ସହର ଉପକଣ୍ଠର ବିକାଶ, ମୁଖ୍ୟ ଟିପି ସ୍କିମ୍

ଟିପି ସ୍କିମ୍ ହିତାଧିକାରୀଙ୍କ ଲାଗି ଖୁସି ଖବର। ଏଣିକି ଆଉ ଧୀମା ଗତିରେ ହେବନି କାମ। ଧାର୍ଯ୍ୟ ସମୟରେ ସରିବ ସମସ୍ତ ସ୍କିମ୍। ବିଡିଏ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏଭଳି କଥା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସହର ଭଳି ସହର ଉପକଣ୍ଠକୁ ବି ସମାନ୍ତରାଳ ସୁବିଧା ସୁଯୋଗ ଦେବା ଲକ୍ଷ୍ୟରେ ୭ ବର୍ଷ ତଳୁ ଆରମ୍ଭ ଟିପି ସ୍କିମକୁ ଫଳପ୍ରଦ କରିବା ଉପରେ ଜୋର୍ ଦେଇଛନ୍ତି ମନ୍ତ୍ରୀ। କେଉଁ ସମସ୍ୟା ଲାଗି ଧୀମା ହୋଇପଡ଼ିଥିଲା ଏହି ସ୍କିମ୍, ଅନୁଧ୍ୟାନ କରି ସମାଧାନ କରାଯିବ।

ଦିନ ରାତି ଏକ୍ କରିଦେଇଛି ବିଡିଏ। କେମିତି ଗୋଟିଏ ହେଲେ ସ୍କିମକୁ ସାରିବାକୁ ପଡ଼ିବ। ଲୋକଙ୍କର ବିଶ୍ୱାସ ଜିତିବାକୁ ପଡ଼ିବ। ତା ହେଲେ ଯାଇ  ଯୋଜନାବଦ୍ଧ ସହରର ପରିକଳ୍ପନା ସାକାର ହେଲା ବୋଲି ଲୋକଙ୍କୁ ଉଦାହରଣ ଦେଇହେବ। ସହର ଭଳି ସହର ଉପକଣ୍ଠରେ ବି ସମାନ ସୁବିଧା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେବା ପରେ ବିଡିଏର ନିଦ ହଜିଯାଇଛି। ଟାଉନ ପ୍ଲାନିଂ ସ୍କିମ୍‌ ୨୦୧୬ରୁ ଆରମ୍ଭ ହେଲାଣି। ହେଲେ ଗୋଟିଏ ବି ସ୍କିମ ସମ୍ପୂର୍ଣ୍ଣ ହୋଇପାରିଲାନି। ଯାହାକୁ ନେଇ ଲୋକଙ୍କ ଭିତରେ ବି ଅସନ୍ତୋଷ ଦାନା ବାନ୍ଧୁଛି। ଯଦିଓ ଟିପି ସ୍କିମ୍ ପ୍ରତି ଲୋକଙ୍କର ଆଗ୍ରହ ଓ ଚାହିଦା କ୍ରମାଗତ ବଢ଼ିବାରେ ଲାଗିଛି। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଯୋଜନାଭିତ୍ତିକ ସହର ମୂଳ ଆଭିମୁଖ୍ୟ। ରାସ୍ତା, ଡ୍ରେନ୍, ସ୍ୱେରେଜ ସମେତ ସମସ୍ତ ଆନୁସଙ୍ଗିକ ସୁବିଧାସୁଯୋଗ ରହିବା ଜରୁରୀ।

ସେପଟେ ଗ୍ରାଉଣ୍ଡରେ ଅବଶ୍ୟ ସ୍ଥିତିକୁ ସୁଧାରିଛି ବିଡିଏ। ପ୍ରଥମରୁ ଝୁଣ୍ଟିଥିବା ବିଡିଏ ଟିପି ସ୍କିମରେ ୨ଶହ ଫୁଟିଆ ରାସ୍ତାକୁ ଆଗ ସାରିବାକୁ ଲାଗିଛି। ୬୦ ପ୍ରତିଶତ ଲୋକଙ୍କୁ ଜାଗାର ସଂଶୋଧିତ ପଟ୍ଟା, ଦଖଲ ଦେବା ସହ ପୋଜେସନ ଲେଟର ବି ଦେଲାଣି। କିନ୍ତୁ ଘର ଉପଯୋଗୀ ଭିତ୍ତିଭୂମି ଦେବାକୁ ଆଉ କିଛି ଦିନ ଲାଗିବ। ଅହମଦାବାଦ ଢାଞ୍ଚାରେ ହେଉଥିବା ଟିପି ସ୍କିମକୁ ଫଳପ୍ରଦ କରିବାକୁ ଲାଗିପଡିଛି ବିଡିଏ। ଜାଗାର ୪୦ ପ୍ରତିଶତ କାଟି ବାକି ୬୦ ପ୍ରତିଶତ ଜାଗାରେ ସମସ୍ତ ଆନୁସଙ୍ଗିକ ସୁବିଧା ଦେବାକୁ ପ୍ରୟାସକୁ ତ୍ୱରାନ୍ୱିତ କରିଛି। କେବଳ ସହରର ବିକାଶ କରିଦେଲେ ହେବନି। ସମାନ୍ତରାଳ ସହର ଉପକଣ୍ଠର ବିକାଶ ନହେଲେ ବଢ଼ୁଥିବା ସହର ପୁଣି ବିନା ପ୍ଲାନିଂରେ ଅସୁବିଧା ଭୋଗିବ। ଓଡ଼ିଶାର ଟିପି ସ୍କିମକୁ ଅନୁକରଣ କରିବାକୁ କିଛି ଦିନ ତଳେ ଦିଲ୍ଲୀ ନଗର ଉନ୍ନୟନ ବିଭାଗର ଏକ ଟିମ୍ ବି ପରିଦର୍ଶନ କରି ଫେରିଛନ୍ତି। ଟାଉନ ପ୍ଲାନିଂ ସ୍କିମ୍ ଅନ୍ଧାରୁଆ-ଦାସପୁର ମୌଜାର ୨ଶହ ମିଟର ପଛପଟେ ୮୬୧ ଏକର ପରିମିତ ଜାଗା ଦାସପୁରରୁ ଗୋଠପାଟଣାରେ ନୂଆ ସିଟି କାମ ବି ଆରମ୍ଭ ହେଲାଣି।  ଅନ୍ୟ ରାଜ୍ୟ ଓଡ଼ିଶାର ଟିପି ମଡେଲକୁ ଅନୁକରଣ କରିବା ଆରମ୍ଭ କଲେଣି।  କିନ୍ତୁ ଖୋଦ୍‌ ବିଡିଏ ସ୍ମାର୍ଟସିଟିର ଏହି ବୃହତ୍ ଯୋଜନାକୁ କେତେଦୂର ସାକାର କରିବ, ତାହା ହିଁ ବଡ଼ ଆହ୍ୱାନ ଭାବେ ଛିଡ଼ା ହେଲାଣି।

ଲୋକଙ୍କ ସହମତିରେ ହେଉଥିବା ଟାଉନ ପ୍ଲାନିଂ ସ୍କିମ୍ ଉପରେ ନିର୍ଭର କରୁଛି ସହର ଉପକଣ୍ଠର ବିକାଶ ଓ ସହର ଭଳି ସହର ଉପକଣ୍ଠବାସୀଙ୍କୁ ସମାନ ସୁବିଧାସୁଯୋଗ ଦେବାର ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ବିଭାଗର ସମୀକ୍ଷା ବେଳେ ଏହା ଉପରେ ଜୋର୍ ଦେଇଛନ୍ତି। ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ ବିଡିଏର ଅଧ୍ୟକ୍ଷ। ତେଣୁ ଏହି ସ୍କିମକୁ ଫଳପ୍ରଦ ଓ ତ୍ୱରାନ୍ୱିତ କରିବା ପଛରେ କେଉଁ ସବୁ ପ୍ରସଙ୍ଗ ବିଡିଏ ପାଇଁ ଅନ୍ତରାୟ ହେଉଛି, ତାକୁ ଖୋଜି ସମାଧାନ କରିବା ଜରୁରୀ।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *