ରେଳ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକସଭା

Spread the love

ଭୁବନେଶ୍ୱର : ବାଲେଶ୍ୱର-ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ସାମ୍ବାଦିକମାନଙ୍କ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଲୋକସେବା ଭବନ ପ୍ରେସ୍ ଲାଉଞ୍ଜ ପରିସରରେ ଏକ ଶୋକସଭା ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ଆଶୁ ଆରୋଗ୍ୟ କାମନା ସହ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରରୁ ଜଣକୁ ରେଳବାଇ କିମ୍ବା ସରକାରୀ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ବା କର୍ମସଂସ୍ଥାନ ଯୋଗାଇ ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ ପତ୍ର ପଠାଇବାକୁ ଶୋକସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଟ୍ରେନ୍ ଦୁର୍ଘଟଣା ପରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ଲୋକମାନଙ୍କ ତତ୍କାଳ ସେବା ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ଶୋକସଭାରେ ଭୂୟସୀ ପ୍ରଶଂସା କରାଯାଇଥିଲା ।

ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ବିପିନ୍ ସିଂ, ବିଜୟ କୁମାର ପଣ୍ଡା, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସଂଜୟ କୁମାର ପ୍ରଧାନ, ଚିତ୍ତରଂଜନ ପଟ୍ଟନାୟକ, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେହୁରା, ଅବିନାଶ ମିଶ୍ର, ଅଜୟ କୁମାର ଦାସ, ଅଶୋକ କୁମାର ସାହୁ, କିଶୋର ମଙ୍ଗରାଜ, ପ୍ରିୟରଂଜନ ସାହୁ, ବଳରାମ ପ୍ରସାଦ ନନ୍ଦ, ସନାତନ ଦଳବେହେରା, ବିମଳ ଦାସ ଓ ସୁକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *