ଭୁଲ୍ ମାଗିଲେ ବିଡିଓ ମ୍ୟାଡାମ, ବାହିନୀପତିଙ୍କ ଆଗରେ ନୁଆଇଁଲେ ମୁଣ୍ଡ

ଭୁଲ୍ ମାଗିଲେ ବିଡିଓ ମ୍ୟାଡାମ। ବାହିନୀପତିଙ୍କ ଆଗରେ ମୁଣ୍ଡ ନୁଆଇଁଲେ। ନିଜର ଆଚରଣ ନିଜକୁ ମହଙ୍ଗା ପଡ଼ିଲା। କଥା କଟାକଟିରୁ ଯୁକ୍ତିତର୍କ ଏମିତି ଚରମସୀମାରେ ପହଞ୍ଚିଥିଲା ଯେ, କେହି କାହାକୁ କମ୍ ନୁହେଁ ବୋଲି ଧାରଣା ଜନ୍ମିବାକୁ ଲାଗିଥିଲା। କିନ୍ତୁ ଶେଷରେ ହାରିଗଲେ ବିଡିଓ। ଜିତିଲେ ବାହିନୀପତି। ଏମିତିରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକଙ୍କ କାର୍ଯ୍ୟ କରିବାର ତରିକା ଓ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ତାଙ୍କର ଆଚରଣକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିଥିଲା। ହେଲେ ଆଜି ଏହା ବିସ୍ଫୋରକ ମୋଡ଼ ନେଇଥିଲା।
ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀଙ୍କୁ ସିନା କିଛି ଦିନ ତଳେ ଏଡାଇ ଯାଇ ତାଙ୍କୁ ଅପମାନିତ କରାଇବାକୁ ପଛାଇନଥିଲେ ବିଡିଓ। ହେଲେ ଏଥର କିନ୍ତୁ ବିଡିଓଙ୍କ ବାଟ ଓଗାଳିଲେ ବାହିନୀପତି। ପାପଡ଼ାହାଣ୍ଡି ବ୍ଲକ୍ ରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାରରୁ ଦିଆଯାଇଥିଲା ଧାରଣା। ହେଲେ ଏହାକୁ ଖାତିର କରିବା ତ ଦୂରର କଥା। ସୌଜନ୍ୟତା ଦୃଷ୍ଟିରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ଆସିନଥିଲେ ବିଡିଓ। ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଆନ୍ଦୋଳନକାରୀଙ୍କ ସହ ବାହିନୀପତି ସାମିଲ ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ତେବେ ତାଙ୍କୁ ଦଳିତ ଓ ଦୁର୍ନୀତିଗ୍ରସ୍ତ କହି ଆକ୍ଷେପ ଲଦିବା କଥାକୁ ସହଜେ ଗ୍ରହଣ କରିପାରିନଥିଲେ ବିଡିଓ ମ୍ୟାଡାମ।
କଥା କଟାକଟିରୁ କଥା ବଢୁଥିବା ଦେଖି ଅବଶ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ। ଶିଷ୍ଟାଚାରରୁ ଦୁର୍ନୀତିର ପ୍ରମାଣ ଯାଏ ପରସ୍ପରକୁ ମାଗି କଳିରେ ମାତିଥିଲେ ଉଭୟ ପ୍ରଶାସନିକ ଅଧିକାରୀ ଓ ବିଧାୟକ। ଆଉ ଏଥିରୁ କ୍ଷାନ୍ତ ରହିବାକୁ ଉଭୟଙ୍କୁ ବୁଝାଇଥିଲେ ଅତିରିକ୍ତ ଜିଲ୍ଲାପାଳ। ଆଉ ଶେଷରେ ନିଜ ବ୍ୟବହାର ଲାଗି ଦୁଃଖିତ ବୋଲି ସଭାସ୍ଥଳକୁ ଆସି ବାହିନୀପତିଙ୍କୁ କ୍ଷମା ମାଗିଥିଲେ ବିଡିଓ। ୧୨ ଦଫା ଦାବିକୁ ମାସକ ଭିତରେ ପୂରଣ ନ ହେଲେ ଆଉ ଥରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇ ଫେରିଯାଇଛନ୍ତି ବାହିନୀପତି।