରେ ମମତାଙ୍କ ଏଭଳି ଦାଦାଗିରି ପାଇଁ ସୋନାକଣିଆ ଚେକ୍‌ପୋଷ୍ଟରେ ଶନିବାର ଗୋଟିଏ ବି ଆଳୁ ଟ୍ରକ୍ ଦେଖିବାକୁ ମିଳିନଥିଲା। ଯେଉଁ ରାସ୍ତା ଦେଇ ଦୈନିକ ହଜାର ହଜାର ଆଳୁ ବୋଝେଇ ଟ୍ରକ୍ ଓଡ଼ିଶାକୁ ଆସୁଥିଲା।

ଆଉ କଟକ ଛତ୍ରବଜାରରୁ ନେଇ ଭୁବନେଶ୍ୱର ଆଳୁ ଗଦି। ସବୁଠି ଆଳୁ ଯେମିତି ଉଭାନ୍ କହିଲେ ଭୁଲ୍ ହେବନି। ଯେଉଁ ଆଳୁ ହୋଲସେଲରେ ୨୭ରୁ ୩୦ ଟଙ୍କାରେ ବିକାଯାଉଥିଲା। ତାହାର ଦର ବଢ଼ିଲାଣି। ଖୁଚୁରାରେ ୫୦ ରୁ ୬୦ ଛୁଇଁସାରିଲାଣି। ଯଦିଓ ଯୋଗାଣ ମନ୍ତ୍ରୀ ତାଗିଦ୍ କରିଥିଲେ, ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ। ଏହାକୁ କେହି ଖାତିର୍ କରିନାହାନ୍ତି। ସରକାର ଧାର୍ଯ୍ୟ କରିଥିବା ଦରରେ ବିକିବା ଅସମ୍ଭବ ବୋଲି ହାତ ଟେକିଦେଲେଣି ଖୁଚୁରା ବେପାରୀ। ଗାଡ଼ି ଭଡ଼ା ସହ ଆଳୁ ପଚାସଢ଼ା ପଡ଼ୁଛି। ଆଳୁ ଆଣିବୁ କାହିଁକି। ହଇରାଣ ହେବୁ କାହିଁକି। ଲୋକେ ବରଂ ଗୋଦାମକୁ ପଳାନ୍ତୁ। ଆଳୁ ଉଭାନ୍ ହୋଇଥିବାରୁ ଗ୍ରାହକ ବି ନାଚାର। ଅଧିକା ଦରରେ କାନମୁଣ୍ଡା ଆଉଁସି କିଣିବାକୁ ବାଧ୍ୟ ହେଉଛନ୍ତି ନଚେତ୍ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛନ୍ତି। ନବରଙ୍ଗପୁରରୁ କେନ୍ଦ୍ରାପଡ଼ା। ବ୍ରହ୍ମପୁରରୁ ବରଗଡ଼। ସବୁଠି ସମାନ ଅବସ୍ଥା।

ସେପଟେ ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି, ହୋଲସେଲରେ ଦର ନିୟନ୍ତ୍ରଣ ଥିଲେ ବି ଖୁଚୁରା ବେପାରୀ କେତେ ଦରରେ ବିକିବେ, ଏ କଥା ସରକାରଙ୍କ ନିୟନ୍ତ୍ରଣରେ। ଆଳୁ ସଙ୍କଟର ବାସ୍ତବ ସ୍ଥିତିକୁ ବି ଦେଖିବା ଜରୁରୀ। ପଶ୍ଚିମବଙ୍ଗରୁ ୯୦ ପ୍ରତିଶତ ଆଳୁ ଆସୁଥିଲା ବେଳେ ୟୁପି ଓ ଅନ୍ୟ ରାଜ୍ୟରୁ ୧୦ ପ୍ରତିଶତ ଆଳୁ ଆସିଥାଏ। ଆଗକୁ ଆଳୁର ଅଭାବଜନିତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆଳୁ ଆମଦାନୀ ସ୍ୱାଭାବିକ ହେବାକୁ ଲାଗିଲାଣି। ଦର ୩୨ରୁ ୩୪ ଭିତରେ ରହିଛି। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ହୋଇଛି। ସମସ୍ୟା ସମାଧାନ ହେଲାଣି।

ଗ୍ରାଉଣ୍ଡରେ ଆଳୁ ଅଣାୟତ୍ତ କଲାଣି। ଓଡ଼ିଶା ବଜାରରେ ଆଳୁ ନିଅଣ୍ଟରୁ ଦର ବୃଦ୍ଧି ପାଇଲାଣି। ତଥାପି ମନ୍ତ୍ରୀ କହୁଛନ୍ତି, ସବୁ ସ୍ୱାଭାବିକ ଓ ନିୟନ୍ତ୍ରଣରେ ରହିଛି। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *